ଗୋଟିଏ ମେସେଜ୍ ପାଇଁ WhatsApp ନେବ ୧୪ ପଇସା, ଅକ୍ଟୋବର ୧ରୁ ହେବ ଲାଗୁ; ଜାଣନ୍ତୁ ୟୁଜର୍ସଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ ?
ନୂଆଦିଲ୍ଲୀ: ହ୍ୱାଟ୍ସଆପରେ ଏଣିକି ଗୋଟିଏ ମେସେଜ୍ ପଠାଇବା ପାଇଁ ୧୪ ପଇସା ଖର୍ଚ୍ଚ କରିବାକୁ ପଡ଼ିବ । ହ୍ୱାଟ୍ସଆପକୁ ନେଇ ଏହି ଦାବି କରାଯାଉଛି । ତେବେ ଏହି ଦାବି ଭୁଲ୍ ନୁହେଁ । ଏହି ଖବର ମେଟା ଦ୍ୱାରା ଜାରି କରାଯାଇଥିବା ନୂଆ ପ୍ରାଇସିଂ ଡକ୍ୟୁମେଣ୍ଟସରୁ ସାମ୍ନାକୁ ଆସିଛି । ଏପରି ପରିସ୍ଥିତିରେ, ଏବେ ୟୁଜରଙ୍କ ମନରେ ପ୍ରଶ୍ନ ଯେ କ’ଣ ହ୍ୱାଟ୍ସଆପରେ ମେସେଜ୍ ପଠାଇବା ପାଇଁ ଟଙ୍କା ଦେବାକୁ ପଡ଼ିବ ?
ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ ?
ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କୁ ହ୍ୱାଟ୍ସଆପରେ ମେସେଜ୍ ପଠାଇବା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ, ତେବେ ସେପରି କିଛି ହେବାକୁ ଯାଉ ନାହିଁ । ସାଧାରଣ ଲୋକଙ୍କ ପାଇଁ ହ୍ୱାଟ୍ସଆପ୍ ପୂର୍ବପରି ସମ୍ପୂର୍ଣ୍ଣ ମାଗଣା ରହିବ । କେବଳ ସେତିକି ନୁହେଁ, ଯଦି ଆପଣ କୌଣସି ବିଜନେସ୍ ଆକାଉଣ୍ଟ୍ ସହିତ ଚାଟ୍ କରୁଛନ୍ତି, ତେବେ ବି ଆପଣଙ୍କୁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ । ଏହି ନୂଆ ବିଲିଂ ସିଷ୍ଟମ୍ କେବଳ ବଡ଼ କର୍ପୋରେଟ୍ ଏବଂ ଏଣ୍ଟରପ୍ରାଇଜ୍ ଲେଭଲ୍ ବିଜନେସ୍ ଏପିଆଇ ଆକାଉଣ୍ଟଗୁଡ଼ିକ ପାଇଁ ଲାଗୁ ହେବ ।
ମେସେଜ୍ ପାଇଁ କିଏ ଦେବ ଟଙ୍କା ?
ହ୍ୱାଟ୍ସଆପ୍ ପ୍ରତି ମେସେଜ୍ ପାଇଁ ସେହି କମ୍ପାନି, ବ୍ୟାଙ୍କ, ଅନଲାଇନ୍ ସପିଂ ଆପ୍ ଏବଂ ବଡ଼ ଷ୍ଟାର୍ଟଅପ୍ ଗୁଡ଼ିକଠାରୁ ଚାର୍ଜ ନେବ, ଯେଉଁମାନେ ଗ୍ରାହକମାନଙ୍କୁ ଅଟୋମେଟେଡ୍ ମେସେଜ୍ ପଠାନ୍ତି । ଉଦାହରଣ ପାଇଁ ଆପଣଙ୍କୁ ବ୍ୟାଙ୍କରୁ ବାଲାନ୍ସ ଆଲର୍ଟ, ଇ-କମର୍ସ ପ୍ଲାଟଫର୍ମରୁ ଡେଲିଭରୀ ସୂଚନା କିମ୍ବା କୌଣସି କମ୍ପାନିରୁ ଓଟିପି ଆସେ, ସେତେବେଳେ ସେହି ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିତ ଏଥିପାଇଁ ଅର୍ଥ ପ୍ରଦାନ କରନ୍ତି । ଏହି ସମସ୍ତ ଟଙ୍କା ସିଧାସଳଖ ମେଟା ନିକଟକୁ ଯାଏ ।
କଣ ବଦଳିବ ନିୟମ ?
