ନୂଆଦିଲ୍ଲୀ: ଦିଗ୍ଗଜ ଚିପ୍ ନିର୍ମାତା ଏନଭିଡିଆ ସିଇଓ ପଦରୁ ଜେନସେନ ହୁଆଙ୍ଗଙ୍କ ଇସ୍ତଫାର ପ୍ରଭାବ କମ୍ପାନୀର ସେୟାର ଉପରେ ପଡିଛି। ହୁଆଙ୍ଗଙ୍କ ଇସ୍ତଫା ସାମ୍ନାକୁ ଆସିବା ପରେ ପ୍ରାରମ୍ଭିକ କାରବାରରେ ଏନଭିଡିଆ ସେୟାର ମୂଲ୍ୟରେ ୧୪% ପର୍ଯ୍ୟନ୍ତ ହ୍ରାସ ଦେଖାଯାଇଛି। ଏହି ଘଟଣାକ୍ରମର ପ୍ରଭାବ ଆମେରିକା ସେୟାର ବଜାରରେ ମଧ୍ୟ ଦେଖାଯାଇଛି। ଏହା ଦ୍ୱାରା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସେକ୍ଟରର ଅଭିବୃଦ୍ଧି ନ ଅଟକି ଯାଏ ସେ ନେଇ ନିବେଶକ ଏବେ ଚିନ୍ତାରେ ପଡିଛନ୍ତି।
ଏନଭିଡିଆ ସେୟାରରେ ଦେଖାଦେଇଥିବା ହ୍ରାସ ଆମେରିକାର ମୁଖ୍ୟ ସେଆର ସୂଚକାଙ୍କ ଉପରେ ମଧ୍ୟ ପଡିଛି। ପ୍ରାରମ୍ଭିକ କାରବାରରେ ଏସ୍ ଆଣ୍ଡ ପି ୫୦୦ ପାଖାପାଖି ୦.୭% ତଳକୁ ଖସି ଆସିଛି। ସେହିପରି ଟେକ୍ କମ୍ପାନୀଙ୍କ ଉପରେ ଆଧାରିତ ନାସଦାକ୍ କମ୍ପୋଜିଟ୍ ରେ ପାଖାପାଖି ୧.୫% ହ୍ରାସ ଦେଖାଯାଇଛି। ଗତ କିଛି ବର୍ଷ ହେଲା ଏଆଇ କମ୍ପାନୀଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଆମେରିକୀୟ ସେୟାର ବଜାରକୁ ଲଗାତାର ନୂଆ ଉଚ୍ଚତା ପ୍ରଦାନ କରୁଥିଲା। ଏଥିରେ ଏନଭିଡିଆ ଭଳି ବଡ଼ କମ୍ପାନୀର ନେତୃତ୍ୱ ପରିବର୍ତ୍ତନ ଖବର ନିବେଶକଙ୍କ ଚିନ୍ତାର କାରଣ ପାଲଟିଛି।
ଜେନସେନ ହୁଆଙ୍କ ୧୯୯୩ ମସିହାରେ ଏନଭିଡିଆ ସ୍ଥାପନାରେ ସହଯୋଗ କରିଥିଲେ ଓ ସେବେଠାରୁ କମ୍ପାନୀର ନେତୃତ୍ୱ ନେଇ ଆସୁଥିଲେ। ହେଲେ ଗତ ଦିନରେ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କିତ ବିବାଦ ଓ ଜାତୀୟ ସୁରକ୍ଷା ସମ୍ପର୍କିତ ଚିନ୍ତାର ଖବର ସାମ୍ନାକୁ ଆସୁଛି। ରିପୋର୍ଟ ଅନୁସାରେ ଏକ କଥିତ ବିବହୋତ୍ତର ସମ୍ପର୍କ ଯୋଗୁ ବିବାଦ ବଢିଥିଲା। ଏହି ମାମଲାରେ ଚୀନ ଲାଗି ଗୋଇନ୍ଦାଗିରି କରୁଥିବା ମହିଳାଙ୍କ ନାମ ସାମ୍ନାକୁ ଆସିଛି। ତେବେ ଏହି ସବୁ ଅଭିଯୋଗର ଯାଞ୍ଚ ଓ ତାଙ୍କ ସମ୍ପର୍କିତ ତଥ୍ୟକୁ ନେଇ ଅଲଗା ଅଲଗା ସ୍ତରରେ ସ୍ପଷ୍ଟ ହେବା ବାକି ରହିଛି।
ଏନଭିଡିଆ ଚିପ୍ ଏଆଇ ମଡେଲକୁ ପ୍ରଶିକ୍ଷିତ କରିବା ଓ ଚଳାଇବାରେ ଉପଯୋଗ ହୁଏ। ବିଶ୍ୱର ଅନେକ ବଡ଼ କମ୍ପାନୀ ଏହାର ପ୍ରୋସେସର ଓ କମ୍ପ୍ୟୁଟିଂ ସିଷ୍ଟମ ଉପରେ ନିର୍ଭରଶୀଳ। ଏଥିରେ କମ୍ପାନୀର ଶୀର୍ଷ ନେତୃତ୍ୱରେ ଅଚାନକ ପରିବର୍ତ୍ତନ ଏଆଇ ବଜାରର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛି। ତେବେ ଗୁରୁବାରର ବ୍ୟବସାୟ ଆରମ୍ଭ କାଳରେ ଏନଭିଡିଆର କିଛି ପ୍ରତିଦ୍ୱନ୍ଦ୍ୱୀ ଚିପ୍ କମ୍ପାନୀ ସେୟାରରେ ବୃଦ୍ଧି ଦେଖାଯାଇଛି।
