ପାଲକ୍କଡ଼: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସହ ପିଲାଦିନ ବିତାଇଥିଲେ। ଆଜାଦ ହିନ୍ଦ ଫୌଜ୍ ଶିବିରରେ ନେତାଜୀଙ୍କ ସ୍ନେହ ଓ ସାନ୍ନିଧ୍ୟ ପାଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବୋମାମାଡ଼ର ଭୟାବହ ଅନୁଭୂତିକୁ ମଧ୍ୟ ଅତି ନିକଟରୁ ଦେଖିଥିଲେ। ହେଲେ ଆଉ ନାହାନ୍ତି ନେତାଜୀଙ୍କ ସ୍ମୃତିକୁ ନିଜ ଭିତରେ ସାଇତି ରଖିଥିବା କେରଳର ପୋଷ୍ୟ କନ୍ୟା ରାଧା। ୮୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ତାଙ୍କ ବିୟୋଗ ସହ ନେତାଜୀ, ଆଜାଦ ହିନ୍ଦ ଫୌଜ୍ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମର ଏକ ଜୀବନ୍ତ ଅଧ୍ୟାୟର ଅବସାନ ଘଟିଛି।
ରାଧା ମୂଳତଃ ଥାଇଲାଣ୍ଡର ବାସିନ୍ଦା ଥିଲେ। ତାଙ୍କୁ କେରଳର କରଲମନ୍ନା ଅଞ୍ଚଳର ଡାକ୍ତର କୃଷ୍ଣ ପୋଥୁଭାଲ ଓ ତାଙ୍କ ପତ୍ନୀ ନାରାୟଣୀକୁଟ୍ଟି ପୋଥୁଭାଲସ୍ୟାର ଝିଅ ଭାବେ ପୋଷ୍ୟ ଗ୍ରହଣ କରିଥିଲେ। ଏହି ଦମ୍ପତି ଆଜାଦ ହିନ୍ଦ ଫୌଜ୍ ସହ ଜଡ଼ିତ ଥିଲେ। ଡାକ୍ତର କୃଷ୍ଣ ପୋଥୁଭାଲ ଆଜାଦ ହିନ୍ଦ ଫୌଜ୍ର ଅଗ୍ରଭାଗରେ ରହି କାର୍ଯ୍ୟ କରୁଥିଲେ। ତାଙ୍କ ପରିବାର ସହ ନେତାଜୀଙ୍କ ରେଜିମେଣ୍ଟ ବାହିନୀ ଥିବା ବ୍ୟାଙ୍କକ୍ରେ ରାଧାଙ୍କ ପିଲାଦିନ କଟିଥିଲା।
ପରିବାର ସୂତ୍ରରୁ ଜଣାପଡ଼ିଛି ଯେ, ସେହି ସମୟରେ କ୍ୟାପଟେନ୍ ଲକ୍ଷ୍ମୀଙ୍କ ପରି ଅନେକ ପ୍ରମୁଖ ବ୍ୟକ୍ତିତ୍ୱ ଭାରତର ସ୍ୱାଧୀନତା ପାଇଁ ଆଜାଦ ହିନ୍ଦ ଫୌଜ୍ର ସଂଗ୍ରାମରେ ସାମିଲ ଥିଲେ। ନେତାଜୀଙ୍କ ସହ ବିତାଇଥିବା ସେହି ଦିନଗୁଡ଼ିକର ସ୍ମୃତି ରାଧାଙ୍କ ମନରେ ସାରା ଜୀବନ ରହିଥିଲା। ନେତାଜୀ କିପରି ଖେଳିବା ସମୟରେ ଖୁଣ୍ଟ ପଛରେ ଲୁଚି ରହି ତାଙ୍କୁ ଡରାଉଥିଲେ ଏବଂ ମଜାଳିଆ ଢଙ୍ଗରେ ଚିଡ଼ାଉଥିଲେ, ସେକଥା ସେ ପ୍ରାୟତଃ ମନେ ପକାଉଥିଲେ। ୧୯୪୬ ମସିହାରେ ମାତ୍ର ୭ ବର୍ଷ ବୟସରେ ରାଧା କେରଳ ଆସିଥିଲେ। ଏଠାରେ ମାଲାପ୍ପୁରମ୍ ଜିଲ୍ଲାର ପୁକ୍କାଟ୍ଟିରି ସ୍କୁଲରେ ତାଙ୍କର ପାଠପଢ଼ା ଆରମ୍ଭ ହୋଇଥିଲା। ଧୀରେ ଧୀରେ ସେ ସ୍ଥାନୀୟ ସମାଜ ଓ ପରିବେଶ ସହ ଖାପଖୁଆଇ ନେଇଥିଲେ।
