Voice of Eastern India

EXPLAINED: ଭିଡିଓକନ ନାଁରେ ଲୋନ୍, କାହିଁକି ଦେବାଳିଆ ଘୋଷିତ ହେଲେ ବେଣୁଗୋପାଳ?


ନୂଆଦିଲ୍ଲୀ: କଥାରେ ଅଛି ଆଜି ଯିଏ ରାଜା କାଲି ସେ ଫକୀର। ଅର୍ଥାତ୍ ଆଜି ଯିଏ ଧନୀ କାଲି ସେ ଗରିବ ବି ହୋଇପାରେ। ଇଏ ସମୟ ଚକ୍ରର କଥା। ସମୟ ସର୍ବଦା ଏକାପରି ରହେ ନାହିଁ। ପରିସ୍ଥିତି ଚକ୍ରରେ ପଡ଼ି ରାଜା ବି ରଙ୍କ ହୋଇଯାଏ। ଠିକ୍ ଯେମିତି ଭିଡିଓକନ ପ୍ରତିଷ୍ଠାତା ବେଣୁଗୋପାଳ ଧୁତ ଆଜି ଦେବାଳିଆ ହୋଇଯାଇଛନ୍ତି।

୧୯୮୦ ଦଶକରୁ ୨୦୦୦ ମସିହା ପର୍ଯ୍ୟନ୍ତ ବେଣୁଗୋପାଳ ଧୁତଙ୍କ ଗଣତି ଦେଶରେ ଖୁବ୍ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ହେଉଥିଲା। ତାଙ୍କ ବ୍ୟବସାୟର ସାମ୍ରାଜ୍ୟ ଦେଶ-ବିଦେଶ ପର୍ଯ୍ୟନ୍ତ ଲମ୍ବିଥିଲା। ୫୦ ହଜାର କୋଟି ଟଙ୍କାର ସମ୍ପତ୍ତିର ନେତୃତ୍ୱ କରିଥିବା ବେଣୁ ଗୋପାଳ ଦେଶର ଇଲେକ୍ଟ୍ରୋନିକ୍ସ ଶିଳ୍ପରେ ରାଜ କରୁଥିଲେ।

ତାଙ୍କ କମ୍ପାନୀ ଭିଡିଓକନ ନିର୍ମିତ ଟିଭି ଓ ଫ୍ରିଜ୍, ୱାଶିଂମେସିନ ଦେଶର କୋଟି କୋଟି ଘରେ ଖୁବ୍ ଲୋକପ୍ରିୟ ହୋଇଥିଲା। ଟିଭି ମାନେ ଲୋକେ ବୁଝୁଥିଲେ ଭିଡିଓକନ। କମ ଦାମରେ ଘରେ ଘରେ ରଙ୍ଗୀନ ଟିଭି ପହଞ୍ଚାଇବାର କାମ କରିଥିଲା ଏହି କମ୍ପାନୀ। ହେଲେ ହଠାତ୍ ସବୁକିଛି ବଦଳିଗଲା। ସମୟ ଚକ୍ର ଭେଣୁଗୋପାଳଙ୍କ ଭାଗ୍ୟକୁ ଏମିତି ପେଶି ଦେଲା ଯେ ଦେଶର ଆଇନ ତାଙ୍କୁ ଆଜି ଦେବାଳିଆ ଘୋଷଣା କରିଛି।

ତେବେ କାହିଁକି ଉପୁଜିଲା ଏଭଳି ପରିସ୍ଥିତି ? କେମିତି ଦେବାଳିଆ ହୋଇଗଲେ ଭାରତର ଏଇ ବିଜନେଶ କିଂ ? ଋଣ ଖିଲାପୀର ଅଭିଯୋଗରେ ଛନ୍ଦି ହୋଇ କେମିତି ଯିବାକୁ ପଡ଼ିଲା ଜେଲ୍ ? ଆସନ୍ତୁ ବିସ୍ତାରରେ ଜାଣିବା ବେଣୁଗୋପାଳ ନନ୍ଦଲାଲ ଧୁତଙ୍କର ରାଜାରୁ ରଙ୍କ ହେବାର ଯାତ୍ରା ବିଷୟରେ….

ବେଣୁ ଗୋପାଳଙ୍କୁ କାହିଁକି ଦେବାଳିଆ ଘୋଷଣା କରାଗଲା ସେ ବିଷୟରେ ଜାଣିବା ପୂର୍ବରୁ ଆସନ୍ତୁ କମ୍ପାନୀର ଇତିହାସ ବିଷୟରେ ଟିକେ ଜାଣି ନେବା।

ଭିଡିଓକନର ଆରମ୍ଭ ଇତିହାସ-

ଭିଡିଓକନ ବ୍ୟବସାୟର ନିଅଁ ପଡ଼ିଥିଲା ମହାରାଷ୍ଟ୍ରର ଔରଙ୍ଗାବାଦରୁ। ବେଣୁଗୋପାଳଙ୍କ ବାପା ନନ୍ଦଲାଲ ମାଧବଲାଲ ଧୁତ ୧୯୮୫ ମସିହାରେ ଭିଡିଓକନର ପ୍ରତିଷ୍ଠା କରିଥିଲେ। ଦେଖୁ ଦେଖୁ ଏହି ବ୍ୟବସାୟ ଭାରତରୁ ବାହାରି ଏକାଧିକ ଦେଶ ପର୍ଯ୍ୟନ୍ତ ବ୍ୟାପିଗଲା। ଅନେକ କ୍ଷେତ୍ରରେ ବ୍ୟବସାୟର ବିସ୍ତାର ହେଲା।

