Voice of Eastern India

ପୁଣି କରୋନାର ୟୁଟର୍ଣ୍ଣ , ନୂଆ ଭାରିଏଣ୍ଟ ଚିହ୍ନଟ ପରେ ବିଶ୍ୱରେ ଆତଙ୍କ…


ଓଟାୱା ୧୧/୧୧ : କରୋନା ମହାମାରୀର ଭୟ ମନରୁ ନଲିଭୁଣୁ ପୁଣି ଥରେ ନୂଆ ରୂପରେ ସାମ୍ନାକୁ ଆସିଛି କରୋନା ଭାଇରସ୍। ବିଶ୍ୱର ବିଭିନ୍ନ ଦେଶରେ ଏବେ ଚର୍ଚ୍ଚାରେ କରୋନାର ନୂଆ ଭାରିଏଣ୍ଟ PJ.2.1। ବୈଜ୍ଞାନିକଙ୍କ ମତରେ, ଏହି ଭାରିଏଣ୍ଟରେ ଅନେକ ଜେନେଟିକ୍ ପରିବର୍ତ୍ତନ ଦେଖିବାକୁ ମିଳିଛି । ତେବେ ଏହା କେତେ ସଂକ୍ରାମକ ? କେତେ ଭୟଙ୍କର ଏହି ନୂଆ ଭାରିଏଣ୍ଟ ? ଏବଂ ଭାରତ ପାଇଁ କେତେଦୂର ବିପଦଜନକ ? ଆସନ୍ତୁ ଜାଣିବା ।

କରୋନା ଭାଇରସର ଏହି ନୂଆ ଅବତାର ପୂର୍ବ ଅପେକ୍ଷା ଅଧିକ ବିପଦ ବୋଲି କୁହାଯାଉଛି । PJ.2.1 ନାମକ ଏକ ନୂତନ ଭୂତାଣୁ ଚିହ୍ନଟ ହେବା ପରେ ଏହାକୁ ନେଇ ଏବେ ଚାରିଆଡେ ଖେଳିଯାଇଛି ଆତଙ୍କ । PJ.2.1 ହେଉଛି କରୋନାଭାଇରସର ଏକ ନୂତନ ପ୍ରକାର, SARS-CoV-2 । ଏହା ଓମିକ୍ରନ୍ ବଂଶର ଏକ ଉପ-ଭାରିଏଣ୍ଟ । ବୈଜ୍ଞାନିକମାନେ ରିସର୍ଚ୍ଚ କରୁଛନ୍ତି ଯେ ଏହି ଭାରିଏଣ୍ଟ କେତେ ଶୀଘ୍ର ମଣିଷ ଶରୀରରେ ବ୍ୟାପିପାରେ ଏବଂ ରୋଗ ପ୍ରତିରୋଧକ ଶକ୍ତି ଉପରେ କେତେ ପ୍ରଭାବ ପକାଇବ। ଜର୍ମାନ ବୈଜ୍ଞାନିକ ମାର୍କସ୍ ହଫମ୍ୟାନ୍ ଏବଂ ତାଙ୍କ ଦଳ PJ.2.1 ର ସଂକ୍ରମଣ ଢାଞ୍ଚା ଏବଂ ଏହାର ସ୍ପାଇକ୍ ପ୍ରୋଟିନର ଆଚରଣ ଅଧ୍ୟୟନ କରିଥିଲେ। ଏଥିରୁ ପ୍ରକାଶ ପାଇଥିଲା ଯେ PJ.2.1ରେ କିଛିଟା ପରିବର୍ତ୍ତନ ଅଛି ଯାହା ଏହାକୁ ମାନବ ଶରୀରର କୋଷରେ ପ୍ରବେଶ କରିବାରେ ସାହାଯ୍ୟ କରିପାରେ ।

ମିଳିଥିବା ସୂଚନା ଅନୁଯାଇ PJ.2.1 ପ୍ରଥମ ଥର ଗତ ମେ ମାସରେ କାନାଡାର ଅଣ୍ଟାରିଓରେ ଚିହ୍ନଟ ହୋଇଥିଲା । ପରବର୍ତ୍ତୀ ସମୟରେ, ଆମେରିକା, ୟୁରୋପ ଏବଂ ଏସିଆର କିଛି ଅଂଶରେ ଏହାର କାୟାବିସ୍ତାର କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଏହା ବ୍ୟାପିବା ସହିତ, COVID-19 ର ଆଉ ଏକ ଲହରୀ ଆଣିପାରେ ବୋଲି ଆକଳନ କରାଯାଉଛି । ତେବେ ଏହି ନୂଆ ଭାରିଏଣ୍ଟକୁ ନେଇ ଏବେଠାରୁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ । ପ୍ରାଥମିକ ଗବେଷଣାରେ ଏହା ପୂର୍ବ ଭାରିଏଣ୍ଟ ତୁଳନାରେ ଅଧିକ ଗୁରୁତର ବୋଲି କୌଣସି ଠୋସ୍ ପ୍ରମାଣ ଏଯାଏଁ ମିଳିନାହିଁ । ସେପଟେ ଏହି ଭାରିଏଣ୍ଟ ଭାରତରେ ଚିହ୍ନଟ ହୋଇଥିବା ନେଇ ସ୍ପଷ୍ଟ ତଥ୍ୟ ମିଳିନାହିଁ। ତଥାପି ଦେଶରେ ସତର୍କ ସୂଚନା ଜାରି କରାଯାଇଛି । ଏଥିସହ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ବ୍ୟବହାର, ହାତ ସଫା ରଖିବା ଏବଂ ଥଣ୍ଡା, କାଶ କିମ୍ବା ଜ୍ୱର ଭଳି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି ।



Source link

Leave A Reply

Your email address will not be published.