Voice of Eastern India

ଅର୍ଜୁନ ତେନ୍ଦୁଲକରଙ୍କ ‘ଛକା’ ମାଡ଼ରେ ଆହତ ହେଲେ କୁନି ପ୍ରଶଂସକ, ପାଖକୁ ଡାକି ଗିଫ୍ଟ ଦେଲେ କ୍ରିକେଟର


ମୁମ୍ବାଇ: ମୁମ୍ବାଇ ଟି-୨୦ ଲିଗ୍ ୨୦୨୬ରେ ସୋମବାର ଦିନ ସଚିନ ତେନ୍ଦୁଲକରଙ୍କ ପୁଅ ତଥା ଅଲରାଉଣ୍ଡର ଅର୍ଜୁନ ତେନ୍ଦୁଲକର ବ୍ୟାଟିଂ ଓ ବୋଲିଂ ଉଭୟ ବିଭାଗରେ ଦମଦାର ପ୍ରଦର୍ଶନ କରିଛନ୍ତି। ମୁମ୍ବାଇର ପ୍ରସିଦ୍ଧ ଓ୍ବାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ତାଙ୍କ ଦଳ ‘ଏଆରସିଏସ ଅନ୍ଧେରୀ’ (ARCS Andheri), ‘ବାନ୍ଦ୍ରା ବ୍ଲାଷ୍ଟର୍ସ’ (Bandra Blasters) କୁ ୯ ୱିକେଟରେ ପରାସ୍ତ କରି ଏକ ସହଜ ବିଜୟ ହାସଲ କରିଛି। ମ୍ୟାଚରେ ଦମଦାର ପ୍ରଦର୍ଶନ ପାଇଁ ଅର୍ଜୁନ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ହୋଇଛନ୍ତି ।

ଖେଳ ସମୟରେ ଅର୍ଜୁନ ବିଶାଳ ଛକା ମାରିଥଲେ  । ବଲ୍‌ ଯାଇ ଷ୍ଟାଣ୍ଡରେ ବସିଥିବା ଜଣେ କୁନି ପ୍ରଶଂସକଙ୍କ ଦେହରେ ବାଜିଥିଲା, ଫଳରେ ସେ ଆହତ ହୋଇଥିଲେ। ମ୍ୟାଚ୍ ଶେଷ ହେବା ପରେ ଅର୍ଜୁନ ନିଜର ମହାନତା ଦେଖାଇ ସେହି କୁନି ପ୍ରଶଂସକଙ୍କୁ ଭେଟିବା ସହ ନିଜ ସ୍ୱାକ୍ଷର ଥିବା ଏକ କ୍ରିକେଟ ବଲ୍ ଉପହାର ସ୍ୱରୂପ ଦେଇଥିଲେ। ଅର୍ଜୁନ ତେନ୍ଦୁଲକରଙ୍କ ଏଭଳି ବ୍ୟବହାର କ୍ରିକେଟପ୍ରେମୀଙ୍କୁ ଖୁସି କରିଦେଇଛି । ସୋସିଆଲ ମିଡିଆରେ ଅର୍ଜୁନଙ୍କୁ ଲୋକେ ଖୁବ ପ୍ରଶଂସା କରିଛନ୍ତି ।

 ବୋଲିଂ ଓ ବ୍ୟାଟିଂରେ ଅର୍ଜୁନଙ୍କ ଧମାକା

ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବୋଲିଂ କରିଥିବା ଅନ୍ଧେରୀ ଦଳ, ଅର୍ଜୁନ ତେନ୍ଦୁଲକରଙ୍କ ଘାତକ ବୋଲିଂ ବଳରେ ବାନ୍ଦ୍ରା ବ୍ଲାଷ୍ଟର୍ସକୁ ୨୦ ଓଭରରେ ୯ ୱିକେଟ୍ ବିନିମୟରେ ମାତ୍ର ୧୪୪ ରନ୍‌ରେ ସୀମିତ ରଖିଥିଲା। ବାମହାତୀ ଦ୍ରୁତ ବୋଲର ଅର୍ଜୁନ ତେନ୍ଦୁଲକର ମାତ୍ର ୩ ଓଭର ବୋଲିଂ କରି ଏକ ମେଡେନ୍ ଓଭର ସହ କେବଳ ୧୧ ରନ୍ ଦେଇ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ଅକ୍ତିଆର କରିଥିଲେ। ୧୪୫ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରିବାକୁ ଯାଇ ଅର୍ଜୁନ ନମ୍ବର ୩ ପୋଜିସନ୍‌ରେ ବ୍ୟାଟିଂ କରିବାକୁ ଆସିଥିଲେ। ସେ ମାତ୍ର ୨୫ ବଲ୍‌ରେ ନିଜର ଅର୍ଦ୍ଧଶତକ ପୂରଣ କରିବା ସହ ମୋଟ ୩୪ ବଲ୍‌ରେ ଅପରାଜିତ ୬୬ ରନ୍ (୪ଟି ଚୌକା ଓ ୫ଟି ଛକା) ର ଏକ ଧୂଆଁଧାର ପାଳି ଖେଳିଥିଲେ।

ମୁସୀର ଖାନଙ୍କ ସହ ଶତକୀୟ ଭାଗିଦାରୀ

ଅନ୍ଧେରୀ ଦଳ ପ୍ରାରମ୍ଭିକ ଝଟକା ସ୍ୱରୂପ ଓପନର ଦିବ୍ୟାଂଶ ସକ୍ସେନା (୨୬)ଙ୍କ ୱିକେଟ୍ ଶୀଘ୍ର ହରାଇଥିଲା। କିନ୍ତୁ ଏହାପରେ ଅର୍ଜୁନ ତେନ୍ଦୁଲକର ଏବଂ ମୁସୀର ଖାନ ମିଳିତ ଭାଗିଦାରୀରେ ଦଳକୁ ବିଜୟ ପଥକୁ ନେଇଥିଲେ। ଉଭୟ ଖେଳାଳି ଦ୍ୱିତୀୟ ୱିକେଟ୍ ପାଇଁ ଅପରାଜିତ ୧୧୬ ରନ୍‌ର ଭାଗିଦାରୀ କରିଥିଲେ। ମୁସୀର ଖାନ ୩୮ ବଲ୍‌ରେ ଅପରାଜିତ ୫୪ ରନ୍ କରି ଅର୍ଜୁନଙ୍କୁ ଭରପୂର ସହଯୋଗ କରିଥିଲେ। ଏହି ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ଅନ୍ଧେରୀ ଦଳ ମାତ୍ର ୧୩.୫ ଓଭରରେ ୧ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। 

ଡ୍ରେସିଂ ରୁମ୍‌ରେ ଭାବୁକ ହେଲେ ଅର୍ଜୁନ

ଏହି ଭବ୍ୟ ବିଜୟ ପରେ ଅନ୍ଧେରୀ ଦଳର ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ଶିବମ ଦୁବେ ଡ୍ରେସିଂ ରୁମ୍‌ରେ ଅର୍ଜୁନ ତେନ୍ଦୁଲକରଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଦଳର ଅନ୍ୟ ସମସ୍ତ ଖେଳାଳି ଅର୍ଜୁନଙ୍କ ପାଇଁ ଜୋରଦାର କରତାଳି ଦେଇଥିଲେ। ସମସ୍ତଙ୍କ ସମ୍ମୁଖରେ ନିଜର ପ୍ରଶଂସା ଶୁଣି ଅର୍ଜୁନ କିଛି ସମୟ ପାଇଁ ଭାବୁକ (Emotional) ହୋଇପଡ଼ିଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।





Source link

Leave A Reply

Your email address will not be published.