ମାଧବଲାଲ ଧୁତ ଏକ ଚାଷୀ ପରିବାରରୁ ଆସିଥିଲେ। ତାଙ୍କର ଏକ ବଜାଜ ଅଟୋ ଡିଲରସିପ୍ ମଧ୍ୟ ଥିଲା। ଭିଡିଓକନ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ପ୍ରତିଷ୍ଠା କରିବା ପରେ ସେ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ବ୍ୟବସାୟ ବିସ୍ତାର କଲେ। ଟେଲିଭିଜନ, ୱାସିଂ ମେସିନ୍ ଏବଂ ଅନ୍ୟାନ୍ୟ ଘରୋଇ ଉପକରଣ ଭେଟି ଦେଇ ଭିଡିଓକନ୍ ଭାରତୀୟ ମଧ୍ୟବିତ୍ତ ବର୍ଗଙ୍କ ମଧ୍ୟରେ ଶୀଘ୍ର ଲୋକପ୍ରିୟ ହୋଇଗଲା। ବାପାଙ୍କର ଏହି ବ୍ୟବସାୟରେ ସହଯୋଗ କରିଥିଲେ ପୁଅ, ଭେଣୁ ଗୋପାଳ, ରାଜ କୁମାର ଏବଂ ପ୍ରଦୀପ କୁମାର।

ଏହି ସମୟରେ, ଭେଣୁଗୋପାଳ ଜଣେ ଇଞ୍ଜିନିୟର ଥିଲେ ଏବଂ ଜାପାନରେ ଗୋଟିଏ ବର୍ଷ ତାଲିମ ବି ନେଇଥିଲେ। ବିଜନେଶ ବଢ଼ିବା ପରେ ବାପାଙ୍କର ବ୍ୟବସାୟରେ ବେଣୁ ଗୋପାଳଙ୍କ ଆଗ୍ରହ ବି ବଢିଲା। ରାତାରାତି ବିଜନେଶ ବିସ୍ତାର କରି ବାଦଶାହ ହେବାର ସ୍ୱପ୍ନ ହୁଏତ ତ ତାଙ୍କୁ ବାଟବଣା କରିଦେଲା। ସେ ସାମର୍ଥ୍ୟ ଓ ଆଶା ଠାରୁ ଅଧିକ ଟାର୍ଗେଟ୍ ସେଟ୍ କରୁଥିଲେ।

ଏକାଧିକ କମ୍ପାନୀ ସହ ଡିଲ୍

ବେଣୁଗୋପାଳ ବ୍ୟବସାୟରେ ଖୁବ୍ ଦମରେ ଲାଗିପଡ଼ିଲେ। ଭିଡିଓକନ ଗ୍ରୁପ ଭାରତୀୟ ଓ ବିଦେଶୀ କମ୍ପାନୀଗୁଡ଼ିକ ସହିତ ଏକାଧିକ ଚୁକ୍ତି ସ୍ୱାକ୍ଷର କଲା। ବିଭିନ୍ନ ଆଡୁ ନିବେଶ ଆସିଲା। ଭିଡିଓକନ୍ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ (VIL) ସହ ତୋଶିବା, ଫିଲିପ୍ସ, ଥମ୍ପସନ୍, ଡାଏୱୁ(Daewoo) ଏବଂ କେଲଭିନେଟର ଭଳି ବଡ଼ କମ୍ପାନୀ ଚୁକ୍ତି କରିଥିଲେ। ଫଳରେ ୧୯୮୫ ମସିହାରେ ଆରମ୍ଭ ହୋଇଥିବା ଛୋଟ ଭିଡିଓକନ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ପରିଣତ ହୋଇଗଲା। ଏକ୍ସପର୍ଟଙ୍କ କୁହନ୍ତି, ଯେ ୧୯୯୦ ଦଶକରୁ ଭିଡିଓକନ ଗ୍ରୁପ ବୃଦ୍ଧି ପାଇବା ସହ ଏହା ଅନେକ ଛୋଟ କମ୍ପାନୀକୁ ମାର୍କେଟରୁ ବାହାର କରିଦେଲା।

