କୁଚିଣ୍ଡା ୨୬।୦୮ : ଝିଅ-ଜ୍ୱାଇଁ କଳିରେ ବଳିପଡ଼ିଗଲେ ଶ୍ୱଶୁର । ସମାଧାନ କରିବାକୁ ଆସି ହେଲେ ହତ୍ୟାକାଣ୍ଡର ଶିକାର । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ମହୁଲଛାପଲ ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ବିଭିନ୍ନ ଦିଗକୁ ନେଇ ମଧ୍ୟ ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ମଙ୍ଗଳବାର ଝିଅ ଓ ଜ୍ୱାଇଁଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ହୋଇଥିଲା । ଦେଖୁ ଦେଖୁ ବିବାଦ ବଢିଥିଲା । ଆଉ ମାରପିଟ ଯାଏଁ କଥା ଯାଇଥିଲା । ଏହି ବିବାଦ ସଂପର୍କରେ ଖବର ପାଇ ଶ୍ୱଶୁର କାଲୋ କଚ୍ଛପ ଝିଅ ଘରକୁ ଆସିଥିଲା । ଉଭୟଙ୍କ ମଧ୍ୟରେ ଲାଗିଥିବା ବିବାଦର ସମାଧାନ କରିବାକୁ ଚେଷ୍ଟା ମଧ୍ୟ କରିଥିଲେ । ହେଲେ ଜ୍ୱାଇଁ ଆନ୍ତୋନୀ ଏକ ଘାସ କଟା କଟୁରୀରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏହାପରେ ନିଜେ ଥାନାକୁ ଯାଇ ହତ୍ୟା କରିଥିବା କଥା ସ୍ୱୀକାର କରିଥିଲେ ।
ସେପଟେ ପୋଲିସ ଘଟଣା ସଂପର୍କରେ ଜାଣି ଆତ୍ମସମର୍ପଣ କରିଥିବା ଜ୍ୱାଇଁଙ୍କୁ ଅଟକ ରଖି ଜେରା କରୁଛି । ଏହାସହ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ର ମଧ୍ୟ ସହଯୋଗ ନେଇପାରେ ବୋଲି ସମ୍ଭାବନା ରହିଛି । କିଭଳି ଏବଂ କେଉଁ ପରିସ୍ଥିତିରେ ହତ୍ୟା କରାଗଲା, ଜେରା ପରେ ହିଁ ସବିଶେଷ ତଥ୍ୟ ମିଳିବ ବୋଲି ପୋଲିସ ଆଶା ରଖିଛି ।
