ନୂଆଦିଲ୍ଲୀ: ଟାଟା ଟ୍ରଷ୍ଟ ଟାଟା ସନସ୍ ର ସମ୍ଭାବିତ ଲିଷ୍ଟିଂ ଟାଳିବା ପାଇଁ ଏକ ବଡ଼ ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବ ଅନୁସାରେ ଟାଟା ଇଲେକ୍ଟ୍ରୋନିକ୍ ସିଷ୍ଟମସ ସଲ୍ୟୁସନସ ପ୍ରାଇଭେଟ୍ ଲିମିଟେଡ (ଟିଇଏସ୍ଏସ୍) ଓ ଟାଟା କନସଲ୍ଟିଂ ଇଞ୍ଜିନିୟର୍ସ (ଟିସିଇ)କୁ ଟାଟା ସନସ୍ ରେ ମର୍ଜର କରାଯିବ। ଏହାର ଉଦ୍ଦେଶ୍ୟ ଟାଟା ସନସ୍ କୁ ଅଣବ୍ୟାଙ୍କିଙ୍ଗ ବିତ୍ତିୟ ସଂସ୍ଥା (ଏନବିଏଫସି) ଅଥବା କୋର ଇନଭେଷ୍ଟମେଣ୍ଟ କମ୍ପାନୀ ଅର୍ଥାତ ସିଆସି ନିୟାମକୀୟ କ୍ୟାଟଗରୀରୁ ବାହାରକୁ ଆଣିବା। ତେବେ ପ୍ରସ୍ତାବକୁ ଟାଟା ସନସ୍ ବୋର୍ଡ ଓ ଭାରତୀୟ ରିଜର୍ଭ ବ୍ୟଙ୍କ (ଆରବିଆଇ)ଙ୍କ ମଞ୍ଜୁରୀ ମିଳିବା ଜରୁରି।
ଟାଟା ସନସ୍ ର ଲାଭ ହେବ କଣ?
ଟାଟା ଟ୍ରଷ୍ଟରେ ସନସ୍ ର ପାଖାପାଖି ୬୬% ଅଂଶିଦାରୀ ରହିଛି। ଏଣୁ ଟ୍ରଷ୍ଟ କମ୍ପାନୀ ବୋର୍ଡକୁ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେବାକୁ ଓ ଆରବିଆଇଙ୍କଠାରୁ ଜରୁରି ଏନଓସି ଆଣିବା ଲାଗି ଆବେଦନ କରିବାକୁ କହିଛି। ଯଦି ପ୍ରସ୍ତାବକୁ ମଞ୍ଜୁରୀ ମିଳେ ତେବେ ଟାଟା ସନସ୍ ଅନଲିଷ୍ଟେଡ ପ୍ରାଇଭେଟ କମ୍ପାନୀ ହୋଇ ରହିବ। ଏହା ଏଥି ପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ଆରବିଆଇ ଚଳିତ ମାସରେ ଟାଟା ସନସ୍ ର ସିଆଇସି ଭାବେ ରେଜିଷ୍ଟ୍ରେସନ ସରେଣ୍ଡର କରିବାର ଆବେଦନ ଖାରଜ କରିଦେଇଥିଲା। ଅପର ଲେୟର ଏନବିଏଫସି ଭାବେ ଟାଟା ସନସ୍ ଉପରେ କିଛି ଅତିରିକ୍ତ ନିୟମ ଲାଗୁ ହେବ। ଏଥିରେ ସେୟାର ମାର୍କେଟରେ କମ୍ପାନୀର ବାଧ୍ୟତାମୂଳକ ଲିଷ୍ଟିଂ ମଧ୍ୟ ସାମିଲ।
୨ କମ୍ପାନୀ ବିଲୟ ଯୋଗୁ ବଦଳିବ କ’ଣ?