୨୦୦୦ ଦଶକର ମଧ୍ୟଭାଗ ପର୍ଯ୍ୟନ୍ତ, ସବୁକିଛି ଠିକ୍ ଚାଲୁଥିଲା। ମେକ୍ସିକୋ, ଚୀନ୍, ଇଟାଲୀ ଏବଂ ପୋଲାଣ୍ଡରେ କମ୍ପାନୀର ପ୍ଲାଣ୍ଟ ଥିଲା। ଏହାପରେ କମ୍ପାନୀ ବ୍ୟବସାୟର ବିବିଧକରଣ କରି ବ୍ରାଜିଲ୍, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ପୂର୍ବ ତିମୋରରେ ତୈଳ ବ୍ଲକରେ ନିବେଶ କଲା। ଆଇପିଏଲ୍‌ରେ ନିବେଶ ପାଇଁ ୨୦୧୦ରେ ଭିଡିଓକନ ପୁଣେ ଆଇପିଏଲ ଟିମକୁ କିଣିବାକୁ ମଧ୍ୟ ଚେଷ୍ଟା କରିଥିଲା। ୨୦୧୫ ମସିହାରେ ବେଳକୁ ବେଣୁଗୋପାଳ ଭାରତର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ୬୧ତମ ସ୍ଥାନରେ ଥିଲେ। ମିଡିଆ ରିପୋର୍ଟ ଅନୁସାରେ, ସେତେବେଳେ ତାଙ୍କର ସମ୍ପତ୍ତି ମୂଲ୍ୟ ଥିଲା ୧.୧୯ ବିଲିୟନ ଡଲାର।

ଏଇଠୁ ଆରମ୍ଭ ହେଲା ପତନ

ରିପୋର୍ଟ ଅନୁସାରେ ବେଣୁଗୋପାଳ ଜଣେ ବ୍ୟବସାୟ ବ୍ୟାରନରୁ ନିଜକୁ ବିଜନେଶ ଟାଇକୁନ ଭାବେ ଗଢ଼ି ତୋଳିବାକୁ ଚାହୁଁଥିଲେ। ଏଥିପାଇଁ ସେ ରାତାରାତି ପୁଞ୍ଜିର ଖାତିର ନ କରି ସେ ପେଟ୍ରୋଲିୟମ, ଟେଲିକମ୍ ଏବଂ ସାଟେଲାଇଟ୍ ମନୋରଞ୍ଜନ ଭଳି କ୍ଷେତ୍ରରେ ବ୍ୟବସାୟକୁ ବିସ୍ତାର କରିଥିଲେ। ହେଲେ କଥାରେ ଅଛି ଯେତିକି ଚାଉଳ ସେତିକି ଚୂନା।

ଏତେବଡ଼ ବିଜନେଶକୁ ସମ୍ଭାଳିବା ପାଇଁ ନିବେଶ ଅଭାବ ହେବାରୁ ଧୀରେ ଧୀରେ ବ୍ୟାଙ୍କଗୁଡ଼ିକରୁ ଋଣ ନେବା ଆରମ୍ଭ କରିଥିଲେ ଧୁତ। ବ୍ୟାଙ୍କ ମ୍ୟାନେଜମେଣ୍ଟ କଳାରେ ବି ସେ ଖୁବ ପାରଙ୍ଗମ ଥିଲେ। ସେତେବେଳେ ଦେଶର ବଡ଼ ବଡ଼ ବ୍ୟାଙ୍କରମାନଙ୍କ ସହିତ ତାଙ୍କର ଭଲ ସମ୍ପର୍କ ବି ଥିଲା। ତେଣୁ ଋଣ ମିଳିବା ସହଜ ହେଉଥିଲା। ୨୦୧୨ରେ ସୁପ୍ରିମକୋର୍ଟଙ୍କ ୨ଜି ଲାଇସେନ୍ସ ବାତିଲ୍ ନିଷ୍ପତ୍ତି ଭିଡିଓକନ୍ର ମୋବାଇଲ୍ ବ୍ୟବସାୟକୁ ବଡ଼ ଝଟକା ଦେଇଥିଲା। ପରବର୍ତ୍ତୀ ସମୟରେ ଧୁତ ନିଜେ ଟେଲିକମ୍ ବ୍ୟବସାୟକୁ କମ୍ପାନୀର ବିପୁଳ ଋଣର ଏକ ପ୍ରମୁଖ କାରଣ ବୋଲି କହିଥିଲେ।

୨୦୧୫ ଡିସେମ୍ବର ସୁଦ୍ଧା ଭିଡିଓକନର ମୋଟ ଋଣ ପ୍ରାୟ ୪୭,୫୫୪ କୋଟି ଟଙ୍କା ଥିବା ରିପୋର୍ଟ ହୋଇଥିଲା। ଏହି ଚାପ କମାଇବା ପାଇଁ କମ୍ପାନୀ ନିଜର କିଛି ସମ୍ପତ୍ତି ବିକ୍ରି କରିବା ଆରମ୍ଭ କରିଥିଲା। ୨୦୧୬ରେ ଭାରତୀ ଏୟାରଟେଲ୍ ୪,୪୨୮ କୋଟି ଟଙ୍କାରେ ଭିଡିଓକନ୍ ଟେଲିକମର ୬ଟି ସର୍କଲର ସ୍ପେକ୍ଟ୍ରମ୍ ବ୍ୟବହାର ଅଧିକାର କିଣିବାକୁ ରାଜି ହୋଇଥିଲା।

