Voice of Eastern India

PM ମୋଦୀଙ୍କ ପ୍ରଶଂସା କରି ଫସିଲେ ସାମ ପିଟ୍ରୋଡା, କଂଗ୍ରେସରେ ଉଠିଲା ବହିଷ୍କାର ଦାବି


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ଏବେ ଭାରତୀୟ ଦରିଆ ପାରି କଂଗ୍ରେସ(IOC)ର ମୁଖ୍ୟ ସାମ ପିଟ୍ରୋଡାଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ବୟାନକୁ ନେଇ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ଆରମ୍ଭ ହୋଇ ଯାଇଛି। IOCର ଉପାଧ୍ୟକ୍ଷ ଜର୍ଜ ଆବ୍ରାହମ ଓ କାନାଡ଼ାରେ ରହୁଥିବା କଂଗ୍ରେସ କର୍ମୀ ଦେବାଂଶୁ ନାରଙ୍ଗ ସାମ ପିଟ୍ରୋଡାଙ୍କ ବିରୋଧରେ ସ୍ଵର ଉଠାଇଛନ୍ତି ଏବଂ ତାଙ୍କୁ ପଦରୁ ହଟାଇବାକୁ ଦାବି କରିଛନ୍ତି।

ନାରଙ୍ଗ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଚିଠି ଲେଖି ସାମ ପିଟ୍ରୋଡାଙ୍କ ବୟାନ ନିନ୍ଦନୀୟ ବୋଲି କହିଛନ୍ତି। ତାଙ୍କ କହିବା କଥା ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା କଂଗ୍ରେସର ଅନେକ କର୍ମୀ ଓ ନେତାଙ୍କୁ ନିରାଶ କରିଛି। ତେଣୁ କାର୍ଯ୍ୟାନୁଷ୍ଠାନସ୍ଵରୂପ ପିଟ୍ରୋଡଙ୍କୁ ତୁରନ୍ତ ଭାରତୀୟ ଦରିଆପାରି କଂଗ୍ରେସର ଅଧ୍ୟକ୍ଷ ପଦରୁ ହଟାଯାଉ।

Also Read: ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ବ୍ୟାନ୍ ପାଇଁ ଉଠିଲା ଦାବି, ପୁସ୍ତକ ଚିରି ପ୍ରତିବାଦ କଲା ଶିବସେନା ସିନ୍ଦେ ଗୋଷ୍ଠୀ

ସେହିପରି IOCର ଉପାଧ୍ୟକ୍ଷ ଜର୍ଜ ଆବ୍ରାହମ ସାମ ପିଟ୍ରୋଡାଙ୍କୁ ମେଲ୍ କରି ନିଜର ଆପତ୍ତି ଉଠାଇଛନ୍ତି। ପିଟ୍ରୋଡାଙ୍କ ଦ୍ଵାରା ମୋଦୀଙ୍କୁ ବହୁତ ମେଳାପୀ, ଦୟାଳୁ ଓ ସ୍ନେହୀ ବ୍ୟକ୍ତି ଦର୍ଶାଇବା ଉପରେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ପିଏମ ମୋଦୀଙ୍କ ପୂର୍ବରୁ ହିଁ ସ୍ଥିତି ମଜବୁତ ରହିଛି। ଏମିତିରେ କଂଗ୍ରେସର ଦରିଆପାରି ୟୁନିଟର ପ୍ରମୁଖ ଯଦି ତାଙ୍କ ଖୋଲାଖୋଲି ପ୍ରଶଂସା କରିବ ତେବେ ସାଧାରଣ ଜନତା ନେତାଙ୍କର ବ୍ୟକ୍ତିଗତ ବନ୍ଧୁତା ଓ ରାଜନୈତିକ ସମର୍ଥନ ମଧ୍ୟରେ ଥିବା ପାର୍ଥକ୍ୟ ବୁଝି ପାରିବେ ନାହିଁ। ଏହା ଦଳ ପାଇଁ ହାନୀକାରକ। ତେଣୁ ତାଙ୍କ ବିରୋଧରେ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ।

କାହିଁକି ଆରମ୍ଭ ହେଲା ବିବାଦ ?

ଏହି ବିବାଦ ଗତ ସପ୍ତାହରେ ଆରମ୍ଭ ହୋଇଛି। ସାମ ପିଟ୍ରୋଡା ପିଏମ ମୋଦୀଙ୍କୁ ନିଜର ପୁରୁଣା ବନ୍ଧୁ ଓ ବହୁତ ଭଲ ଗୁଜରାଟି ବନ୍ଧୁ ଦର୍ଶାଇଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଦୀପାବଳିର ଶୁଭକାମନା ଆଦାନ ପ୍ରଦାନ ହୋଇଥିଲା। ପ୍ରଧାନମନ୍ତ୍ରୀ ସାମ ପିଟ୍ରୋଡାଙ୍କୁ ସାମ ଭାଇ କହି ସମ୍ବୋଧିତ କରିଥିଲେ। ସାମ ପିଟ୍ରୋଡା ମୋଦୀଙ୍କୁ ମେଳାପୀ,  ଦୟାଳୁ ଓ ସ୍ନେହୀ ବ୍ୟକ୍ତି ଦର୍ଶାଇଥିଲେ। ପରେ କଂଗ୍ରେସର ନେତା ଏକ ଗଣମାଧ୍ୟମରେ ନିଜ ବୟାନ ସମର୍ଥନରେ କହିଥିଲେ ଯେ, ବ୍ୟକ୍ତିଗତ ସମ୍ମାନ ଓ ରାଜନୈତିକ ବିରୋଧରେ କୌଣସି ବିରୋଧାଭାସ ନ ଥାଏ।

Also Read: କଂଗ୍ରେସ ମଞ୍ଚରୁ ଇଟାଲୀ ନେତାଙ୍କ ‘ଭୋଟ୍ ଚୋର’ ମନ୍ତବ୍ୟ, FRROରେ ଅଭିଯୋଗ କଲା ବିଜେପି

ଏହି ବିବାଦ ପରେ ବି ସାମ ପିଟ୍ରୋଡା ଆମେରିକା ଗସ୍ତରେ ଥିବା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହିତ ନିରନ୍ତର ନଜର ଆସିଛନ୍ତି। ଏହା ପୂର୍ବରୁ ୨୦୦୪ ମେ ମାସରେ ବିବାଦୀୟ ବୟାନ କାରଣରୁ ସାମ ପିଟ୍ରୋଡାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ମାତ୍ର ଏକ ମାସରେ ତାଙ୍କୁ ପୁଣି ଥରେ ସେହି ପଦରେ ଅବସ୍ଥାପିତ କରାଯାଇଥିଲା।



Source link

Leave A Reply

Your email address will not be published.