Voice of Eastern India

‘ବାରମ୍ବାର କ୍ୟାବିନକୁ ଡାକୁଥିଲେ’: ଅଫିସ୍ ଭିତରେ ଇଞ୍ଜିନିୟରଙ୍କୁ ପିଟିଲେ ମହିଳା କର୍ମଚାରୀ, ଯୌନ ନିର୍ଯାତନା ଅଭିଯୋଗ 


ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଏକ ସରକାରୀ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି । ଜଣେ ବଡ଼ ଅଧିକାରୀଙ୍କ ଅଶାଳୀନ ବ୍ୟବହାରକୁ ନେଇ ଅତିଷ୍ଠ ହୋଇପଡ଼ିଥିବା ଜଣେ ମହିଳା କର୍ମଚାରୀ ବଡ଼ ପଦକ୍ଷେପ ନେଇଛନ୍ତି । କାର୍ଯ୍ୟାଳୟ ଭିତରେ ସଂପୃକ୍ତ ବଡ଼ ବାବୁଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି ପୀଡ଼ିତା । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହମିରପୁର ଜିଲ୍ଲାରେ ଶୁକ୍ରବାର ଦିନ ବିଦ୍ୟୁତ୍ ବିଭାଗର ଜଣେ ମହିଳା କର୍ମଚାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ତାଙ୍କ ଅଫିସ୍ ଚାମ୍ବର ଭିତରେ ପଶି ନିସ୍ତୁକ ମାଡ଼ ମାରିଛନ୍ତି। ହମିରପୁରର ବିଦ୍ୟୁତ୍ ପରୀକ୍ଷଣ ବିଭାଗରେ ନିଯୁକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବିଶ୍ୱକର୍ମା ଦୀର୍ଘ ଦିନ ଧରି ତାଙ୍କୁ ମାନସିକ ଓ ଶାରୀରିକ ଭାବରେ ହଇରାଣ କରୁଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।

ପୀଡ଼ିତା ଜଣେ ବିଧବା ମହିଳା ହୋଇଥିବା ବେଳେ, ସମ୍ପୃକ୍ତ ଅଧିକାରୀ ବିନା କୌଣସି ସରକାରୀ କାମରେ ତାଙ୍କୁ ବାରମ୍ବାର ନିଜ ଚାମ୍ବରକୁ ଡାକୁଥିଲେ । ଅଭିଯୋଗ ଅନୁଯାୟୀ, ମନୋଜ ବିଶ୍ୱକର୍ମା ତାଙ୍କୁ ଖରାପ ଦୃଷ୍ଟିରେ ଚାହିଁବା ସହ ବ୍ୟକ୍ତିଗତ ଏବଂ ଅଶାଳୀନ ମନ୍ତବ୍ୟ ଦେଉଥିଲେ। କେବଳ ସେତିକି ନୁହେଁ, ସେ ଫୋନ୍ କରି ମହିଳାଙ୍କ ଭଡ଼ା ଘରର ଠିକଣା ମଧ୍ୟ ମାଗିଥିଲେ। ଶୁକ୍ରବାର ଦିନର ଘଟଣା ସମ୍ପର୍କରେ ପୀଡ଼ିତା କହିଛନ୍ତି ଯେ, ଅଧିକାରୀ ଜଣକ ତାଙ୍କୁ ଚାମ୍ବରକୁ ଡାକି କେବେ ଘରକୁ ଚା’ ପିଇବାକୁ ଡାକିବ ବୋଲି ପଚାରିଥିଲେ। ଏହାର ଉତ୍ତରରେ ମହିଳା ଜଣକ ଅଫିସରେ ଚା’ ମଗାଇ ଦେବାକୁ କହିଥିଲେ ମଧ୍ୟ ଘରକୁ ଡାକିବାକୁ ମନା କରିଦେଇଥିଲେ। ଏହାପରେ ଯନ୍ତ୍ରୀ ଜଣକ ତାଙ୍କ ହାତ ଧରି ନିଜ ଆଡ଼କୁ ଟାଣିବାରୁ ମହିଳା ଜଣକ ରାଗିଯାଇ ତାଙ୍କୁ ମାଡ଼ ମାରିଥିଲେ।