କମ୍ପାନୀ ଫଣ୍ଡ ମ୍ୟାନେଜମେଣ୍ଟ ପ୍ରତି ସେତେଟା ଧ୍ୟାନ ଦେଇ ନଥିଲା। ଫେଡେରେସନ ଅଫ୍ ଇଣ୍ଡିଆନ୍ ଏକ୍ସପୋର୍ଟ ଅର୍ଗାନାଇଜେସନ୍ସ (FIEO)ର ଜଣେ ପୂର୍ବତନ ସଭାପତିଙ୍କ ମତରେ ବେଣୁ ଗୋପାଳ ଭାବିଥିଲେ କମ୍ପାନୀର ଦୃଢ଼ ପ୍ରତିଛବି ତାଙ୍କୁ ଏଥିରୁ ଉଦ୍ଧାର କରିବାରେ ସାହାଯ୍ୟ କରିବ। ହେଲେ ଗତ କିଛି ଦଶନ୍ଧି ଧରି ଦେଶର ଆଇନ, ବ୍ୟାଙ୍କିଙ୍ଗ ନିୟମ ଏବଂ କୋର୍ଟଙ୍କ ମନୋଭାବ ନାଟକୀୟ ଭାବରେ ପରିବର୍ତ୍ତନ ହେଲା। ସିଷ୍ଟମର ଗଳାବାଟ ଜଳ ଜଳ ସମସ୍ତଙ୍କୁ ଦିଶିଲା। ପଛ ଦ୍ୱାର ଦେଇ ଖସିଯିବା ପାଇଁ ବ୍ୟାଙ୍କର କିମ୍ବା ଚତୁର ରାଜନେତାଙ୍କ ଦ୍ୱାରା ହେରଫେର କୌଣସି ସୁଯୋଗ ବି ରହିଲା ନାହିଁ।

ଭିଡିଓକନ୍ ଗ୍ରୁପ୍ ପେଟ୍ରୋଲିୟମ୍ ଏବଂ ଗ୍ୟାସ୍, ଟେଲିକମ୍, ରିଅଲ୍ ଇଷ୍ଟେଟ୍ ଏବଂ DTH ଭଳି କ୍ଷେତ୍ରରେ ବିଜନେଶ କରି ଫେଲ୍ ମାରିଲା। ଏପଟେ ବ୍ୟବସାୟ ପାଇଁ ନେଇଥିବା ଋଣ ବଢ଼ି ଚାଲିଲା। ଆଉ ଏଇଠାରୁ ଆରମ୍ଭ ହେଲା ଭିଡିଓକନ ଗ୍ରୁପ ପତନର ପ୍ରଥମ ପାଦ। ଭିଡିଓକନର ଡଙ୍ଗା ବୁଡ଼ୁଥିବା ଦେଖି ବିଶ୍ୱର ଏକାଧିକ ବ୍ରାଣ୍ଡ କମ ମୂଲ୍ୟରେ ମାର୍କେଟ୍କୁ ପ୍ରଡକ୍ଟ ଛାଡ଼ିବା ଆରମ୍ଭ କରିଦେଲେ। ଯାହା କମ୍ପାନୀକୁ ଏକପ୍ରକାର ଶେଷ କରିଦେଲା। ଏପଟେ ଋଣ ଭାରରେ ବେଣୁଗୋପାଳ ଚିନ୍ତାରେ ପଡ଼ିଗଲେ। ଆଉ ଏହି ସମୟରେ ଆଇସିଆଇସିଆଇ ବ୍ୟାଙ୍କ ଠାରୁ ଋଣ ନେଇଥିବା କଥା ସାମ୍ନାକୁ ଆସିଥିଲା। ଫଳରେ ସିବିଆଇ ବେଣୁଗୋପାଳଙ୍କୁ ଗିରଫ କରିଥିଲା।

ଏବେ ଆସିବା ଏସ୍‌ବିଆଇର ୧୨,୬୬୮ କୋଟି ଟଙ୍କା ଋଣ ଠକେଇ ଘଟଣାକୁ

ନଭେମ୍ବର ୫ ତାରିଖରେ ମୁମ୍ବାଇ ସ୍ଥିତ ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ୍ (NCLT) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ର ଆବେଦନ ଆଧାରରେ ଭେଣୁଗୋପାଳ ଧୁତଙ୍କୁ ଦେବାଳିଆ ଘୋଷଣା କରିଛନ୍ତି। ଏଥିସହିତ ତାଙ୍କର ଦେବାଳିଆ ସମ୍ପତ୍ତିର ଦାୟିତ୍ୱ ଟ୍ରଷ୍ଟି ଆଶିଷ ନାରାୟଣଙ୍କୁ ଦିଆଯାଇଛି। ଏସ୍‌ବିଆଇ କହିଛି ଯେ ବେଣୁଗୋପାଳ ବ୍ୟାଙ୍କ ଠାରୁ ଯେଉଁ ଟଙ୍କା ଆଣିଥିଲେ, ତାକୁ ସେ ଠିକ୍ ସମୟରେ ପରିଶୋଧ କରିପାରି ନଥିଲେ। ଏଥିପାଇଁ ଧୁତଙ୍କ ଉପରେ ସୁଧ ଓ ଜରିମାନା ସହିତ ମୋଟ ୧୨,୬୬୮ କୋଟି ଟଙ୍କା ବକେୟା ରହିଛି। ତେବେ ଧୁତଙ୍କର ସବୁଠାରୁ ବଡ଼ ଭୁଲ ହେଲା ଏହି ଋଣ ପାଇଁ ସେ ବ୍ୟକ୍ତିଗତ ଗ୍ୟାରଣ୍ଟର ସାଜିଥିଲେ। ଅର୍ଥାତ୍, କମ୍ପାନୀ ଯଦି ଋଣ ପରିଶୋଧ କରିବାରେ ବିଫଳ ହୁଏ, ତେବେ ସେ ନିଜେ ଏହାର ଦାୟିତ୍ୱ ନେଇ ଟଙ୍କା ପରିଶୋଧ କରିବେ ବୋଲି ବ୍ୟାଙ୍କକୁ ପ୍ରତିଶ୍ରୁତି ଦେଇଥିଲେ।

