ନୂଆଦିଲ୍ଲୀ ,୧୨ /୧୧ -; ଦେଶରେ ମହଙ୍ଗା ମାଡ଼ ଆହୁରି ବଢ଼ିପାରେ। ଅକ୍ଟୋବର ମାସରେ ଖୁଚୁରା ମହଙ୍ଗା ହାର ପ୍ରାୟ ୬ ପ୍ରତିଶତ ରହିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ନଭେମ୍ବର ୧୨ ତାରିଖରେ ଏହାର ସରକାରୀ ତଥ୍ୟ ପ୍ରକାଶ ପାଇବ । ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ମହଙ୍ଗା ହାର ୫.୫୪ ପ୍ରତିଶତ ଥିଲା। ଅର୍ଥାତ୍ ଅକ୍ଟୋବରରେ ଏହା ଆହୁରି ବଢ଼ିପାରେ। ଏହାର ମୁଖ୍ୟ କାରଣ ହେଉଛି ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ବୃଦ୍ଧି।
କାହିଁକି ବଢ଼ୁଛି ମହଙ୍ଗା?
ବଜାରରେ କୌଣସି ସାମଗ୍ରୀର ଚାହିଦା ବଢ଼ିଲେ ଏବଂ ତାହା ଅନୁସାରେ ଯୋଗାଣ ନ ହେଲେ ଦାମ୍ ବଢ଼ିଯାଏ। ଉଦାହରଣ ସ୍ୱରୂପ, ବଜାରରେ ପିଆଜର ଚାହିଦା ଅଧିକ ଥିବା ବେଳେ ଯଦି ପିଆଜ କମ୍ ଆସେ, ତେବେ ଏହାର ଦାମ୍ ବଢ଼ିଯାଏ। ଏହିଭଳି ଅନେକ ଖାଦ୍ୟ ସାମଗ୍ରୀର ଦାମ୍ ବଢ଼ିଲେ ସାଧାରଣ ଲୋକଙ୍କ ଘର ଖର୍ଚ୍ଚ ମଧ୍ୟ ବଢ଼ିଯାଏ।
୬ ପ୍ରତିଶତ ମହଙ୍ଗା ହାରର ଅର୍ଥ କ’ଣ?
ଏହାକୁ ଏକ ସହଜ ଉଦାହରଣରୁ ବୁଝିବା। ଧରନ୍ତୁ, ଗତବର୍ଷ ଅକ୍ଟୋବର ମାସରେ ଆପଣ ୧୦୦ ଟଙ୍କାରେ କିଛି ଜିନିଷ କିଣୁଥିଲେ। ଯଦି ମହଙ୍ଗା ହାର ୬ ପ୍ରତିଶତ ହୁଏ, ତେବେ ସେହି ସମାନ ସାମଗ୍ରୀ କିଣିବା ପାଇଁ ଏବେ ପ୍ରାୟ ୧୦୬ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଅର୍ଥାତ୍ ଆଗରୁ ଯେଉଁ ଜିନିଷ ୧୦୦ ଟଙ୍କାରେ ମିଳୁଥିଲା, ତାହା ପାଇଁ ଏବେ ୬ ଟଙ୍କା ଅଧିକ ଦେବାକୁ ପଡ଼ିବ। ତେବେ ଏହାର ଅର୍ଥ ନୁହେଁ ଯେ ସବୁ ଜିନିଷର ଦାମ୍ ୬ ପ୍ରତିଶତ ବଢ଼ିଛି। ଏହା ଅନେକ ସାମଗ୍ରୀ ଓ ସେବାର ଦାମ୍କୁ ମିଶାଇ ହିସାବ କରାଯାଇଥିବା ହାରାହାରି ବୃଦ୍ଧି।
ମହଙ୍ଗା ହେଲେ ସାଧାରଣ ଲୋକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ?ମହଙ୍ଗା ହାର ବଢ଼ିଲେ ଲୋକଙ୍କ ଦୈନନ୍ଦିନ ଖର୍ଚ୍ଚ ବଢ଼ିଯାଏ। ଚାଉଳ, ଡାଲି, ତେଲ, ପରିବା ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହୁଏ। ଫଳରେ ମାସିକ ଘର ଖର୍ଚ୍ଚ ବଢ଼ିଯାଏ ଏବଂ ସଞ୍ଚୟ କମିଯାଏ। ସେଥିପାଇଁ ମହଙ୍ଗା ହାର ଉପରେ ସରକାର ଓ ରିଜର୍ଭ ବ୍ୟାଙ୍କ ନଜର ରଖିଥାନ୍ତି। ମହଙ୍ଗା ହାର ଅଧିକ ବଢ଼ିଲେ ରିଜର୍ଭ ବ୍ୟାଙ୍କ ସୁଧ ହାର ବଢ଼ାଇବା ଭଳି ପଦକ୍ଷେପ ନେଇପାରେ। ଏହାର ପ୍ରଭାବ ଘର ଋଣ ଓ ଅନ୍ୟାନ୍ୟ ଋଣର ସୁଧ ଉପରେ ମଧ୍ୟ ପଡ଼ିପାରେ। ତେଣୁ ଅକ୍ଟୋବର ମାସର ମହଙ୍ଗା ହାର କେତେ ରହୁଛି, ତାହା ଉପରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଅର୍ଥନୀତି ବିଶେଷଜ୍ଞଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନଜର ରହିଛି।
