Voice of Eastern India

ଦେବଗଡ଼ରେ ଅଘଟଣ: ପୋଖରୀରେ ବୁଡ଼ି ଯାତ୍ରା କଳାକାରଙ୍କ ମୃତ୍ୟୁ


ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ରେଙ୍ଗାଳବେଡ଼ା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଜଣେ ଯାତ୍ରା କଳାକାରଙ୍କ ମୃତ୍ୟୁ ହୋଇଛି। ମୃତ କଳାକାର ହେଉଛନ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ମହୀପୁର ଗ୍ରାମର ୩୮ ବର୍ଷୀୟ ଲିଟୁ ନାଏକ। ସେ ସ୍ୱର୍ଗତ ମୁଷା ନାୟକଙ୍କ ପୁଅ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଲିଟୁ ନାଏକ ପଶ୍ଚିମ ଓଡ଼ିଶାର ଏକ ଯାତ୍ରା ପାର୍ଟି ‘ୱେଷ୍ଟର୍ଣ୍ଣ ଓଡ଼ିଶା ଯାତ୍ରା ପାର୍ଟି’ରେ ଅଭିନୟ କରୁଥିଲେ। ଯାତ୍ରା ପରିବେଷଣ ପାଇଁ ସେ ନିଜ ଦଳ ସହ ଦେବଗଡ଼ ଜିଲ୍ଲାର ରେଙ୍ଗାଳବେଡ଼ା ଗ୍ରାମକୁ ଆସିଥିଲେ। ଗ୍ରାମରେ ରହଣି ସମୟରେ ଶୌଚ ପାଇଁ ସେ ଏକ ପୋଖରୀକୁ ଯାଇଥିଲେ। ତେବେ କୌଣସି କାରଣରୁ ପୋଖରୀରେ ବୁଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ଲିଟୁଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରେ ରିଆମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

Also Read: ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ପରେ ହତ୍ୟା : ପୀଡ଼ିତାଙ୍କ ପରିବାରକୁ ଭେଟିଲେ ମହିଳା କମିଶନ ଓ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ବର୍ତ୍ତମାନ ମୃତଦେହକୁ ଦେବଗଡ଼ ଡାକ୍ତରଖାନାର ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି। ଘଟଣାକୁ ନେଇ ରିଆମାଳ ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଯାତ୍ରା କଳାକାର ଲିଟୁ ନାଏକଙ୍କ ଅକାଳ ମୃତ୍ୟୁକୁ ନେଇ ତାଙ୍କ ସହକର୍ମୀ ଓ ପରିଚିତ ମହଲରେ ଦୁଃଖର ଛାୟା ଖେଳିଯାଇଛି।



Source link

Leave A Reply

Your email address will not be published.