ଭୁବନେଶ୍ଵର: ରାଜ୍ୟରେ ବର୍ଷା କମିବା ସହିତ ତାପମାତ୍ରା ବଢିଛି। ବର୍ତ୍ତମାନ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇଛି। ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଏହା ପ୍ରାୟ ୪ ଡିଗ୍ରୀ ଅଧିକ ରହିଛି। ଏହାର ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଡ ରାଜଶ୍ରୀ।
ତାଙ୍କ ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ଗୋଟିଏ-ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା/ବଜ୍ରପାତ ସହ ବର୍ଷା ହୋଇପାରେ। ଅନ୍ୟ ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ।
Also read: ସୁବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ, ୨ ନାବାଳକ ଏବେବି ନିଖୋଜ
ସେହିପରି ଆସନ୍ତାକାଲି ପାଇଁ ମଧ୍ୟ ବାଲେଶ୍ୱର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଅନ୍ୟ କିଛି ଜିଲ୍ଲାର ଗୋଟିଏ-ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା/ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ଫଳରେ ଗତ କିଛି ଦିନ ହେବ ବଢିଥିବା ତାପମାତ୍ର ହ୍ରାସ ପାଇବ।
ଏପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ପ୍ରକ୍ରିୟା ଜାରି ରହିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମହାରାଷ୍ଟ୍ର ଓ ଛତିଶଗଡ଼ର ଅଧିକାଂଶ ଅଞ୍ଚଳ ସମେତ ତେଲେଙ୍ଗାନା ଓ ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକର କିଛି ଅଞ୍ଚଳରୁ ମୌସୁମୀ ବାୟୁ ପ୍ରତ୍ୟାହାର ପାଇଁ ପରିସ୍ଥିତି ଅନୁକୂଳ ହେବାର ସମ୍ଭାବନା ରହିଛି।
Also Read: ଆସିବ ବାତ୍ୟା ! ଭୟରେ ଗଞ୍ଜାମବାସୀ, ଡରାଇଲାଣି ଅକ୍ଟୋବର
ଗତ ୨୪ ଘଣ୍ଟାରେ ପୁରୀରେ ସର୍ବୋଚ୍ଚ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ,ଭୁବନେଶ୍ୱରରେ ୩୫.୬ ଡିଗ୍ରୀ,କଟକରେ ୩୪.୪ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ୨୦ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି। ପାଣିପାଗ ବିଜ୍ଞାନୀ ଡା. ରାଜଶ୍ରୀ ସ୍ପଷ୍ଟ କରିଛନ୍ତି ଯେ ବର୍ଷାର ପରିମାଣ କମିବା ଏବଂ ମୌସୁମୀ ପ୍ରତ୍ୟାହାର କାରଣରୁ ଦିନବେଳା ଗୁଳୁଗୁଳି ସହିତ ତାପମାତ୍ରା ବୃଦ୍ଧି ପାଉଛି।
