ନୂଆଦିଲ୍ଲୀ: କଂଗ୍ରେସ ଦ୍ୱାରା ଆୟୋଜିତ ଭାରତ ସମିଟରେ ବିଦେଶୀ ନେତାଙ୍କ ଦ୍ୱାରା ଦିଆଯାଇଥିବା ରାଜନୈତିକ ବୟାନକୁ ନେଇ ରାଜନୀତି ଜୋର ଧରିଛି । ଏବେ ଏହି ମାମଲାରେ ବିଜେପି ହାଇଦ୍ରାବାଦ ସ୍ଥିତ ଫରେନର୍ ରିଜିଓନାଲ୍ ରେଜିଷ୍ଟ୍ରେସନ ଅଫିସ୍ (ଏଫଆରଆରଓ)ରେ ଅଭିଯୋଗ ଦାଖଲ କରିଛି । ବିଜେପିର ଅଭିଯୋଗ ଅନୁଯାୟୀ, ବିଦେଶୀ ରାଜନୈତିକ ପ୍ରତିନିଧିମାନେ ଭାରତର ଆଭ୍ୟନ୍ତରୀଣ ରାଜନୈତିକ ପ୍ରସଙ୍ଗରେ ମନ୍ତବ୍ୟ ଦେଇ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିଛନ୍ତି ।
ତେଲଙ୍ଗାନା ବିଜେପି ସଭାପତି ଏନ୍.ରାମଚନ୍ଦର ରାଓ ଶାମଶାବାଦ ସ୍ଥିତ ଏଫଆରଆରଓ କାର୍ଯ୍ୟାଳୟରେ ଏହି ଅଭିଯୋଗ ଦାଖଲ କରିଛନ୍ତି । ଇଟାଲୀୟ ରାଜନେତା ଜିଆକୋମୋ ଫିଲିବେକଙ୍କ ମନ୍ତବ୍ୟକୁ ସେ ଉତ୍ତେଜନାମୂଳକ ବୋଲି ଦର୍ଶାଇଛନ୍ତି ।
#WATCH | Hyderabad, Telangana: BJP Telangana State President N. Ramchander Rao has lodged an official complaint with the Foreigners Regional Registration Office (FRRO) in Shamshabad, Hyderabad, over what he termed provocative political remarks made by foreign political representatives at the Bharat Summit held in Hyderabad. (Video: Telangana BJP)
— ANI (@ANI) November 16, 2026
ପାର୍ଟି ଅଫ୍ ୟୁରୋପିଆନ୍ ସୋସିଆଲିଷ୍ଟସର ସାଧାରଣ ସମ୍ପାଦକ ଜିଆକୋମୋ ଫିଲିବେକ୍ ନଭେମ୍ବର ୧୪ରେ କଂଗ୍ରେସ ଦ୍ୱାରା ଆୟୋଜିତ ସମ୍ମିଳନୀରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସେ ଭାରତରେ ଗଣତନ୍ତ୍ର ବିପଦରେ ଥିବା କହିବା ସହ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ସମର୍ଥନରେ ଅନ୍ତର୍ଜାତୀୟ ସମର୍ଥନ ଲୋଡ଼ିଥିଲେ । ଏପରି କି ସେ ନିଜ ଭାଷଣରେ କଂଗ୍ରେସ ଏବଂ ବିରୋଧୀ ଦେଉଥିବା ନାରା ‘ଭୋଟ୍ ଚୋର, ଗଦ୍ଦି ଛୋଡ଼’ ସ୍ଲୋଗାନ ମଧ୍ୟ ଦେଇଥିଲେ ।
ଫିଲିବେକଙ୍କ ଏହି ମନ୍ତବ୍ୟକୁ ନେଇ ବିଜେପି ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସମାଲୋଚନା କରିଛି । ତେଲଙ୍ଗାନା ବିଜେପି ସଭାପତି ଅଭିଯୋଗ କରିଛନ୍ତି ଯେ, ଫିଲିବେକଙ୍କ ମନ୍ତବ୍ୟ ସମୟରେ ରାହୁଲ ଗାନ୍ଧୀ ତାଳି ମାରି ସମର୍ଥନ ଜଣାଇଥିଲେ । ବିଜେପିର କହିବା ଅନୁଯାୟୀ, ଅନ୍ୟ ଦେଶର ରାଜନୈତିକ ପ୍ରତିନିଧିମାନେ ଭାରତର ଆଭ୍ୟନ୍ତରୀଣ ରାଜନୀତିରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ । ଫିଲିବେକଙ୍କ ମନ୍ତବ୍ୟକୁ ନେଇ ଇଟାଲୀରେ ମଧ୍ୟ ସମାଲୋଚନା ହୋଇଛି । ଇଟାଲୀୟ ସାଂସଦ ଡେବୋରା ବର୍ଗାମିନି ତାଙ୍କ ମନ୍ତବ୍ୟକୁ ନନ୍ଦା କରିଛନ୍ତି ।
