Voice of Eastern India

କେରଳରେ ‘ନିପାହ’ ଭାଇରସର ନୂଆ ମାମଲା, ଜଣେ ରୋଗୀଙ୍କ ନମୁନା ପଜେଟିଭ, କ୍ୱାରେଣ୍ଟାଇନରେ ୧୫ ଜଣ


କୋଝିକୋଡ଼: କେରଳର କୋଝିକୋଡ଼ ଜିଲ୍ଲାରେ ‘ନିପାହ’ ଭାଇରସର ଏକ ନୂଆ ମାମଲା ପୁଷ୍ଟି ହେବା ପରେ ପ୍ରଶାସନ ଏବେ ଆଲର୍ଟ ମୋଡରେ। ରାମନାଟ୍ଟୁକାରାର ଜନୈକ ୪୩ ବର୍ଷ ବୟଷ୍କ ବ୍ୟକ୍ତିଙ୍କ ଠାରେ ନିପାହ ଭାଇରସ ପୁଷ୍ଟି ହୋଇଛି। ଏହା ପରଠାରୁ ଗୁରୁବାର ଅଞ୍ଚଳରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। କୋଝିକୋଡ଼ ଜିଲ୍ଲା କଲେକ୍ଟର ଏମ.ଏସ.ମାଧବୀ କୁଟ୍ଟୀ କହିଛନ୍ତି ଯେ ସଂକ୍ରମିତ ରୋଗୀ ଏବେ କୋଝିକୋଡ଼ ମେଡିକାଲ କଲେଜ ହସ୍ପିଟାଲ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି।

ଅନ୍ୟପଟେ ପ୍ରଶାସନ ତତ୍ପରତା ଦେଖାଇ ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ୭୭ ଜଣଙ୍କୁ ଚିହ୍ନଟ କରିଛି। ଏହି ସୂଚୀରେ ୫୮ ଜଣ ହେଲଥ୍ କେୟାର ୱାର୍କର, ପରିବାରର ୧୪ ସଦସ୍ୟ ଓ ୫ ଜଣ ବନ୍ଧୁ ଏବଂ ସହକର୍ମୀ ଅଛନ୍ତି। ତେବେ ସବୁଠୁ ଯାହା ବଡ଼ କଥା ସଂକ୍ରମିତଙ୍କ ସଂସର୍ଗରେ ଆସିଥିବା କୌଣସି ବ୍ୟକ୍ତିଙ୍କ ଠାରେ ଏପର୍ଯ୍ୟନ୍ତ ରୋଗର ଲକ୍ଷଣ ଦେଖା ଯାଇ ନାହିଁ। ସମ୍ପର୍କରେ ଆସିଥିବା ୭୭ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ସବୁଠୁ ଅଧିକ ରିସ୍କ ଥିବା ଶ୍ରେଣୀରେ ରଖା ଯାଇଥିବା ବେଳେ ୧୩ ଜଣରୁ ଅଧିକଙ୍କୁ ରିସ୍କ ଶ୍ରେଣୀରେ ଓ ୬୨ ଜଣଙ୍କୁ କମ୍ ରିସ୍କ ଶ୍ରେଣୀରେ ରଖା ଯାଇଛି। ତେବେ ଉଚ୍ଚତମ ଓ ଉଚ୍ଚ ରିସ୍କ ଥିବା ୧୫ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖା ଯାଇଛି। ଏହା ଛଡା ରୋଗୀଙ୍କ ରୁଟ ମ୍ୟାପ୍ ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହା ଦ୍ୱାରା ସଂକ୍ରମଣର ପରିସର ଜଣାପଡିଯିବ।

କଲେକ୍ଟର କହିଛନ୍ତି ଯେ କଣ୍ଟେନମେଣ୍ଟ ଓ ମନିଟରିଂ ଗତିବିଦ୍ଧି ଆରମ୍ଭ କରିଦିଆଯାଇଛି। କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେ.ମୂରଲିଧରନ ତିରୁଅନନ୍ତପୁରମରେ ଗୁରୁବାର ପରିସ୍ଥିତିର ସମୀକ୍ଷା କରିଛନ୍ତି। ଏଥିପାଇଁ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ସମ୍ବଦ୍ଧିତ ସ୍ୱାସ୍ଥ୍ୟ କର୍ମୀଙ୍କୁ କ୍ୱାରେଣ୍ଟାଇନରେ ରହିବା ପାଇଁ କହି ଦିଆଯାଇଛି। କାରଣ ସଂକ୍ରମିତ ହସ୍ପିଟାଲର ଓପିଡି କୁ ଯାଇଥିଲା। ଏହାପରେ ତାର ଏମଆରଆଇ ଓ ଇକୋ କାର୍ଡିୟୋଗ୍ରାଫି କରାଯାଇଥିଲା।

ସଂକ୍ରମଣର କାରଣ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଏବେ ଡରିବାର କୌଣସି କାରଣ ନାହିଁ। ରୋଗୀ ନିକଟରେ ଏକ ଗୋଦାମ ଭଡ଼ାରେ ନେଇଥିଲା। ନିଜେ ଏହାର ସଫସୁତୁରା କରିଥିଲେ। ସନ୍ଦେହ କରାଯାଉଛି ଏହି ସମୟରେ ସେ ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥାଇ ପାରନ୍ତି। କେରଳ ସ୍ୱାସ୍ଥ୍ୟସେବା ମନ୍ତ୍ରାଳୟ ଅନୁସାରେ ନିପାହ ଏକ ‘ଜୁନୋଟିକ୍’ ଭୂତାଣୁ। ଏହା ପଶୁଙ୍କ ଠାରୁ ମଣିଷକୁ ବ୍ୟାପେ। ବାଦୁଡି ଏହାର ମୁଖ୍ୟ ବାହକ। ଏହି ଭୂତାଣୁ ସଂକ୍ରମଣ ହେଲେ ହାଲୁକାରୁ ନେଇ ରୋଗୀ ଗୁରୁତର ହୋଇ ଥାନ୍ତି ଓ କେତେକ କ୍ଷେତ୍ରରେ ପ୍ରାଣ ମଧ୍ୟ ହରାଇଥାନ୍ତି।



Source link

Leave A Reply

Your email address will not be published.