ମେଟା ଜୁଲାଇ ୧, ୨୦୨୫ରୁ ୨୪ ଘଣ୍ଟାର କନଭରସେସନ୍ ବେସ୍ଡ ମୋଡେଲକୁ ଶେଷ କରି ପ୍ରତି ମେସେଜ୍ ହିସାବରେ ଟଙ୍କା ନେବା ସିଷ୍ଟମ୍ ଆରମ୍ଭ କରିଥିଲା । ଏଥିରେ ଅକ୍ଟୋବର ୧ରୁ ଏକ ବଡ଼ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି । ଏହା ଅଧୀନରେ କଷ୍ଟମର୍ ସପୋର୍ଟ ୱିଣ୍ଡୋରେ ପଠାଯାଉଥିବା ୟୁଟିଲିଟି ମେସେଜ୍ ଏବଂ ନିର୍ଦ୍ଧାରିତ ଫ୍ରି ଲିମିଟରୁ ଅଧିକ ସର୍ଭିସ୍ ମେସେଜ୍ ଉପରେ ମଧ୍ୟ କମ୍ପାନିଗୁଡ଼ିକଠାରୁ ଚାର୍ଜ ନିଆଯିବ । ଏହାର ଅର୍ଥ ହେଉଛି କଷ୍ଟମର୍ କେୟାର୍ ଏବଂ ସପୋର୍ଟ ପାଇଁ ପଠାଯାଉଥିବା ସର୍ଭିସ୍ ମେସେଜ୍ ପାଇଁ ପ୍ରତ୍ୟେକ ବିଜନେସ୍ ଫୋନ୍ ନମ୍ବରକୁ ମାସକୁ ୧୦୦୦ଟି ମେସେଜ୍ ମାଗଣା ମିଳିବ । ଏହି କୋଟା ଶେଷ ହେବା ପରେ ପ୍ରତି ମେସେଜ୍ ହିସାବରେ ଚାର୍ଜ ଦେବାକୁ ପଡ଼ିବ । ଏହା ବ୍ୟତୀତ ଏପର୍ଯ୍ୟନ୍ତ ଗ୍ରାହକଙ୍କ ମେସେଜ୍ ଆସିବା ପରେ ୨୪ ଘଣ୍ଟାର ୱିଣ୍ଡୋ ମଧ୍ୟରେ ଦିଆଯାଉଥିବା ୟୁଟିଲିଟି ମେସେଜ୍ ମାଗଣା ଥିଲା, ସେଗୁଡ଼ିକ ଉପରେ ମଧ୍ୟ ୧ ଅକ୍ଟୋବରରୁ ଚାର୍ଜ ଲାଗିବ ।
କେତେ ଲାଗିବ ଚାର୍ଜ ?
ମେଟାର ନିୟମ ଅନୁଯାୟୀ, ସବୁଠାରୁ ମହଙ୍ଗା ମେସେଜ୍ ହେବ ମାର୍କେଟିଂ ମେସେଜ୍, ଯେଉଁଥିରେ ଅଫର, ସେଲ୍ ଏବଂ ପ୍ରୋମୋସନାଲ୍ ବ୍ରୋଡକାଷ୍ଟ ପାଇଁ କମ୍ପାନିଗୁଡ଼ିକୁ ମେସେଜ୍ ପିଛା ପ୍ରାୟ ୦.୮୬ ଟଙ୍କା ଦେବାକୁ ପଡ଼ିବ । ଏହା ବ୍ୟତୀତ ଅର୍ଡର ଷ୍ଟାଟସ୍, ଡେଲିଭରୀ ଅପଡେଟ୍ ଏବଂ ଓଟିପି ପଠାଇବା ପାଇଁ ମେସେଜ୍ ପିଛା ପ୍ରାୟ ୧୧.୫ ପଇସାର ଚାର୍ଜ ଦେବାକୁ ପଡ଼ିବ । ଜିଏସଟି ମିଶାଇ ଏହାର ମୋଟ ମୂଲ୍ୟ ୧୪ ପଇସା ହେବ ।