ଏହା ଟାଟା ସନସ୍ ର ବ୍ରେକଅପ ଅଥବା ଡିମର୍ଜର ନୁହେଁ। ଏହାର ଓଲଟା ଦୁଇ ଅପରେଟିଂ କମ୍ପାନୀଙ୍କୁ ଟାଟା ସନସ୍ ରେ ମିଶାଯିବ। ଟାଟା ଟ୍ରଷ୍ଟ ଅନୁସାରେ ୩୧ ମାର୍ଚ୍ଚ ୨୦୨୬ ତଥ୍ୟ ଅନୁସାରେ ବିଲୟ ପରେ ଟାଟା ସନସ୍ ର ଅପରେଟିଂ ରେଭିନ୍ୟୁ ୧,୦୫,୦୪୩ କୋଟି ଟଙ୍କା ହୋଇଥାନ୍ତା। ସେହିପରି ଫାଇନାନସିଆଲ ଆସେଟ ରୁ ଆୟ ୪୦,୦୭୨ କୋଟି ହୋଇଥାନ୍ତା। ଏହିଭଳି ଭାବେ ମୋଟ ଆୟରେ ଅପରେଟିଂ ରେଭିନ୍ୟୁର ଅଂଶିଦାରୀ ୬୪.୩% ହୁଅନ୍ତା। ଟାଟା ଟ୍ରଷ୍ଟର କହିବା କଥା ହେଉଛି ଏହି ସ୍ଥିତିରେ ଟାଟା ସନସ୍ ଆରବିଆଇର ପ୍ରିନ୍ସପାଲ ବିଜନେସ କ୍ରାଇଟେରିଆ ଅନୁସାରେ ଏନବିଏଫସି ହୋଇ ପାରିବନି।
ସିଆଇସି କ୍ୟାଟଗରୀରୁ ମଧ୍ୟ ବାହାରକୁ ଆସିବ
ଏହି ପ୍ରସ୍ତାବର ଦ୍ୱିତୀୟ ଉଦ୍ଦେଶ୍ୟଟି ହେଉଛି ଟାଟା ସନସ୍ କୁ ସିଆଇସି ପରିଭାଷାରୁ ବାହାରକୁ ଆଣିବା। ମର୍ଜର ପରେ କମ୍ପାନୀର ମୋଟ ଆସେଟ୍ ୨,୦୦,୧୫୮ କୋଟି ଟଙ୍କା ହେବ। ଏଥିରେ ୧,୭୭,୧୨୦ କୋଟି ଅର୍ଥାତ ପାଖାପାଖି ୮୮.୫% ଗ୍ରୁପ କମ୍ପାନୀମାନଙ୍କରେ ନିବେଶର ହେବ। ସିଆଇସି ଲାଗି ୯୦% ସୀମା ଲାଗୁ ହେଉଛି। ପ୍ରସ୍ତାବିତ ଢାଞ୍ଚାରେ ଏହି ଅନୁପାତ ୯୦%ରୁ ତଳେ ରହିବ। ଏଣୁ ଟାଟା ଟ୍ରଷ୍ଟ ମୁତାବକ ଟାଟା ସନସ୍ ସିଆଇସି କ୍ୟାଟଗରୀରେ ମଧ୍ୟ ଆସିବ ନାହିଁ।
ସିଧା କାରବାର କରିବ ଟାଟା ସନସ୍
ମର୍ଜର ପରେ ଟାଟା ସନସ୍ କେବଳ ହୋଲ୍ଡିଂ କମ୍ପାନୀ ହୋଇ ରହିବ ନାହିଁ। ଏହା ସିଧା ବ୍ୟବସାୟ ମଧ୍ୟ କରିବ। ଟାଟା ଟ୍ରଷ୍ଟର କହିବା କଥା ହେଉଛି ଏହାଦ୍ୱାରା ଟାଟା ସନସ୍ ନିଜର ପୁରୁଣା ମଡେଲ ଆଡକୁ ଫେରିବ। କମ୍ପାନୀର ପାଖାପାଖି ୧୦୦ ବର୍ଷର ଇତିହାସରେ ପାଖାପାଖି ୮୦ ବର୍ଷ ପର୍ଯ୍ୟନ୍ତ ଟାଟା ସନସ୍ ନିକଟରେ ନିଜର ଅପରେଟିଂ ବିଜନେସ୍ ଓ ରେଭିନ୍ୟୁ ଥିଲା। ଏହି ରେଭିନ୍ୟୁରେ ଗ୍ରୁପର ନୂଆ କାରବାରକୁ ଆଗକୁ ବଢାଇବାକୁ ସହାୟତା ମିଳୁଥିଲା। ଟାଟା କନସଲ୍ଟାନ୍ସୀ ସର୍ଭିସ (ଟିସିଏସ୍) ମଧ୍ୟ ୨୦୦୪ ମସିହାରେ ପୃଥକ କମ୍ପାନୀ ହେବା ପୂର୍ବରୁ ଟାଟା ସନସ୍ ର ଏକ ଡିଭିଜନ ଥିଲା।
ଆରବିଆଇରର ମଞ୍ଜୁରୀ ଜରୁରି
ତେବେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଏତେ ସହଜ ନୁହେଁ। ଏଥି ଲାଗି ମଧ୍ୟ ଆରବିଆଇଙ୍କ ମଞ୍ଜୁରୀ ଜରୁରି। ଏଣୁ ଟାଟା ସନସ୍ କୁ ପ୍ରଥମେ ଆରବିଆଇରୁ ମଞ୍ଜୁରୀ ନେବାକୁ ପଡିବ। ମର୍ଜର ପୁରା ହେବାପରେ ଯଦି କମ୍ପାନୀ ସିଆଇସି କ୍ୟାଟଗରୀରେ ନ ରହେ ତେବେ ତାକୁ ନିଜ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ସରେଣ୍ଡର କରିବାକୁ ପଡିବ।
ଟାଟା ଟ୍ରଷ୍ଟ କହୁଛି କ’ଣ?
ଟାଟା ଟ୍ରଷ୍ଟର କହିବା କଥା ହେଉଛି ଏହି ରିଷ୍ଟ୍ରକ୍ଚରିଂ ଟାଟା ଗ୍ରୁପ ଓ ଏହାର ସେୟାର ହୋଲ୍ଡରଙ୍କ ହୀତରେ ହେଉଛି। ଟ୍ରଷ୍ଟ ମୁତାବକ ଏହାଦ୍ୱାରା ଟାଟା ସନସ୍ କୁ ଅନଲିଷ୍ଟେଡ ପ୍ରାଇଭେଟ କମ୍ପାନୀ ଭାବେ ରଖିବାର ରାସ୍ତା ଖୋଲି ପାରେ। ଟ୍ରଷ୍ଟ ଜୁଲାଇ ୨୦୨୫ରେ ସାର୍ ଦୋରାବଜୀ ଟାଟା ଟ୍ରଷ୍ଟ ଓ ସାର୍ ରତନ ଟାଟା ଟ୍ରଷ୍ଟ ବୋର୍ଡରେ ଗୃହୀତ ହୋଇଥିବା ପ୍ରସ୍ତାବଗୁଡିକର ମଧ୍ୟ ଉଲ୍ଲେଖ କରିଛି। ଉଭୟ ଟ୍ରଷ୍ଟର ବୋର୍ଡ ଟାଟା ସନସ୍ ର ଅନଲିଷ୍ଟେଡ ପ୍ରାଇଭେଟ କମ୍ପାନୀ ମାନ୍ୟତା କାୟମ ରଖିବା ପାଇଁ ସବୁ ସମ୍ଭବ ପ୍ରୟାସ କରିବାର କଥା କହିଥିଲେ। ଟାଟା ଟ୍ରଷ୍ଟ ଅନୁସାରେ ଏହି ପରିବର୍ତ୍ତନ ଦ୍ୱାରା ଟାଟା ଗ୍ରୁପର ପାଖାପାଖି ୧୦୦ ବର୍ଷ ପୁରୁଣା ସଂରଚନା ଅକ୍ଷତ ରହିବ। ଏହା ସହିତ ଦୀର୍ଘ ସମୟର ନିବେଶ, ରାଷ୍ଟ୍ର ନିର୍ମାଣ ଓ ପରୋପକାର କାମ ଉପରେ ମଧ୍ୟ ଗ୍ରୁପର ଫୋକସ ଜାରି ରହିବ।
