Voice of Eastern India

ଗାଧୋଇବା ବେଳେ ବୁଡ଼ିଗଲେ ୨; ଜଣେ ଯୁବକ ଉଦ୍ଧାର, ଯୁବତୀ ନିଖୋଜ


ବ୍ରହ୍ମପୁର: ଧବଳେଶ୍ୱର ସମୁଦ୍ରରେ ଗାଧୋଇବା ବେଳେ ଦୁଇଟି ଅଘଟଣ ଘଟିଛି। ଜଣେ ଯୁବକଙ୍କୁ ଲାଇଫଗାର୍ଡ ଉଦ୍ଧାର କରିଥିବା ବେଳେ ଅନ୍ୟ ଏକ ଘଟଣାରେ ଜଣେ ଯୁବତୀ ନିଖୋଜ ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, କାର୍ତ୍ତିକ ମାସର ଚତୁର୍ଥ ସୋମବାର ସଂକ୍ରାନ୍ତି ପଡ଼ିଥିବାରୁ ଗୋପାଳପୁର ଥାନା ଅନ୍ତର୍ଗତ ଧବଳେଶ୍ୱର ମନ୍ଦିରରେ ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଜମିଥିଲା। ଏହି ଅବସରରେ ଅନେକ ଲୋକ ସମୁଦ୍ରରେ ଗାଧୋଉଥିବା ବେଳେ ଦୁଇଟି ଅଘଟଣ ଘଟିଥିଲା।

ପ୍ରଥମ ଘଟଣାରେ, ଫୁଲଟା ଅଞ୍ଚଳର ଶୁଭମ ସାସମଲ ନିଜ ସାଙ୍ଗମାନଙ୍କ ସହ ଧବଳେଶ୍ୱର ମନ୍ଦିର ନିକଟ ସମୁଦ୍ରରେ ଗାଧୋଉଥିବା ସମୟରେ ଅସାବଧାନତାବଶତଃ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ସେ ବୁଡ଼ିଯାଉଥିବା ଦେଖି ସେଠାରେ ଉପସ୍ଥିତ ଲାଇଫଗାର୍ଡ ଜି. କ୍ରିଷ୍ଣା ଓ ଜି. ଚିଟିବାବୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉଭୟେ ଶୁଭମଙ୍କୁ ସୁରକ୍ଷିତ ଭାବେ କୂଳକୁ ଆଣି ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କ ସାଙ୍ଗମାନଙ୍କ ଜିମା ଦେଇଥିଲେ।

Also Read: ହୁତୁହୁତୁ ହୋଇ ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ​​​​​​​

ସେହିପରି ଦ୍ୱିତୀୟ ଘଟଣାରେ ନୂଆ ଖଜୁରିଆ ଗ୍ରାମର ବଡ଼ସାହିର ପୁଷ୍ପାଞ୍ଜଳି ଦାସ ସମୁଦ୍ରରେ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଛନ୍ତି। ସେ ନିଜର ଚାରି ଜଣ ସାଙ୍ଗଙ୍କ ସହ ଧବଳେଶ୍ୱର ବୁଲିବାକୁ ଆସିଥିଲେ। ସମୁଦ୍ରରେ ଗାଧୋଇବା ସମୟରେ ଚାରି ଜଣଙ୍କ ମଧ୍ୟରୁ ତିନି ଜଣ ଉଦ୍ଧାର ହୋଇଥିବା ବେଳେ ପୁଷ୍ପାଞ୍ଜଳିଙ୍କ ପତ୍ତା ମିଳିନାହିଁ। ଅନ୍ୟପକ୍ଷରେ, ଉଦ୍ଧାର ହୋଇଥିବା ତିନି ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଏନେଇ ଗୁରୁତରଙ୍କ ପରିବାର ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ଗୋଟିଏ ଦିନରେ ଧବଳେଶ୍ୱର ସମୁଦ୍ରରେ ଦୁଇଟି ଅଘଟଣ ଘଟିବା ପରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ସମୁଦ୍ରରେ ଗାଧୋଇବା ସମୟରେ ସତର୍କତା ଅବଲମ୍ବନକୁ ନେଇ ପ୍ରଶ୍ନ ଉଠିଛି।



Source link

Leave A Reply

Your email address will not be published.