Voice of Eastern India

ରଘୁନାଥପୁରରେ ବିଧାୟକଙ୍କୁ ଆକ୍ରମଣ ଓ ହତ୍ୟା ଧମକ ଅଭିଯୋଗ: ବ୍ଲକ ବିଜେଡି ସଭାପତିଙ୍କ ସମେତ ୫ ଗିରଫ


ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକରେ ଭତ୍ତା ବଣ୍ଟନକୁ କେନ୍ଦ୍ର କରି ଉତ୍ତେଜନା ଓ ଗଣ୍ଡଗୋଳ ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ରଘୁନାଥପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତଥା ବ୍ଲକ ବିଜେଡି ସଭାପତି ଦେବାଶିଷ ତ୍ରିପାଠୀ ଅଛନ୍ତି। ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇଙ୍କୁ ଅଶାଳୀନ ବ୍ୟବହାର, ବନ୍ଧୁକ ଦେଖାଇ ହତ୍ୟା ଧମକ ଏବଂ ଜାତିଆଣ ଆକ୍ଷେପ କରିବା ଅଭିଯୋଗରେ ଏହି ଗିରଫଦାରୀ ହୋଇଛି।

ସୂଚନା ଅନୁଯାୟୀ, ଗତକାଲି ରଘୁନାଥପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଭତ୍ତା ବଣ୍ଟନ ଚାଲିଥିବା ସମୟରେ ହଠାତ୍ ଉତ୍ତେଜନା ଦେଖାଦେଇଥିଲା। ଏହି ସମୟରେ କିଛି ବିଜେଡି ସମର୍ଥକ ବିଧାୟକ ରମାକାନ୍ତ ଭୋଇ ଓ ରଘୁନାଥପୁର ବିଡିଓ ପ୍ରୀତିଶ ଭୋଇଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି। ଏପରିକି ଉଭୟଙ୍କୁ ଘେରାଉ କରି ରଖିବା ସହ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ଏତଲାରେ ଦର୍ଶାଯାଇଛି। 

ଏହି ଘଟଣାକୁ ନେଇ ବିଧାୟକ ରମାକାନ୍ତ ଭୋଇ ଓ ବିଡିଓ ପ୍ରୀତିଶ ଭୋଇ ପୃଥକ୍ ପୃଥକ୍ ଭାବେ ରଘୁନାଥପୁର ଥାନାରେ ଅଭିଯୋଗ କରିଥିଲେ। ଏତଲା ଆଧାରରେ ପୋଲିସ ତଦନ୍ତ କରି ଦେବାଶିଷ ତ୍ରିପାଠୀଙ୍କ ସମେତ ଅନ୍ତର୍ଯ୍ୟାମୀ ରାଉତ, ରବୀନ୍ଦ୍ର ସାହୁ, ବଟକୃଷ୍ଣ ନାୟକ ଓ ରାମଚନ୍ଦ୍ର ବେହେରାଙ୍କୁ ଗିରଫ କରିଛି।

Also Read: ଖଣ୍ଡୁଆ ପାଟକୁ ଅସମ୍ମାନ ଗ୍ରହଣୀୟ ନୁହେଁ, କ’ଣ ରହିଛି ନିୟମ ?

ଏହି ଘଟଣାରେ ବିଧାୟକ ଓ ବିଡିଓଙ୍କ ପକ୍ଷରୁ ମୋଟ ୧୮ ଜଣଙ୍କ ନାମରେ ପୃଥକ୍ ଏତଲା ଦାଖଲ ହୋଇଥିବା ଜଣାପଡ଼ିଛି। ଗିରଫ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଉଛି। ଅନ୍ୟପକ୍ଷରେ, ଘଟଣାକୁ ନେଇ ଉତ୍ତେଜନା ଆଶଙ୍କାରେ ଜଗତସିଂହପୁର ଜିଲ୍ଲା କୋର୍ଟ ପରିସରରେ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗିରଫଦାରୀକୁ ନେଇ ବିଜେଡି ନେତା ପ୍ରତାପ ଜେନା ଓ ପ୍ରଶାନ୍ତ ମୁଦୁଲିଙ୍କ ସମେତ ଦଳୀୟ କର୍ମୀମାନେ କୋର୍ଟ ନିକଟରେ ପହଞ୍ଚି ଏହାକୁ ନିନ୍ଦା କରିଛନ୍ତି।ଘଟଣାକୁ ନେଇ ରଘୁନାଥପୁର ଅଞ୍ଚଳରେ ରାଜନୈତିକ ଉତ୍ତେଜନା ଜାରି ରହିଥିବା ବେଳେ ପୋଲିସର ପରବର୍ତ୍ତୀ ତଦନ୍ତ ଓ ଆଇନଗତ ପଦକ୍ଷେପ ଉପରେ ନଜର ରହିଛି।



Source link

Leave A Reply

Your email address will not be published.