୧୯୬୯ ମସିହାରେ ମାଲାପ୍ପୁରମ୍ ଜିଲ୍ଲାର ଆଲିପ୍ପାରମ୍ବାସ୍ଥିତ ପାଡିପ୍ପୁରକ୍କଲର ରାଜଗୋପାଳନ ନାୟାରଙ୍କୁ ବିବାହ କରିଥିଲେ। ପରେ ସେ କରଲମନ୍ନାରେ ସ୍ଥାୟୀ ଭାବେ ରହିଥିଲେ। ତାଙ୍କ ସ୍ୱାମୀଙ୍କର ପୂର୍ବରୁ ଦେହାନ୍ତ ହୋଇଥିବା ବେଳେ ପୁଅ ହରିଗୋବିନ୍ଦନଙ୍କର ମଧ୍ୟ ମୃତ୍ୟୁ ହୋଇସାରିଥିଲା। ତାଙ୍କ ପଛରେ ଝିଅ ଶ୍ରୀଲତା ଓ ଜ୍ୱାଇଁ ଆଇ.ଆର୍. ପ୍ରସାଦଙ୍କ ସମେତ ଅନ୍ୟ ପରିବାର ସଦସ୍ୟ ରହିଛନ୍ତି। ଶ୍ରୀଲତା ତ୍ରିକ୍କାଡେରି ପିଟିଏମ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଅଛନ୍ତି। ଜ୍ୱାଇଁ ଆଇ.ଆର୍. ପ୍ରସାଦ ପାଲକ୍କଡ଼ ଜିଲ୍ଲାର ଜିଲ୍ଲା ସୂଚନା ଅଧିକାରୀ ଭାବେ କାର୍ଯ୍ୟରତ। ଜୀବନର ଶେଷ ପର୍ଯ୍ୟାୟରେ ରାଧା ସ୍ମୃତିଶକ୍ତି ହରାଇବା ସମସ୍ୟାରେ ପୀଡ଼ିତ ଥିଲେ। ଗୁରୁବାର ସକାଳ ୧୦ଟାରେ କରଲମନ୍ନାସ୍ଥିତ ତାଙ୍କ ବାସଭବନରେ ଚିରନିଦ୍ରାରେ ସୋଇଗଲେ ରାଧା ।
also read- ଦୁଇ ତୃତୀୟାଂଶ ବହୁମତ ପାଖାପାଖି ମୋଦି ସରକାର, ଡିଲିମିଟେସନ ବିଲ୍ ପାଇଁ ଡକାଇ ପାରନ୍ତି ସଂସଦ ଅଧିବେଶନ
ପରିବାର ସଦସ୍ୟଙ୍କ କହିବା ଅନୁସାରେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟାଙ୍କକ୍ରେ ହୋଇଥିବା ବୋମାମାଡ଼କୁ ମଧ୍ୟ ରାଧା ନିଜ ଆଖିରେ ଦେଖିଥିଲେ। ବୋମା ଆକ୍ରମଣରୁ ବର୍ତ୍ତିବା ପାଇଁ କାଠ ପଟାରେ ଘୋଡ଼ାଯାଇଥିବା କୋଠା ତଳେ ସେ ଅନ୍ୟମାନଙ୍କ ସହ ଭୟରେ ଲୁଚି ରହୁଥିଲେ। ସେହି ଭୟାବହ ଦିନଗୁଡ଼ିକର କାହାଣୀ ମଧ୍ୟ ସେ ପରିବାର ସଦସ୍ୟଙ୍କୁ ଶୁଣାଉଥିଲେ। ନେତାଜୀଙ୍କ ସ୍ନେହ, ଆଜାଦ ହିନ୍ଦ ଫୌଜ୍ର ଶିବିରରେ ବିତାଇଥିବା ପିଲାଦିନ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧର ଅନୁଭୂତିକୁ ନେଇ ରାଧାଙ୍କ ଜୀବନ ଇତିହାସର ଏକ ଅଭୁଲା ଅଧ୍ୟାୟ ହୋଇ ରହିବ। ତାଙ୍କ ବିୟୋଗ ସହ ନେତାଜୀଙ୍କ ସହ ସିଧାସଳଖ ସମୟ ବିତାଇଥିବା ଜଣେ ମଣିଷଙ୍କ ମୁଖରୁ ସେହି ସମୟର ସ୍ମୃତି ଶୁଣିବାର ଏକ ଅମୂଲ୍ୟ ସୁଯୋଗ ମଧ୍ୟ ହଜିଗଲା।
