କଟକ: କଟକରୁ ପୁଣିଥରେ ଜବତ ହୋଇଛି ବ୍ରାଉନ୍ ସୁଗାର। ଜଗତପୁର ଥାନା ଅନ୍ତର୍ଗତ ଖଇରା କେନାଲ ରୋଡ୍ରେ ଚଢ଼ାଉ କରି ଅବକାରୀ ବିଭାଗ ୧୪୬ ଗ୍ରାମ ବ୍ରାଉନ୍ ସୁଗାର ସହ ଏକ ବାଇକ୍ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ଖଇରା କେନାଲ ରୋଡ୍ ଦେଇ ବ୍ରାଉନ୍ ସୁଗାର ଚୋରା ଚାଲାଣ ହେଉଥିବା ନେଇ କଟକ ଅବକାରୀ ଗୁଇନ୍ଦା ବିଭାଗକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହି ଆଧାରରେ ଗୁଇନ୍ଦା ଟିମ୍ ଉକ୍ତ ଅଞ୍ଚଳରେ ଛକି ରହିଥିଲେ। ଏହି ସମୟରେ ସାଲେପୁର ଗରୁଡ଼ାପୁର ଗ୍ରାମର ୩୦ ବର୍ଷୀୟ ପ୍ରଶାନ୍ତ ବେହୁରା ବ୍ରାଉନ୍ ସୁଗାର ବିକ୍ରି କରୁଥିବା ବେଳେ ଅବକାରୀ ଟିମ୍ ତାଙ୍କୁ କାବୁ କରିଥିଲା।
Also Read: ୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ : ଜଣେ ଗିରଫ
ତାଙ୍କ ନିକଟରୁ ୧୪୬ ଗ୍ରାମ ବ୍ରାଉନ୍ ସୁଗାର ଓ ଏକ ବାଇକ୍ ଜବତ କରାଯାଇଥିଲା। ଜବତ ବ୍ରାଉନ୍ ସୁଗାରର ଆନୁମାନିକ ବଜାର ମୂଲ୍ୟ ୧୪ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ପ୍ରଶାନ୍ତ ବେହୁରାଙ୍କୁ ଗିରଫ କରି ଅବକାରୀ ବିଭାଗ କୋର୍ଟ ଚାଲାଣ କରିଥିଲା। ତେବେ ତାଙ୍କ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
