ନୂଆଦିଲ୍ଲୀ,୦୪।୧୦:ସିଏନଜି କାର୍ ଚଳାଉଥିବା ଲୋକଙ୍କ ପାଇଁ ଗାଡ଼ିରେ ଗ୍ୟାସ୍ ଭରିବା ଏକ ଦୈନନ୍ଦିନ କାମ। ହେଲେ ସିଏନଜି ଭରିବା ସମୟରେ ଟିକିଏ ଅସାବଧାନତା ବଡ଼ ଦୁର୍ଘଟଣାର କାରଣ ହୋଇପାରେ। ଗୁଜରାଟର କରଜନରେ ଜାତୀୟ ରାଜପଥ-୪୮ କଡ଼ରେ ଥିବା ଏକ ସିଏନଜି ଷ୍ଟେସନରେ ଗାଡ଼ିରେ ଗ୍ୟାସ୍ ଭରିବା ସମୟରେ ହଠାତ୍ ବିସ୍ଫୋରଣ ଘଟିଥିଲା। ଧମାକା ଏତେ ଭୟଙ୍କର ଥିଲା ଯେ ଗାଡ଼ିର ସିଏନଜି ଟ୍ୟାଙ୍କ ଫାଟିଯିବା ସହ ଏହାର ଭଗ୍ନାବଶେଷ ଅନେକ ମିଟର ଦୂରକୁ ଛିଟିକି ପଡ଼ିଥିଲା। ଆଖପାଖରେ ଥିବା ଗାଡ଼ିଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ସୌଭାଗ୍ୟବଶତଃ ଘଟଣା ସମୟରେ ଗାଡ଼ି ଭିତରେ କେହି ନଥିଲେ। ତେବେ ସିଏନଜି ଭରିବା ବେଳେ କେଉଁ କେଉଁ ସାବଧାନତା ଅବଲମ୍ବନ କରିବା ଜରୁରୀ, ଆସନ୍ତୁ ଜାଣିବା…
ସିଏନଜି ଭରିବା ବେଳେ ଗାଡ଼ିରୁ ବାହାରି ଆସନ୍ତୁ:
ସିଏନଜି ଫିଲିଂ ଆରମ୍ଭ ହେବା ପୂର୍ବରୁ ଡ୍ରାଇଭରଙ୍କ ସମେତ ସମସ୍ତ ଯାତ୍ରୀ ଗାଡ଼ିରୁ ବାହାରି ଆସିବା ଉଚିତ। ଗ୍ୟାସ୍ ଭରିବା ସମୟରେ ଗାଡ଼ିଠାରୁ ନିରାପଦ ଦୂରତାରେ ରହିବା ଭଲ। ଫିଲିଂ ସମୟରେ ଗାଡ଼ି ଭିତରେ ବସି ରହିବା ଉଚିତ ନୁହେଁ।
ଇଞ୍ଜିନ ସହ ଇଲେକ୍ଟ୍ରିକାଲ୍ ସିଷ୍ଟମ ବନ୍ଦ କରନ୍ତୁ:
ସିଏନଜି ଭରିବା ପୂର୍ବରୁ ଗାଡ଼ିର ଇଞ୍ଜିନ୍ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ। ଏହା ସହ ଏସି, ହେଡ୍ଲାଇଟ୍, ମ୍ୟୁଜିକ୍ ସିଷ୍ଟମ ଏବଂ ମୋବାଇଲ୍ ଚାର୍ଜର ଭଳି ବିଦ୍ୟୁତ୍ ଉପକରଣ ମଧ୍ୟ ବନ୍ଦ ରଖନ୍ତୁ। ଫିଲିଂ ସମୟରେ କୌଣସି ପ୍ରକାର ସ୍ପାର୍କିଂରୁ ବିପଦ ବଢ଼ିପାରେ। ତେଣୁ ଅନାବଶ୍ୟକ ଇଲେକ୍ଟ୍ରିକାଲ୍ ସିଷ୍ଟମ ଚାଲୁ ରଖନ୍ତୁ ନାହିଁ।
ଭରସାଯୋଗ୍ୟ ସିଏନଜି ଷ୍ଟେସନ ବାଛନ୍ତୁ:
ସବୁବେଳେ ଏଭଳି ସିଏନଜି ଷ୍ଟେସନରୁ ଗ୍ୟାସ୍ ଭରନ୍ତୁ, ଯେଉଁଠାରେ ସୁରକ୍ଷା ବ୍ୟବସ୍ଥା ଭଲ ଥିବା ସହ ମେସିନ୍ ଓ ଉପକରଣର ନିୟମିତ ରକ୍ଷଣାବେକ୍ଷଣ ହେଉଥିବ। କେବଳ କମ୍ ଭିଡ଼ କିମ୍ବା ସୁବିଧା ଦେଖି ଅଜଣା ବା ସନ୍ଦେହଜନକ ସ୍ଥାନରୁ ସିଏନଜି ଭରିବା ଠାରୁ ଦୂରେଇ ରହନ୍ତୁ।
ଆଫ୍ଟରମାର୍କେଟ୍ ସିଏନଜି କିଟର ନିୟମିତ ଯାଞ୍ଚ କରନ୍ତୁ:
ଯଦି ଆପଣଙ୍କ ଗାଡ଼ିରେ ଆଫ୍ଟରମାର୍କେଟ୍ ସିଏନଜି କିଟ୍ ଲାଗିଛି, ତେବେ ଏହାର ଫିଟିଂ ଓ ଅନ୍ୟାନ୍ୟ ଅଂଶର ନିୟମିତ ଯାଞ୍ଚ କରାନ୍ତୁ। ପାଇପ୍ଲାଇନ୍, ରେଗୁଲେଟର ଓ କନେକ୍ସନରେ କୌଣସି ତ୍ରୁଟି ଥିଲେ ତାହାକୁ ଅଣଦେଖା କରନ୍ତୁ ନାହିଁ। ଯାଞ୍ଚ ପାଇଁ ପଞ୍ଜୀକୃତ ୱାର୍କସପର ସହାୟତା ନେବା ଭଲ।
ସିଏନଜି ସିଲିଣ୍ଡର ଯାଞ୍ଚ କରିବା ଆବଶ୍ୟକ:
CNG ସିଲିଣ୍ଡରର ବ୍ୟବହାର ସମୟସୀମା ଏବଂ ଏହା ସହ ଜଡ଼ିତ ବାଧ୍ୟତାମୂଳକ ପରୀକ୍ଷା ସମ୍ପର୍କରେ ଅବଗତ ରୁହନ୍ତୁ। ସମୟ ଅନୁସାରେ ଆବଶ୍ୟକ ଟେଷ୍ଟ କରାଇବା ଜରୁରୀ। ପୁରୁଣା କିମ୍ବା କ୍ଷତିଗ୍ରସ୍ତ ସିଲିଣ୍ଡର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିପାରେ।
ନୋଜଲ୍ ଓ ପାଇପ୍ ଉପରେ ନଜର ରଖନ୍ତୁ:
ସିଏନଜି ଭରିବା ସମୟରେ ନୋଜଲ୍ କିମ୍ବା ପାଇପରୁ ଲିକେଜ୍, ଅସ୍ୱାଭାବିକ ଶବ୍ଦ କିମ୍ବା ଅନ୍ୟ କୌଣସି ସମସ୍ୟାର ସଙ୍କେତ ମିଳିଲେ ତୁରନ୍ତ ଷ୍ଟେସନ୍ କର୍ମଚାରୀଙ୍କୁ ଜଣାନ୍ତୁ। ନିଜେ ଯାଞ୍ଚ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଆବଶ୍ୟକ ହେଲେ ସୁରକ୍ଷିତ ସ୍ଥାନକୁ ଚାଲିଯାଆନ୍ତୁ।
ସିଏନଜି ଷ୍ଟେସନରେ ମୋବାଇଲ୍ ବ୍ୟବହାରରୁ ଦୂରେଇ ରୁହନ୍ତୁ:
ସିଏନଜି ଭରିବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ନକରିବା ଭଲ। ଷ୍ଟେସନରେ ଲାଗିଥିବା ସମସ୍ତ ସୁରକ୍ଷା ନିର୍ଦ୍ଦେଶ ପାଳନ କରନ୍ତୁ। ଫିଲିଂ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଏଭଳି କୌଣସି କାର୍ଯ୍ୟରୁ ଦୂରେଇ ରୁହନ୍ତୁ, ଯାହା ସୁରକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରିପାରେ।
ସିଏନଜି ସିଷ୍ଟମର ସର୍ଭିସିଂ ସମୟରେ କରାନ୍ତୁ:
ସିଏନଜି କାରର ନିୟମିତ ସର୍ଭିସିଂ କେବଳ ମାଇଲେଜ୍ ଓ ପରଫର୍ମାନ୍ସ ପାଇଁ ନୁହେଁ, ବରଂ ସୁରକ୍ଷା ପାଇଁ ମଧ୍ୟ ଜରୁରୀ। ପାଇପ୍ଲାଇନ୍, ରେଗୁଲେଟର ଏବଂ ଅନ୍ୟ ଜରୁରୀ ଅଂଶର ସମୟାନୁସାରେ ଯାଞ୍ଚ କରାନ୍ତୁ। ଗାଡ଼ିରେ କୌଣସି ତ୍ରୁଟିର ସଙ୍କେତ ଦେଖାଦେଲେ ତାହାକୁ ଏଡ଼ାଇ ନଯାଇ ଅଧିକୃତ ୱାର୍କସପରେ ତୁରନ୍ତ ଯାଞ୍ଚ କରାନ୍ତୁ। ଉଲ୍ଲେଖଯୋଗ୍ୟ ଯେ, ସିଏନଜି ଭରିବା ସମୟରେ ଛୋଟ ଲାଗୁଥିବା ଅସାବଧାନତା ମଧ୍ୟ ବଡ଼ ବିପଦ ଆଣିପାରେ। ତେଣୁ ଗାଡ଼ିର ଅବସ୍ଥା ଯାଞ୍ଚ କରିବା ସହ ସିଏନଜି ଷ୍ଟେସନର ସୁରକ୍ଷା ନିୟମକୁ ମଧ୍ୟ କଡ଼ାକଡ଼ି ପାଳନ କରନ୍ତୁ।
