Voice of Eastern India

ଠକ ସ୍ୱାମୀ-ସ୍ତ୍ରୀ ଗିରଫ : ନିଜକୁ ସିଭିଲ ଇଞ୍ଜିନିୟର କହି ଖଣି ବ୍ୟବସାୟୀଙ୍କଠୁ ଲୁଟିଥିଲେ ଲକ୍ଷ ଲକ୍ଷ ଟଙ୍କା


ଭୁବନେଶ୍ୱର, ୦୩/୧୦ : ଜଣେ ଖଣି ବ୍ୟବସାୟୀଙ୍କୁ ଭାବପ୍ରବଣତାରେ ବଶୀଭୂତ କରି ୬୦ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ନକଲି ମହିଳା ଇଞ୍ଜିନିୟର ଓ ତାଙ୍କ ମାଷ୍ଟରମାଇଣ୍ଡ୍ ସ୍ବାମୀଙ୍କୁ ଗିରଫ କରିଛି। ସେମାନେ ହେଲେ ଏୟାରଫିଲ୍ମ ଥାନା ସୁନ୍ଦରପଦା ପ୍ରଜ୍ଞ ଏନକ୍ଳେଭରେ ରହୁଥିବା ଯାଜପୁର ଟାଉନ୍ ପାଟପୁରର ଦୀନେଶ ରଞ୍ଜନ ଦାଶ(୩୦) ଏବଂ ପତ୍ନୀ ବ୍ରହ୍ମପୁର ବଡ଼ବଜାରର ସସ୍ମିତା ସାମଲ(୩୦) । ପୁଲିସ ଉଭୟଙ୍କ ନିକଟରୁ ଏକ ଦାମୀ କାର, ୫ ଦାମୀ ମୋବାଇଲ ଏବଂ କିଛି କାଗଜପତ୍ର ଜବତ କରିଛି।

ପୁଲିସ ସୂଚନା ଅନୁଯାୟୀ, କେନ୍ଦୁଝରରେ ଖଣି ବ୍ୟବସାୟ କରୁଥିବା ତଥା ସୂର୍ଯ୍ୟନଗରରେ ଅଫିସ କରିଥିବା ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କୁ ୨୦୨୪ ମସିହାରେ ସସ୍ମିତା ସାମଲ ନିଜକୁ ପ୍ରିୟଙ୍କା ପ୍ରଧାନ ବୋଲି ମିଥ୍ୟା ପରିଚୟ ଦେଇ ଭେଟିଥିଲେ। ନିଜକୁ ଜଣେ ଯୋଗ୍ୟ ସିଭିଲ ଇଞ୍ଜିନିୟର ବୋଲି ପରିଚୟ ଦେଇ ଚାକିରି ପାଇଁ ନିବେଦନ କରିଥିଲେ। ଶ୍ରୀ ପଟ୍ଟନାୟକ ତାଙ୍କୁ ନିଜ କମ୍ପାନୀରେ କାମ କରିବାକୁ ଅନୁମତି ଦେଇଥିଲେ। କାମରେ ଯୋଗଦେବା ପୂର୍ବରୁ ସସ୍ମିତା ଏକ ଦୁର୍ଘଟଣାର ଶିକାର ହୋଇ ହସ୍ପିଗଲରେ ଥିବା କହି ଶ୍ରୀ ପଟ୍ଟନାୟକଙ୍କୁ କିଛି ଟଙ୍କା ମାଗିଥିଲେ।

Also Read :- ଓଡ଼ିଶା ବିଜେପିକୁ ମିଳିବ ପାଓ୍ୱାର, ନୂଆ ମନ୍ତ୍ର ଦେବେ ପୁରନ୍ଦେଶ୍ୱରୀ ! ଦୁଇ ଦିନିଆ ଗସ୍ତରେ ମାରାଥନ୍ ବୈଠକ

ଶ୍ରୀ ପଟ୍ଟନାୟକ ବିଶ୍ବାସ କରି ଡିଜିଟାଲ ମୋଡ୍ ମାଧ୍ୟମରେ ସସ୍ମିତାଙ୍କ ସଂପର୍କୀୟ ଭଉଣୀଙ୍କ ଆକାଉଣ୍ଟ୍କୁ ଟଙ୍କା ପଠାଇଥିଲେ। ପରବର୍ତ୍ତୀ ସମୟରେ ମୁଖ୍ୟ ଅଭିଯୁକ୍ତ ତଥା ସସ୍ମିତାଙ୍କ ସ୍ବାମୀ ଦିନେଶ ରଞ୍ଜନ ଦାଶ ଏବଂ ସସ୍ମିତା ଉଭୟ ମିଶି ଏକ ଷଡ଼ଯନ୍ତ୍ର ରଚିଥିଲେ। ଶ୍ରୀ ପଟ୍ଟନାୟକଙ୍କ ସରଳତାର ସୁଯୋଗ ନେଇ ସସ୍ମିତା ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ଏମବିଏ ପାଠପଢ଼ା, ମେଡିକାଲ ଖର୍ଚ୍ଚ ଏବଂ ଅନ୍ୟାନ୍ୟ ବାହାନା କରି ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୬୦ ଲକ୍ଷ ଟଙ୍କା ଠକି ନେଇଥିଲେ।

ବେଙ୍ଗାଲୁରରେ ଏକ ନକଲି ସଂସ୍ଥା ଖୋଲି ସେହି ଆକାଉଣ୍ଟକୁ ମଧ୍ୟ ଶ୍ରୀ ପଟ୍ଟନାୟକଙ୍କ ଠାରୁ ଟଙ୍କା ନେଇଥିଲେ। ଉକ୍ତ ଟଙ୍କାକୁ ଦିନେଶ ନିଜ ଆକାଉଣ୍ଟକୁ ନେଇ ଏକ ଦାମୀ କାର କିଣିବା ସହ ଅୟସ କରୁଥିଲେ। ଏହି ଠକେଇ ବିଷୟରେ ଜାଣିବା ପରେ ଶ୍ରୀ ପଟ୍ଟନାୟକ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। କ୍ୟାପିଟାଲ ଥାନା ପୁଲିସ ଏକ ଠକେଇ ମାମଲା ରୁଜୁ କରି ଦୀନେଶ ଏବଂ ସସ୍ମିତାଙ୍କୁ ସୁନ୍ଦରପଦାରୁ ଗିରଫ କରିବାରେ ସଫଳ ହୋଇଥିଲା । ପୁଲିସ ତଦନ୍ତରୁ ଦୀନେଶ ପୂର୍ବରୁ ଯାଜପୁର ଥାନାରେ ମଧ୍ୟ ଏକ ମାମଲାରେ ସଂପୃକ୍ତ ଥିବା ଜଣା ପଡ଼ିଥିଲା।

ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ କୋର୍ଟ ଚାଲାଣ କରା ଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଏମାନେ ଏପରି ଆଉ କେତେ ଲୋକଙ୍କୁ ଠକେଇ କରିଛନ୍ତି, ସେନେଇ ତଦନ୍ତ ଜାରି ରହିଥିବା ପୁଲିସ କହିଛି ।



Source link

Leave A Reply

Your email address will not be published.