ଏହି ଘଟଣାର ଭିଡିଓ ଏବେ ଇଣ୍ଟରନେଟ୍‌ରେ ଘୂରି ବୁଲୁଛି । ଏଥିରେ ମହିଳା ଜଣକ ଅଧିକାରୀଙ୍କୁ ଚାମ୍ବର ଭିତରେ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ଅଫିସର ଅନ୍ୟ କର୍ମଚାରୀମାନେ ମଧ୍ୟ ସେଠାରେ ପହଞ୍ଚି ଅଧିକାରୀଙ୍କ ଏଭଳି ଆଚରଣକୁ ନେଇ ପ୍ରଶ୍ନ ଉଠାଇଥିଲେ। ଅଭିଯୋଗ ଅନୁଯାୟୀ, ଅଧିକାରୀ ଜଣକ ପୂର୍ବରୁ ତାଙ୍କ ହାତର ରେଖା ଦେଖିବା ବାହାନାରେ ତାଙ୍କୁ କିଏ ସାହାଯ୍ୟ କରିବ ବୋଲି କହି ଅଶ୍ଳୀଳ ଇଙ୍ଗିତ କରୁଥିଲେ। ଘଟଣା ପରେ ମାମଲାକୁ ରଫାଦଫା କରିବା ପାଇଁ ତାଙ୍କୁ ଚାପ ପକାଯାଉଥିବା ଏବଂ ଅନ୍ୟ ଜଣେ ସହକାରୀ ଯନ୍ତ୍ରୀ ବାରମ୍ବାର ଫୋନ୍ କରୁଥିବା ସେ ଅଭିଯୋଗ କରିଛନ୍ତି। ନିଜ ସୁରକ୍ଷାକୁ ନେଇ ଭୟଭୀତ ଥିବା ମହିଳା ଜଣକ ଅଭିଯୁକ୍ତ ତାଙ୍କ ଭଡ଼ା ଘରେ ପଶି କ୍ଷତି ପହଞ୍ଚାଇ ପାରନ୍ତି ବୋଲି ଆଶଙ୍କା ପ୍ରକଟ କରି ପୋଲିସ ନିକଟରେ ସୁରକ୍ଷା ଦାବି କରିଛନ୍ତି।

ସେପଟେ ଏହି ସମସ୍ତ ଅଭିଯୋଗକୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବିଶ୍ୱକର୍ମା ଖଣ୍ଡନ କରିଛନ୍ତି। ସେ କୌଣସି ଭୁଲ କରିନାହାନ୍ତି ଏବଂ କେବଳ ସରକାରୀ କାମ କରିବାକୁ କହିବାରୁ ମହିଳା ଜଣକ ତାଙ୍କୁ ଆକ୍ରମଣ କରିବା ସହ ଭିଡିଓ ରେକର୍ଡିଂ କରିଥିବା ସେ ପାଲଟା ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣାରେ ପୀଡ଼ିତାଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଛି। ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ତେବେ ତଦନ୍ତ ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି। ସରକାରୀ ଅଫିସ ଭିତରେ ମହିଳା କର୍ମଚାରୀଙ୍କ ପ୍ରତି ଏଭଳି ଦୁର୍ବ୍ୟବହାର ଖବରକୁ ନେଇ ଦେଶରେ ଚିନ୍ତା ପ୍ରକାଶ ପାଇଛି । ଅନ୍ୟପକ୍ଷରେ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କରିଥିବା ପାଲଟା ଅଭିଯୋଗର ସତ୍ୟତା ଅଛି କି ନାହିଁଳ ତାହା ତଦନ୍ତ ପରେ ଜଣାପଡ଼ିବ ।



Source link

Leave A Reply

Your email address will not be published.