Voice of Eastern India

ଗଞ୍ଜାମ ବନ୍ୟା ମନୁଷ୍ୟକୃତ ! ସରକାରଙ୍କୁ ଘେରିଲେ ଭକ୍ତ ଦାସ, ୨୦ ଲକ୍ଷ କ୍ଷତିପୂରଣ ଦାବି


ଭୁବନେଶ୍ୱର ୧୦।୧୧ : ଗଞ୍ଜାମ ବନ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ। ବନ୍ୟା ପରିଚାଳନାରେ ସରକାରଙ୍କ ଦୂରଦୃଷ୍ଟିର ଅଭାବ ଥିବା ଅଭିଯୋଗ କରିବା ସହ ଏହି ବନ୍ୟାକୁ ମନୁଷ୍ୟକୃତ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଏଥିପାଇଁ କିଏ ଉତ୍ତରଦାୟୀ, ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଭକ୍ତ ଦାସ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସର ଏକ ଟିମ୍ ତିନି ଦିନ ଧରି ଗଞ୍ଜାମ ଓ ଗଜପତି ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛି। ଋଷିକୂଲ୍ୟା ନଦୀ ଏବେ ଗଞ୍ଜାମବାସୀଙ୍କ ପାଇଁ ଦୁଃଖର କାରଣ ପାଲଟିଛି। ନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ଦୀର୍ଘମିଆଦୀ ପଦକ୍ଷେପ ନିଆନଗଲେ ପ୍ରତିବର୍ଷ ଏଭଳି ସ୍ଥିତି ଉପୁଜିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।

Also Read:-ମୁଖ୍ୟମନ୍ତ୍ରୀ ଖୋଲିଲେ ଭତ୍ତା ଭଣ୍ଡାର, ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ସେହିପରି ଠିକ୍ ସମୟରେ ଡ୍ୟାମ୍ ଖୋଲାଯାଇଥିଲେ ବନ୍ୟାରେ ଏତେ କ୍ଷୟକ୍ଷତି ହୋଇନଥାନ୍ତା। ତେଣୁ ଏହି ଘଟଣା ପାଇଁ କିଏ ଦାୟୀ, ତାହା ସରକାର ସ୍ପଷ୍ଟ କରିବା ଦରକାର। ଋଷିକୂଲ୍ୟା ନଦୀରେ ନୂଆ ନଦୀବନ୍ଧ ନିର୍ମାଣ କରିବା ସହ ବନ୍ୟାର ମୂଳ କାରଣ ଖୋଜି ସ୍ଥାୟୀ ସମାଧାନ କରିବାକୁ ସେ ଦାବି କରିଛନ୍ତି। ଜଳସମ୍ପଦ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବାରୁ ଏହାର ଉତ୍ତରଦାୟିତ୍ୱ ମୁଖ୍ୟମନ୍ତ୍ରୀ ନେବେ କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ଏହା ସହ ଗିଡ଼ିବାପାଲିରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କଂଗ୍ରେସ ଦାବି କରିଛି। ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଦିଆଯାଉଥିବା କ୍ଷତିପୂରଣ ରାଶି ମଧ୍ୟ ବଢ଼ାଇବାକୁ ଦଳ ଦାବି ରଖିଛି।

ଅନ୍ୟପଟେ, ବନ୍ୟା ପରବର୍ତ୍ତୀ ରିଲିଫ୍ ବଣ୍ଟନରେ ରାଜନୈତିକ ପକ୍ଷପାତିତା ହୋଇଥିବା ଅଭିଯୋଗ ଆଣିଛନ୍ତି ଭକ୍ତ ଦାସ। ତାଙ୍କ ଅଭିଯୋଗ ଅନୁସାରେ, ସରକାର ରିଲିଫ୍ ବଣ୍ଟନକୁ ଦଳୀୟ ଆଧାରରେ କରିଛନ୍ତି ଏବଂ ନିଜ ଭୋଟ୍ ବ୍ୟାଙ୍କ ଥିବା ଗାଁକୁ ଅଧିକ ଗୁରୁତ୍ୱ ଦେଇଛନ୍ତି।



Source link

Leave A Reply

Your email address will not be published.