ଏସ୍‌ବିଆଇ ଠାରୁ ଭିଡିଓକନ ଗ୍ରୁପ ୩ ପ୍ରକାର ଋଣ ନେଇଥିଲା। ପ୍ରଥମଟି ହେଉଛି ରୁପି ଟର୍ମ ଲୋନ୍। ଏହା ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପରିଶୋଧ କରିବାକୁ ହେଉଥିବା ଋଣ। ଦ୍ୱିତୀୟଟି ହେଉଛି ୱାର୍କିଂ କ୍ୟାପିଟାଲ୍ ଲୋନ୍, ଯାହା କମ୍ପାନୀର ଦୈନନ୍ଦିନ କାର୍ଯ୍ୟ, ଉତ୍ପାଦନ ଓ ବ୍ୟବସାୟ ପରିଚାଳନା ପାଇଁ ନିଆଯାଏ। ତୃତୀୟଟି ହେଉଛି ଭିଡିଓକନ୍ ଟେଲିକମ୍ୟୁନିକେସନ୍ସ ପୂର୍ବରୁ ନେଇଥିବା ଋଣ।

୨୦୧୬ର ଏକ ଚୁକ୍ତି ଅନୁସାରେ ଭିଡିଓକନ୍ ଇଣ୍ଡଷ୍ଟ୍ରିଜ୍ ଟେଲିକମ୍ ଋଣର ଦାୟିତ୍ୱ ମଧ୍ୟ ନେଇଥିଲା। ସମସ୍ତ ଋଣର ପରିଷୋଧ ପାଇଁ ଧୁତ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇଥିଲେ। ଏହି ଋଣଗୁଡ଼ିକ ପରିଶୋଧ ନହେବାରୁ ବ୍ୟାଙ୍କଗୁଡ଼ିକ କେବଳ କମ୍ପାନୀ ବିରୋଧରେ ନୁହେଁ, ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇଥିବା ଧୁତଙ୍କ ବିରୋଧରେ ମଧ୍ୟ ପଦକ୍ଷେପ ନେଇଥିଲେ। କାରଣ ଭାରତୀୟ କଣ୍ଟ୍ରାକ୍ଟ ଆଇନର ଧାରା ୧୨୮ ଅନୁସାରେ, ଗ୍ୟାରେଣ୍ଟରଙ୍କ ଦାୟିତ୍ୱ ସାଧାରଣତଃ ମୁଖ୍ୟ ଋଣଧାରୀଙ୍କ ଦାୟିତ୍ୱ ସହ ସମାନ ହୋଇଥାଏ।

ଚୁକ୍ତିରେ ଅନ୍ୟ କିଛି ସର୍ତ୍ତ ନଥିଲେ ବ୍ୟାଙ୍କ ପ୍ରଥମେ କମ୍ପାନୀଠାରୁ ସମସ୍ତ ଟଙ୍କା ଆଦାୟ କରିବାକୁ ବାଧ୍ୟ ନୁହେଁ। ସୁପ୍ରିମକୋର୍ଟ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବ୍ୟାଙ୍କ ଆବଶ୍ୟକ ସର୍ତ୍ତ ପୂରଣ ହୋଇଥିଲେ କମ୍ପାନୀ ସହିତ ଗ୍ୟାରେଣ୍ଟରଙ୍କ ବିରୋଧରେ ମଧ୍ୟ ଆଇନଗତ ପଦକ୍ଷେପ ନେଇପାରିବ। ତେବେ ଏହାର ଅର୍ଥ ନୁହେଁ ଯେ ବ୍ୟାଙ୍କ ଗୋଟିଏ ଋଣ ପାଇଁ ଦୁଇଥର ଟଙ୍କା ଆଦାୟ କରିପାରିବ।

SBI କାହିଁକି ଦାବି କରୁଛି ୧୨,୬୬୮ କୋଟି ଟଙ୍କା?

