Voice of Eastern India

ଭାରତୀୟ ବଂଶୋଦ୍ଭବଙ୍କ ସହ ଦୀପାବଳି ପାଳିଲେ ଟ୍ରମ୍ପ, ଉପହାରରେ ମିଳିଲା ‘ହନୁମାନ ଚାଳିଶା’


ନୂଆଦିଲ୍ଲୀ: ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ବଡ଼ ପରାଜୟ ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଟ୍ରମ୍ପ ଭାରତୀୟ ବଂଶୋଦ୍ଭବଙ୍କ ସହ ଦୀପାବଳି ପାଳନ କରିଛନ୍ତି । ଭାରତୀୟ-ଆମେରିକୀୟ ବ୍ୟବସାୟୀ, ସିଇଓ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଦୀପାବଳି ସେଲିବ୍ରେସନ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଟ୍ରମ୍ପ । ଏହି ଉତ୍ସବରେ ମାଇକ୍ରୋନ୍ ଟେକ୍ନୋଲୋଜି’ର ସଞ୍ଜୟ ମେହରୋତ୍ରା, ବିଶିଷ୍ଟ ସେଫ୍ ବିକାଶ ଖାନ୍ନା,  ବିଶାଳ ଗୋଣ୍ଡାଲ, IBM ସିଇଓ ଅରବିନ୍ଦ କ୍ରିଷ୍ଣା, FBI ନିର୍ଦ୍ଦେଶକ କାଶ ପଟେଲ, NIH ନିର୍ଦ୍ଦେଶକ ଜୟ ଭଟ୍ଟାଚାର୍ଯ୍ୟ ଏବଂ ଆମେରିକାରେ ଭାରତର ଆମ୍ବାସଡର ବିନୟ ମୋହନ କ୍ୱାତ୍ରା ପ୍ରମୁଖ ଯୋଗ ଦେଇଥିଲେ।

ରାଷ୍ଟ୍ରପତି ଟ୍ରମ୍ପ ଓଭାଲ୍ ଅଫିସ୍‌ରେ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଏହି ଅବସରରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ସୋସିଆଲ ସିକ୍ୟୁରିଟି ଆଡମିନିଷ୍ଟ୍ରେସନ୍‌ର ଡେପୁଟି କମିଶନର ଅର୍ଜୁନ ମୋଦି ମଧ୍ୟ ଉପସ୍ଥିତ ଥିଲେ। ଏହା ବ୍ୟତୀତ ଧାଲ୍ଲା ଗ୍ରୁପ୍‌ର ସିଇଓ ରୁବି ଧାଲ୍ଲା, ନାକ୍ ସିଷ୍ଟମ୍ସର ସଂସ୍ଥାପକ ରାଜୀବ ଶର୍ମା, କେଶବମ୍ DC ର ପ୍ରେସିଡେଣ୍ଟ ବିଶ୍ୱଜିତ୍ ମାଲ୍ଲାମ୍ପାଟି, ହେତଲକୁମାର ପଟେଲ ଏବଂ ହ୍ୱାଇଟ୍ ହାଉସ୍ ଇଭେଣ୍ଟସ୍ ଅଶର ଅରବିନ୍ଦ ପ୍ରମୁଖ ଉପସ୍ଥିତ ରହି ଏହି ଉତ୍ସବର ଶୋଭାବର୍ଦ୍ଧନ କରିଥିଲେ। 

ଏହି ସ୍ମରଣୀୟ ମୁହୂର୍ତ୍ତରେ ବିଶାଳ ଗୋଣ୍ଡାଲ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ‘ହନୁମାନ ଚାଳିଶା’ର ଏକ ପ୍ରତିଲିପି ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ଏହାକୁ ନେଇ ଗୋଣ୍ଡାଲ ଲେଖିଛନ୍ତି ଯେ, ସାହସ, ଭକ୍ତି ଏବଂ ଶକ୍ତିର ପ୍ରତୀକ ଭାବରେ ଲକ୍ଷ ଲକ୍ଷ ଲୋକ ସନ୍ଥ ତୁଳସୀଦାସଙ୍କ ଦ୍ୱାରା ରଚିତ ଏହି ପବିତ୍ର ହନୁମାନ ଚାଳିଶା ପାଠ କରନ୍ତି ଏବଂ ଏହାକୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟି ଦେଇ ସେ ବେଶ୍ ଗୌରବାନ୍ୱିତ।

ପୂର୍ବରୁ ଏହି ଆୟୋଜନ ଆଇଜେନହାୱାର ଏକଜିକ୍ୟୁଟିଭ୍ ଅଫିସ୍ ବିଲ୍ଡିଂରେ କରାଯାଉଥିଲା। ପରବର୍ତ୍ତୀ ସମୟରେ ୨୦୦୯ ମସିହାରେ ରାଷ୍ଟ୍ରପତି ବାରାକ୍ ଓବାମା ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ଭାବରେ ହ୍ୱାଇଟ୍ ହାଉସ୍‌ର ଇଷ୍ଟ୍ ରୁମ୍‌ରେ ସ୍ୱୟଂ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ସେବେଠାରୁ ହ୍ୱାଇଟ୍ ହାଉସ୍‌ର ଓଭାଲ୍ ଅଫିସ୍ ଓ ରୁଜଭେଲ୍ଟ ରୁମ୍ ଭଳି ବିଭିନ୍ନ ପ୍ରମୁଖ ସ୍ଥାନରେ ନିୟମିତ ଭାବରେ ଦୀପାବଳି ପାଳନ କରାଯାଉଛି।



Source link

Leave A Reply

Your email address will not be published.