ଉମରକୋଟ ୦୭।୧୧ : ମଦ ବିରୋଧୀ ଆନ୍ଦୋଳନରୁ ତେଜିଲା ଉତ୍ତେଜନା। ୩୦୦ରୁ ଅଧିକ ମହିଳା ଏକାଠି ହୋଇ ଦେଶୀ ମଦ ଭାଟିରେ କଲେ ଭଙ୍ଗାରୁଜା। ପ୍ଲାଷ୍ଟିକ୍ ଡ୍ରମ୍ରେ ନିଆଁ ଲଗାଇବା ସହ ମଦ ତିଆରି ସାମଗ୍ରୀକୁ ଫିଙ୍ଗାଫୋପଡ଼ା କରିଲେ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ର ବରିପଦର ଗାଁରେ ଘଟିଛି ଏଭଳି ଘଟଣା। ଭାଟିଟି ଗତ ଏପ୍ରିଲରୁ ବନ୍ଦ ଥିବାବେଳେ ମହିଳାଙ୍କ ଏଭଳି ଆକ୍ରୋଶ ପଛର କାରଣକୁ ନେଇ ଚର୍ଚ୍ଚା।
ମଦ ବିରୋଧୀ ଆନ୍ଦୋଳନରେ ତାତିଲେ ମହିଳା। ହାତରେ ଠେଙ୍ଗାବାଡ଼ି, ମନରେ ମଦ ବିରୋଧୀ ଆକ୍ରୋଶ। ଏକାଠି ହେଲେ ୩୦୦ରୁ ଅଧିକ ମହିଳା। ଆଉ ସିଧା ପହଞ୍ଚିଗଲେ ଦେଶୀ ମଦ ଭାଟିରେ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ଡଙ୍ଗରିଗୁଡ଼ା ପଞ୍ଚାୟତର ବରିପଦର ଗାଁରେ ଘଟିଛି ଏହି ଘଟଣା। ଗାଁରେ ଥିବା ସରକାରୀ ସ୍ୱୀକୃତିପ୍ରାପ୍ତ ଦେଶୀ ମଦ ଭାଟିଟି ଲାଇସେନ୍ସ ନବୀକରଣ ହୋଇନଥିବାରୁ ଗତ ଏପ୍ରିଲ ମାସରୁ ବନ୍ଦ ରହିଥିଲା। ଭାଟିରେ ଥିବା ଆସବାବପତ୍ର ଓ ସାମଗ୍ରୀ ଜଗିବା ପାଇଁ ମାତ୍ର ୨ରୁ ୩ ଜଣ କର୍ମଚାରୀ ରହୁଥିଲେ।
Also Read:-Kantamal BDO suspended: ରାଜସ୍ବ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ, BDO ସାମି ରେଡ୍ଡୀ ଜୟଶ୍ରୀ ନିଲମ୍ବିତ
ତେବେ ହଠାତ୍ ୩୦୦ରୁ ଅଧିକ ମହିଳା ଭାଟି ପରିସରରେ ପଶି ଭଙ୍ଗାରୁଜା ଆରମ୍ଭ କରିଥିଲେ। ଭିତରେ ଥିବା ପ୍ଲାଷ୍ଟିକ୍ ଡ୍ରମ୍, ଆସବାବପତ୍ର ଓ ମଦ ତିଆରି ସରଞ୍ଜାମକୁ ଫିଙ୍ଗାଫୋପଡ଼ା କରିବା ସହ କେତେକ ପ୍ଲାଷ୍ଟିକ୍ ଡ୍ରମ୍ରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଭାଟିରେ ଥିବା ବହୁ ସାମଗ୍ରୀ ନଷ୍ଟ ହୋଇଯାଇଛି। ଭାଟିଟି ଦୀର୍ଘ ଦିନ ଧରି ବନ୍ଦ ଥିବାରୁ କୌଣସି ବଡ଼ ଅଘଟଣ ଘଟିନାହିଁ। ତେବେ ଯେଉଁ ମଦ ଭାଟି ଏପ୍ରିଲରୁ ବନ୍ଦ ରହିଥିଲା, ସେଠାରେ ଏତେ ସଂଖ୍ୟକ ମହିଳା ଏକାଠି ହୋଇ ଏଭଳି ପଦକ୍ଷେପ କାହିଁକି ନେଲେ, ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