ନଭେମ୍ବର ୫ର NCLT ଆଦେଶ ଅନୁସାରେ, ୨୦୨୬ ସେପ୍ଟେମ୍ବର ୩୦ ସୁଦ୍ଧା ସୁଧ ଓ ଜରିମାନ ମିଶାଇ SBIର ମୋଟ ବକେୟା ରାଶି ୧୨,୬୬୮ କୋଟି ଟଙ୍କା ଥିଲା। ଏହି ରାଶିକୁ ତିନିଟି ଭାଗରେ ବିଭକ୍ତ କରାଯାଇଛି। ରୁପି ଟର୍ମ ଲୋନ୍ ବାବଦରେ ୯,୩୨୨.୧୧ କୋଟି ଟଙ୍କା, ଟେଲିକମ୍ ଋଣ ବାବଦରେ ୧,୪୩୭.୭୬ କୋଟି ଟଙ୍କା ଓ ୱାର୍କିଂ କ୍ୟାପିଟାଲ୍ ଋଣ ବାବଦରେ ୧,୯୦୮.୧୯ କୋଟି ଟଙ୍କା ନେଇଥିବା ଏସ୍‌ବିଆଇ ଦର୍ଶାଇଛି। ମୋଟ ଋଣର ସବୁଠାରୁ ବଡ଼ ଅଂଶ ଟର୍ମ ଲୋନରେ ନିଆଯାଇଛି। ଏହା ପୂର୍ବରୁ ଫେବ୍ରୁଆରୀ ୨୦୧୮ରେ ବ୍ୟାଙ୍କଗୁଡ଼ିକ ୪,୬୪୩.୮୫ କୋଟି ଟଙ୍କାର ଦାବି କରିଥିଲେ। ପରେ ଜୁଲାଇ ୨୦୨୦ରେ SBI ଦେବାଳିଆ ନିୟମ ଅନୁସାରେ ୬,୧୫୭.୫୮ କୋଟି ଟଙ୍କାର ନୂଆ ଦାବି କରିଥିଲା।

୬୦୦ କୋଟି ଟଙ୍କାର ସିଲିଗୁଡ଼ି ପ୍ରସ୍ତାବ କାହିଁକି ଖାରଜ ହେଲା?

ଦେବାଳିଆ ପ୍ରୋସସେସ ସମୟରେ ବେଣୁଗୋପାଳ ଧୁତ ଜୁନ ୧୬ ତାରିଖରେ ଋଣଦାତାମାନଙ୍କୁ ୩୬ ମାସରେ ୬୦୦ କୋଟି ଟଙ୍କା ପରିଶୋଧ କରିବାର ପ୍ରସ୍ତାବ ଦେଇଥିଲେ। ଏହି ଟଙ୍କା ସିଲିଗୁଡ଼ିରେ ଏକ ରିଅଲ୍ ଇଷ୍ଟେଟ୍ ପ୍ରକଳ୍ପ ବିକାଶ କରି ଆଦାୟ କରିବାର ଯୋଜନା ଥିଲା। କିନ୍ତୁ ଏଥିରେ ତୁରନ୍ତ କୌଣସି ଟଙ୍କା ଦେବାର ବ୍ୟବସ୍ଥା ନଥିଲା। ଏହା ବାଦ ପ୍ରକଳ୍ପ ପାଇଁ ଆବଶ୍ୟକ ଅନୁମତି ଓ ଭବିଷ୍ୟତରେ ମିଳିବାକୁ ଥିବା ପାଣ୍ଠିକୁ ନେଇ ସନ୍ଦେହ ରହିଥିବାରୁ ଏହି ପ୍ରକଳ୍ପ ଯେ ସଫଳ ହେବ ସେ ଆଶା ଋଣଦାତାଙ୍କ ପାଖରେ ନଥିଲା। ତେଣୁ ସେମାନେ ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲେ। ଜୁଲାଇ ୧୭ରେ NCLT ଏହି ଯୋଜନାକୁ ଖାରଜ କରି ବ୍ୟକ୍ତିଗତ ଦେବାଳିଆ ସମାଧାନ ପ୍ରକ୍ରିୟା ବନ୍ଦ କରିଥିଲା। ପରେ SBI ଧୁତଙ୍କୁ ଦେବାଳିଆ ଘୋଷଣା ପାଇଁ ଆବେଦନ କରିଥିଲା।

