Voice of Eastern India

‘ହେ ଇଶ୍ବର ! ଆମକୁ ଏଭଳି ବନ୍ଧୁଙ୍କ ପାଖରୁ ରକ୍ଷା କର’; ପୋଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବଡ଼ ମନ୍ତବ୍ୟ


ନୂଆଦିଲ୍ଲୀ: ଚୀନର ସେନଜେନଠାରେ ଗୁରୁବାର ଐତିହାସିକ ମହାମିଳନ ଦେଖିବାକୁ ମିଳିଥିଲା । ଆମେରିକା, ରୁଷ ଏବଂ ଚୀନ୍‌ର ରାଷ୍ଟ୍ରପତି ଏକାଠି ହୋଇ ଆଲୋଚନା କରିଥିଲେ । ଏହି ସମୟରେ ପୁଟିନଙ୍କୁ ନିଜର ବନ୍ଧୁ ବୋଲି ଅଭିହିତ କରିଥିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ଏହାକୁ ନେଇ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବର୍ଲିନଠାରେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ସ୍ପଷ୍ଟ କରିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପ ଯଦିଓ ପୁଟିନଙ୍କୁ ନିଜର ବନ୍ଧୁ ବୋଲି ବିବେଚନା କରନ୍ତି, ତଥାପି ‘ବନ୍ଧୁର ବନ୍ଧୁ ଆମର ବନ୍ଧୁ’ ନୀତି ଏଠାରେ ଆଦୌ ଲାଗୁ ହେବ ନାହିଁ ।  ପୁଟିନ କେବେ ବି ପୋଲାଣ୍ଡର ବନ୍ଧୁ ନୁହଁନ୍ତି କିମ୍ବା ଭବିଷ୍ୟତରେ ମଧ୍ୟ ହୋଇପାରିବେ ନାହିଁ।

ଉଲ୍ଲେଖଯୋଗ୍ୟ ଯେ, ଚୀନରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ତ୍ରିପାକ୍ଷିକ ବୈଠକ ପୂର୍ବରୁ ପୁଟିନଙ୍କୁ ଅଭିବାଦନ ଜଣାଇବା ସମୟରେ ଟ୍ରମ୍ପ ତାଙ୍କ ଆଡ଼କୁ ଇଙ୍ଗିତ କରି ‘ସେ କିଏ ? ସେ ମୋର ବନ୍ଧୁ’ ବୋଲି କହିଥିଲେ । ଉଭୟ ପରଷ୍ପର ସହ ହାତ ମିଳାଇବା ସହ ଆଲିଙ୍ଗନ କରିଥିଲେ। ଏହି ଘଟଣା ଉପରେ ମନ୍ତବ୍ୟ ଦେଇ ଟସ୍କ କହିଛନ୍ତି ଯେ, ଟ୍ରମ୍ପଙ୍କ ରାଜନୀତି ମୁଖ୍ୟତଃ ତାଙ୍କର ଶବ୍ଦ ଚୟନ, ଭାଷା ଏବଂ ଜନମତକୁ ଚକିତ କରୁଥିବା କାର୍ଯ୍ୟକଳାପ ଉପରେ ଆଧାରିତ। ରାଷ୍ଟ୍ରପତି ଟ୍ରମ୍ପଙ୍କ କୂଟନୈତିକ ଆଲୋଚନା ଉପରେ ମନ୍ତବ୍ୟ ଦେବା ତାଙ୍କର କାମ ନୁହେଁ ବୋଲି କହିଛନ୍ତି ଟସ୍କ । କିନ୍ତୁ ସେ ଦୃଢ଼ତାର ସହ କହିଛନ୍ତି ଯେ, ପୁଟିନ ସେମାନଙ୍କର ବନ୍ଧୁ ନୁହଁନ୍ତି। ପରବର୍ତ୍ତୀ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ଟସ୍କ ଲେଖିଛନ୍ତି, ‘ଭଗବାନ ଆମକୁ ଏଭଳି ବନ୍ଧୁମାନଙ୍କଠାରୁ ରକ୍ଷା କରନ୍ତୁ ।’

​​​​​​​

ରୁଷ ଏବଂ ୟୁକ୍ରେନ ଉଭୟଙ୍କ ସହ ସୀମା ସେୟାର କରୁଥିବା ନାଟୋ ସଦସ୍ୟ ରାଷ୍ଟ୍ର ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଟସ୍କ ବର୍ଲିନଠାରେ ଆମେରିକୀୟ ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଏବଂ ଜାରେଡ୍ କୁଶନରଙ୍କ ସହ ୟୁକ୍ରେନ ଯୁଦ୍ଧ ସମାପ୍ତି ନେଇ ଆଲୋଚନା କରିବା ପାଇଁ ଉପସ୍ଥିତ ଥିଲେ । ଅନ୍ୟପଟେ, ଦି ଗାର୍ଡିଆନର ରିପୋର୍ଟ ଅନୁଯାୟୀ, ପୋଲାଣ୍ଡର ବୈଦେଶିକ ମନ୍ତ୍ରୀ ରାଡୋସ୍ଲାୱ ସିକୋର୍ସ୍କି ମଧ୍ୟ ପୁଟିନଙ୍କ ସହ ଟ୍ରମ୍ପଙ୍କ ବନ୍ଧୁତ୍ୱପୂର୍ଣ୍ଣ ଆଚରଣକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସିକୋର୍ସ୍କି କହିଛନ୍ତି ଯେ, ପୁଟିନଙ୍କୁ ଆଲିଙ୍ଗନ କରିବା ଏବଂ ବନ୍ଧୁ ବୋଲି କହିବାର ଦୃଶ୍ୟ ସେମାନଙ୍କ ମନରେ କିଛିଟା ଚିନ୍ତା ସୃଷ୍ଟି କରୁଛି ।  ଏହା ଦ୍ୱାରା ପ୍ରଶ୍ନ ଉଠୁଛି ଯେ, ଟ୍ରମ୍ପ କାହାର ଭଲ ବନ୍ଧୁ, ପୁଟିନଙ୍କର ନା ପୋଲାଣ୍ଡ ରାଷ୍ଟ୍ରପତିଙ୍କର ? 

 



Source link

Leave A Reply

Your email address will not be published.