Voice of Eastern India

ବର୍ଷା ଛାଡୁନି, ନଦୀ ଫୁଲୁଛି : ପୁଣି ବନ୍ୟା ! ଏହି ସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା


ଭୁବନେଶ୍ୱର, ୨୫/୦୮ : ବର୍ଷାରେ ପୁଣି ଫୁଲିଛି ନଦୀ। ବିପଦ ସଙ୍କେତ ଟପିଛି ବୈତରଣୀ। ବନ୍ୟା ଦୁର୍ଦ୍ଦଶା କମିନଥିବାବେଳେ ନଦୀ ଫୁଲିବାରୁ ତଳି ଅଞ୍ଚଳ ଲୋକଙ୍କ ଭୟ ବଢ଼ିଛି। ସାଳନ୍ଦୀ ନଦୀ ମଧ୍ୟ ବିପଦ ସଙ୍କେତ ପାଖରେ ପହଞ୍ଚିଛି। ବନ୍ୟା ଯୋଗୁ ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ଜିଲ୍ଲାର ୨୧ଟି ବୃକ୍ ପ୍ରଭାବିତ ହୋଇଛି। ସେପଟେ ଉତ୍ତର ଓଡ଼ିଶାରେ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ତିନି ଦିନ ଧରି ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ଥିଲା। ଅଚାନକ ଉଭୟ ନଦୀର ଜଳସ୍ତର ବଢ଼ିଛି । ଆଖୁଆପଦାଠାରେ ବୈତରଣୀ ନଦୀର ବିପଦ ସଙ୍କେତ ସ୍ତର ୧୮.୩୩ ମିଟର ଥି ବାବେଳେ ଏଠାରେ ୧୮.୩୫ ମିଟର ଜଳସ୍ତର ପ୍ରବାହିତ ହେଉଛି। ସାଳନ୍ଦୀ ନଦୀର ଜଳସ୍ତର ବି ବଢ଼ିଛି। ଜେନାପୁରଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ୨୦.୯୫ ମିଟର। ଏନଏଚ-୫ ଗୋବିନ୍ଦପୁରଠାରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ୬.୧୪ ମିଟର ରହିଛି। ମଥାନି ରୋଡ୍ଠାରେ ଜଳକା ନଦୀର ବିପଦ ସଙ୍କେତ ସ୍ତର ୬.୫୦ ମିଟର ଥିବାବେଳେ ୬.୪୪ ମିଟର ଜଳ ପ୍ରବାହିତ ହେଉଛି ।

Also Read :- Horoscope Today : ଅଗଷ୍ଟ ୨୫ ତାରିଖ, ମଙ୍ଗଳବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ଚାନ୍ଦବାଲି ବ୍ଳକ୍ର ୧୦ ପଞ୍ଚାୟତ ଏବେ ବି ଜଳବନ୍ଦୀ ହୋଇ ରହିଛି। ଭଣ୍ଡାରିପୋଖରୀ, ଧାମନଗର ବ୍ଲକ ଅଞ୍ଚଳର ବନ୍ୟା ଜଳ କମିଥିଲା। ତିହିଡ଼ି, ଧାମନଗର, ଚାନ୍ଦବାଲି ଅଞ୍ଚଳର ଲୋକେ ବନ୍ଧ, ପର ଘରେ ଆଶ୍ରୟ ନେଇଥିଲେ। କିନ୍ତୁ ପୁଣି ଥରେ ନଦୀ ଜଳସ୍ତର ବଢ଼ିଛି। ଦୁଇ ଦିନ ଧରି ମୟୂରଭଞ୍ଜ ଜିଲ୍ଲା ଚକଶୂଳିଆପଦା, ଦେଉଳି, ମୋରଡା ଓ ରାସଗୋବିନ୍ଦପୁର ଅଞ୍ଚଳରେ ଲଗାତାର ବର୍ଷା ହେବା ଫଳରେ ଜଳକାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। କେନ୍ଦୁଝର ଜିଲ୍ଲା ୫୨୦ ନଂ ଜାତୀୟ ରାଜପଥରେ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହେବାରୁ ଯାତାୟାତ ପ୍ରଭାବିତ ହୋଇଥିଲା। କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଠାକୁରାଣୀ ଓ ରାଇକା ଦୁଇଟି ପୃଥକ୍ ନାଳରେ ଜଣେ ମହିଳା ଓ ଜଣେ ପୁରୁଷ ଭାସି ଯାଇଛନ୍ତି। ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି।ଲଗାଣବର୍ଷାରେ କଳାହାଣ୍ଡି ଉବୁଟୁବୁ ହେଉଛି। ତେଲନଦୀ, ହାତୀ ନଦୀ ଓ ମୁଦ୍ରା ନଦୀରେ ବନ୍ୟା ଆସିବାରୁ ଜୟପାଟଣା, କଲମପୁର, କୋକସରା, ଗୋଲାମୁଣ୍ଡା ବ୍ଲକରେ ବ୍ୟାପକ କ୍ଷତି ହୋଇଛି। କଲମପୁର-ଜୁନାଗଡ଼ ରାସ୍ତାରେ ପାଣି ଚାଲିବାରୁ ଯାତାୟାତ ଠପ୍ ହୋଇଛି। ତେଲ ନଦୀରେ ଫସିଥିବା ୬ ଚାଷୀଙ୍କୁ ଅଗ୍ନିଶମ ଟିମ୍ ଉଦ୍ଧାର କରିଛି।

ଲଘୁ ଚାପଜନିତ ବର୍ଷା ଓ ବନ୍ୟା ପରିସ୍ଥିତି ଉପରେ ନଜର ରହିଥିବା ନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି। ସ୍ଥିତିକୁ ୨୪ ଘଣ୍ଟା ନିରୀକ୍ଷଣ କରାଯାଉଛି। ଉତ୍ତର ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଏବେ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳ ଉପରେ ରହିଛି। ଆଗାମୀ ୨୪ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ଗତ ୨୪ ଘଣ୍ଟାରେ ରାଜ୍ୟର ହାରାହାରି ୩୨.୯ ମିମି ବର୍ଷା ରେକର୍ଡ ହୋଇଛି। କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକରେ ସର୍ବାଧିକ ୧୬୯.୪ ମିମି ବର୍ଷା ହୋଇଛି। ୮ଟି ବ୍ଳକ୍ ଓ ଗୋଟିଏ ପୌରାଞ୍ଚଳରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି। ଅଗଷ୍ଟ ୧ରୁ ୨୪ ତାରିଖ ଯାଏ ରାଜ୍ୟରେ ୩୨୭ ମିମି ବର୍ଷା ହୋଇଥିଲା। ଏହା ସ୍ବାଭାବିକଠାରୁ ୧୮.୬% ଅଧିକ ଥିଲା। ଜୁନ୍ ୧ରୁ ଅଗଷ୍ଟ ୨୪ ଯାଏ ସ୍ବାଭାବିକଠାରୁ ୩୨% ଅଧିକ ବର୍ଷା ହୋଇଛି।



Source link

Leave A Reply

Your email address will not be published.