କମ୍ପାନୀ ଓ ପ୍ରମୋଟରଙ୍କ ଦେବାଳିଆ ମାମଲା ଅଲଗା

କମ୍ପାନୀର ଦେବାଳିଆ ମାମଲା ଓ ଧୁତଙ୍କ ବ୍ୟକ୍ତିଗତ ଦିୱାଲିଆ ମାମଲା ଦୁଇଟି ଅଲଗା ପ୍ରକ୍ରିୟା। କମ୍ପାନୀର ସମ୍ପତ୍ତି ଏବଂ ଧୁତଙ୍କ ବ୍ୟକ୍ତିଗତ ସମ୍ପତ୍ତିକୁ ଏକାଠି କରି ଦେଖାଯାଇପାରିବ ନାହିଁ। ଭିଡିଓକନ୍ ଗ୍ରୁପ୍ର କର୍ପୋରେଟ୍ ଦେବାଳିଆ ମାମଲା ୨୦୧୮ ଜୁନ୍ରେ ଆରମ୍ଭ ହୋଇଥିଲା। ପରେ ଏହା ସହିତ ଗ୍ରୁପ୍ର ଅନ୍ୟ ୧୨ଟି କମ୍ପାନୀର ମାମଲାକୁ ଏକାଠି କରାଯାଇଥିଲା। ୨୦୨୧ ଜୁନ୍ରେ NCLT ଟ୍ୱିନ୍ ଷ୍ଟାର୍ ଟେକ୍ନୋଲୋଜିସ୍ର ୨,୯୬୨.୦୨ କୋଟି ଟଙ୍କାର ରିଜୋଲ୍ୟୁସନ୍ ପ୍ଲାନ୍କୁ ଅନୁମୋଦନ କରିଥିଲା। କିନ୍ତୁ ୨୦୨୨ ଜାନୁଆରୀରେ NCLT ଏହି ଅନୁମୋଦନକୁ ରଦ୍ଦ କରି ମାମଲାକୁ ପୁଣି ଋଣଦାତାମାନଙ୍କ ନିକଟକୁ ପଠାଇଥିଲା। କିଛି ଆଇନଗତ ନିୟମ ପାଳନ ହୋଇନଥିବା ନେଇ ଆପତ୍ତି ଉଠିଥିଲା। ଏହି ନିଷ୍ପତ୍ତି ବିରୋଧରେ ଟ୍ୱିନ୍ ଷ୍ଟାର୍ ସୁପ୍ରିମକୋର୍ଟ ଯାଇଥିଲା। ୨୦୨୬ ଅକ୍ଟୋବର ୧୪ ଓ ୨୭ ତାରିଖରେ ଏହି ସମ୍ପର୍କିତ ଆବେଦନଗୁଡ଼ିକର ଶୁଣାଣି ପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ।

ଏବେ ଧୁତଙ୍କ କେଉଁ ସମ୍ପତ୍ତି ଜବତ ହୋଇପାରିବ?

ଦେବାଳିଆ ଘୋଷଣା ପରେ ଟ୍ରଷ୍ଟି ଆଶିଷ ନାରାୟଣଙ୍କ କାମ ହେଉଛି ଧୁତଙ୍କ ସମ୍ପତ୍ତିର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା। ତାଙ୍କ ନାଁରେ କେଉଁ ସମ୍ପତ୍ତି ଅଛି, କେଉଁ ସମ୍ପତ୍ତି ଉପରେ ବ୍ୟାଙ୍କର ଋଣ କିମ୍ବା ବନ୍ଧକ ରହିଛି ଏବଂ କେଉଁ ସମ୍ପତ୍ତି ଆଇନ ଅନୁସାରେ ବିକ୍ରି କରାଯାଇପାରିବ, ସେସବୁର ଯାଞ୍ଚ ହେବ। ଧୁତଙ୍କ ନାଁରେ ଥିବା ସେୟାର ଓ ଅନ୍ୟାନ୍ୟ ଯୋଗ୍ୟ ସମ୍ପତ୍ତି ଏହି ପ୍ରକ୍ରିୟାରେ ସାମିଲ ହୋଇପାରେ। କିନ୍ତୁ କୌଣସି କମ୍ପାନୀର ନାମରେ ଥିବା କାରଖାନାକୁ କେବଳ ଧୁତ ସେହି କମ୍ପାନୀର ମାଲିକ କିମ୍ବା ସେୟାରଧାରୀ ଥିଲେ ବ୍ୟକ୍ତିଗତ ସମ୍ପତ୍ତି ବୋଲି ଧରାଯିବ ନାହିଁ।

ଆଇନ ଅନୁସାରେ କିଛି ସମ୍ପତ୍ତିକୁ ସୁରକ୍ଷା ଦିଆଯାଇଛି। ଅନ୍ୟ ବ୍ୟକ୍ତିଙ୍କ ପାଇଁ ଟ୍ରଷ୍ଟରେ ରଖାଯାଇଥିବା ସମ୍ପତ୍ତି, କିଛି ଆବଶ୍ୟକ ବ୍ୟକ୍ତିଗତ ଜିନିଷ, ନିର୍ଦ୍ଦିଷ୍ଟ ବୀମା ଓ ପେନ୍ସନ୍ ଯୋଜନା ଏହି ସୁରକ୍ଷା ମଧ୍ୟରେ ଆସିପାରେ । ଏହା ସହିତ ସର୍ତ୍ତ ପୂରଣ କଲେ ଋଣମୁକ୍ତ ଘରକୁ ମଧ୍ୟ ସୁରକ୍ଷା ମିଳିପାରେ। ସହରାଞ୍ଚଳରେ ଏହାର ମୂଲ୍ୟ ସୀମା ୨୦ ଲକ୍ଷ ଟଙ୍କା ଏବଂ ଗ୍ରାମାଞ୍ଚଳରେ ୧୦ ଲକ୍ଷ ଟଙ୍କା। ତେବେ ପ୍ରତ୍ୟେକ ସମ୍ପତ୍ତିର ମାଲିକାନା, ମୂଲ୍ୟ ଓ ବନ୍ଧକ ସ୍ଥିତି ଯାଞ୍ଚ ପରେ ହିଁ ଏହା ଉପରେ ନିଷ୍ପତ୍ତି ନିଆଯିବ।

ଦେବାଳିଆ ପରେ ଧୁତଙ୍କ ଉପରେ କେଉଁ କଟକଣା ଲାଗିବ?

