Voice of Eastern India

୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ITI ଅଧ୍ୟକ୍ଷ, ରାଉରକେଲା ଫ୍ଲାଟ୍ରୁ ମିଳିଲା ୫.୧୬ ଲକ୍ଷ ଟଙ୍କା


ବଲାଙ୍ଗୀର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ସରକାରୀ ITI ଅଧ୍ୟକ୍ଷ। ଗେଷ୍ଟ ଇନଷ୍ଟ୍ରକ୍ଟରଙ୍କ ଚାକିରି ଜାରି ରଖିବା ଏବଂ ନିୟମିତ ଦରମା ପ୍ରଦାନ ପାଇଁ ଲାଞ୍ଚ ମାଗିବା ଅଭିଯୋଗରେ ବଲାଙ୍ଗୀର ସରକାରୀ ITIର ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରାଙ୍କୁ ଧରିଛି ଓଡ଼ିଶା ଭିଜିଲାନ୍ସ। ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଶୁକ୍ରବାର ତାଙ୍କୁ ଧରିଛି ଭିଜିଲାନ୍ସ ।

ସୂଚନା ଅନୁଯାୟୀ, ବଲାଙ୍ଗୀର ସରକାରୀ ITIର ୯ ଜଣ ଗେଷ୍ଟ ଇନଷ୍ଟ୍ରକ୍ଟରଙ୍କଠାରୁ ସେ ମୋଟ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ସେମାନଙ୍କ ଚାକିରି ଜାରି ରଖିବା ସହ ନିୟମିତ ଦରମା ଉଠାଇବାରେ ସହଯୋଗ କରିବା ବଦଳରେ ଏହି ଟଙ୍କା ମାଗିଥିବା ଅଭିଯୋଗ ହୋଇଛି। ଟଙ୍କା ନଦେଲେ ସେମାନଙ୍କୁ ଚାକିରିରୁ ବାହାର କରିଦେବାକୁ ମଧ୍ୟ ଧମକ ଦେଇଥିବା ଭିଜିଲାନ୍ସକୁ ଅଭିଯୋଗ କରିଥିଲେ ଇନଷ୍ଟ୍ରକ୍ଟରମାନେ।

ଏମିତିରେ ଅନ୍ୟ କୌଣସି ଉପାୟ ନପାଇ ଗେଷ୍ଟ ଇନଷ୍ଟ୍ରକ୍ଟରମାନେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଜାଲ ବିଛାଇଥିଲା। ଶୁକ୍ରବାର ବଲାଙ୍ଗୀର ରେଳ ଷ୍ଟେସନରେ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ବାବଦ ୩୦ ହଜାର ଟଙ୍କାର ପ୍ରଥମ କିସ୍ତି ଗ୍ରହଣ କରୁଥିବା ସମୟରେ ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରାଙ୍କୁ ଭିଜିଲାନ୍ସ ଟିମ୍ କାବୁ କରିଥିଲା। ତାଙ୍କ ନିକଟରୁ ସମସ୍ତ ୩୦ ହଜାର ଟଙ୍କା ଜବତ କରାଯାଇଛି।

Also Read: ଭିଜିଲାନ୍ସକୁ ଦେଖି ପୋଖରୀକୁ ଡେଇଁ ପଡ଼ିଲେ ପୋଲିସ ଏସ୍ଆଇ, ପିଛା କରି ଧରିଲା ଟିମ୍

ଅନ୍ୟପଟେ, ଲାଞ୍ଚ ଟଙ୍କା ସହ ଅଧ୍ୟକ୍ଷ ଧରାପଡ଼ିବା ପରେ ତାଙ୍କ ସହ ଜଡ଼ିତ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଏହି ଚଢ଼ାଉ ସମୟରେ ରାଉରକେଲାସ୍ଥିତ ତାଙ୍କ ଆବାସିକ ଫ୍ଲାଟ୍ରୁ ନଗଦ ୫ ଲକ୍ଷ ୧୬ ହଜାର ଟଙ୍କା ଠାବ କରାଯାଇ ଜବତ ହୋଇଛି। ଆୟବହିର୍ଭୂତ ସମ୍ପତ୍ତି ଦିଗକୁ ନେଇ ମଧ୍ୟ ତଦନ୍ତ ଜାରି ରହିଛି।

ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୨, ତାରିଖ ୦୫.୧୧.୨୦୨୬ରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଅଭିଯୁକ୍ତ ଅଧ୍ୟକ୍ଷଙ୍କ ବିରୋଧରେ ତଦନ୍ତ ଚାଲିଥିବା ବେଳେ ଭିଜିଲାନ୍ସର ଚଢ଼ାଉ ମଧ୍ୟ ଜାରି ରହିଛି।



Source link

Leave A Reply

Your email address will not be published.