NCLTର ଆଦେଶ ପରେ ଭେନୁଗୋପାଳ ଧୁତଙ୍କ ଉପରେ କିଛି ଆଇନଗତ କଟକଣା ଲାଗୁ ହୋଇଛି। ସେ କୌଣସି କମ୍ପାନୀର ନିର୍ଦ୍ଦେଶକ ଭାବେ କାମ କରିପାରିବେ ନାହିଁ। ନୂଆ କମ୍ପାନୀ ଗଠନ, ପ୍ରମୋଟ୍ କିମ୍ବା ପରିଚାଳନା କରିବା ଉପରେ ମଧ୍ୟ କଟକଣା ରହିବ। ଟ୍ରଷ୍ଟିଙ୍କ ପୂର୍ବ ଅନୁମତି ବିନା ସେ ନୂଆ ଋଣ ନେଇପାରିବେ ନାହିଁ କିମ୍ବା ନିଜ ସମ୍ପତ୍ତି ଉପରେ ନୂଆ ବନ୍ଧକ ସୃଷ୍ଟି କରିପାରିବେ ନାହିଁ। ବିଦେଶ ଯାତ୍ରା ପାଇଁ ଟ୍ରିବ୍ୟୁନାଲ୍ର ଅନୁମତି ଆବଶ୍ୟକ ହେବ। ଏହା ସହିତ ସେ ନିଜ ବ୍ୟବସାୟିକ ସହଯୋଗୀମାନଙ୍କୁ ନିଜର ଦେବାଳିଆ ସ୍ଥିତି ବିଷୟରେ ଜଣାଇବାକୁ ବାଧ୍ୟ ହେବେ।

SBI କେତେ ଟଙ୍କା ଫେରିପାଇବ?

ଏସବିଆଇ ୧୨,୬୬୮ କୋଟି ଟଙ୍କା ର ଦାବି କରୁଥିଲେ ବି ଏହାର ଅର୍ଥ ନୁହେଁ ଯେ ବ୍ୟାଙ୍କ ସମ୍ପୂର୍ଣ୍ଣ ଟଙ୍କା ଫେରିପାଇବ। ପ୍ରଥମେ ଟ୍ରଷ୍ଟି ଧୁତଙ୍କ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରିବେ। ଏହା ପରେ ଋଣଦାତାଙ୍କ ଦାବି ଯାଞ୍ଚ କରାଯିବ। ସମ୍ପତ୍ତି ବିକ୍ରି କରି କେତେ ଟଙ୍କା ମିଳିବ ଏବଂ କେଉଁ ଋଣଦାତା କେତେ ଟଙ୍କା ପାଇବେ, ତାହା ଆଇନ ଅନୁସାରେ ନିର୍ଦ୍ଧାରଣ ହେବ। ଦେବାଳିଆ ପ୍ରକ୍ରିୟାର ପ୍ରଶାସନିକ ଖର୍ଚ୍ଚ ପ୍ରଥମେ ପରିଶୋଧ ହେବ। ଏହାପରେ ଆଇନ ଅନୁସାରେ ସୁରକ୍ଷିତ ଋଣଦାତା ଓ କିଛି ଶ୍ରମିକଙ୍କ ବକେୟା ଦରମାକୁ ପ୍ରାଥମିକତା ମିଳିବ। SBI ଏହି ମାମଲା ଆରମ୍ଭ କରିଛି ବୋଲି ଏହାକୁ ସମସ୍ତଙ୍କଠାରୁ ପ୍ରଥମେ ଟଙ୍କା ମିଳିବ ବୋଲି କୁହାଯାଇପାରିବ ନାହିଁ।

ଟ୍ରଷ୍ଟିଙ୍କୁ ଧୁତଙ୍କଠାରୁ ସାତ ଦିନ ମଧ୍ୟରେ ଆର୍ଥିକ ବିବରଣୀ ଦାଖଲ କରାଇବାକୁ ପଡ଼ିବ। ୧୦ ଦିନ ମଧ୍ୟରେ ଋଣଦାତାମାନଙ୍କୁ ସୂଚନା ଦେବା ସହ ଦାବି ଦାଖଲ ପାଇଁ ନୋଟିସ୍ ଜାରି କରାଯିବ। ଦେବାଳିଆ ପ୍ରକ୍ରିୟା ଆରମ୍ଭ ହେବାର ୯୦ ଦିନ ମଧ୍ୟରେ ଟ୍ରଷ୍ଟିଙ୍କୁ ପ୍ରାରମ୍ଭିକ ରିପୋର୍ଟ ଦେବାକୁ ପଡ଼ିବ।



Source link

Leave A Reply

Your email address will not be published.