ନୂଆଦିଲ୍ଲୀ: ଜାତୀୟ ସମବାୟ ଚିନି କାରଖାନା ମହାସଂଘ (ଏନଏଫସିଏସଏଫ) ମୁଖ୍ୟ ପ୍ରାକାଶ ନାଇକନୱାରେ ରବିବାର କହିଛନ୍ତି ଯେ ଚିନିର କିଛି କନସାଇନମେଣ୍ଟ ଅକ୍ଟୋବର ୧୫ ସୁଦ୍ଧା ଭାରତ ପହଞ୍ଚି ଯାଇପାରେ। ହେଲେ ଏବେ କହିବା ମୁସ୍କିଲ ଯେ କେତେ ପରିମାଣରେ ଚିନି ଆସିବ। ସେ କହିଛନ୍ତି ଯେ ଏବେ ବ୍ରାଜିଲ ହିଁ ଚିନି ଆମଦାନୀର ଏକମାତ୍ର ବ୍ୟବହାରିକ ସ୍ରୋତ। ପାରମ୍ପରିକ ଯୋଗାଣକାରୀ ଥାଇଲ୍ୟାଣ୍ଡ ମଧ୍ୟ ଏବେ ଚିନି ସଂକଟର ସମ୍ମୁଖୀନ ହୋଇଛି। ଏଣୁ ସେଠାରୁ ଆମଦାନୀର କୌଣସି ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି।
ନାଇକନୱାରେ ଗଣମାଧ୍ୟମକୁ କହିଛନ୍ତି ଯେ ବ୍ରାଜିଲରୁ ଭାରତୀୟ ବନ୍ଦରକୁ ଚିନି ପହଞ୍ଚିବାକୁ ୪୦ରୁ ୪୫ ଦିନ ସମୟ ଲାଗିଥାଏ। ଏହା ପରେ ବନ୍ଦରରୁ ଚିନି ମିଲକୁ ମାଲ ପହଞ୍ଚିବାକୁ ମଧ୍ୟ ସମୟ ଲାଗେ। ଏଣୁ ୧୫ ଅକ୍ଟୋବର ପୂର୍ବରୁ କେତେ ଚିନି ପହଞ୍ଚିବ ତାର ତଥ୍ୟ ଦେବା ସମ୍ଭବ ନୁହେଁ। ତେବେ ସେହି ତାରିଖ ପର୍ଯ୍ୟନ୍ତ କିଛି କନସାଇନମେଣ୍ଟ ପହଞ୍ଚିଯିବ ବୋଲି ଆକଳନ କରାଯାଉଛି। ନାଇକନୱାରେ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ୩୧ ଅକ୍ଟୋବର ସୁଦ୍ଧା ଚିନି ପହଞ୍ଚିବା ସମୟସୀମାକୁ କଡାକଡ଼ି ଲାଗୁ କରିବାର ସମ୍ଭାବନା ନାହିଁ। ଏହି ତାରିଖ ପରେ ଭାରତ ପହଞ୍ଚିବାକୁ ଥିବା ଚିନି କୁ ମଧ୍ୟ ଅନୁମତି ମିଳିବ।
ସରକାର ଅଗଷ୍ଟ ୨୦ ତାରିଖ ଦିନ ଘରୋଇ ବଜାରରେ ବଢୁଥିବା ଦର ନିୟନ୍ତ୍ରଣ କରିବାକୁ ୧୦ଲକ୍ଷ ଟନ ଅଶୋଧିତ ଚିନି ଆମଦାନୀ କରିବାକୁ ଅନୁମତି ଦେଇଥିଲେ। ଏହି ଚିନି ଉପରେ କୌଣସି ସରକାରୀ ଶୁଳ୍କ ଲାଗୁ କରାଯିବ ନାହିଁ। ନାଇକନୱାର କହିଛନ୍ତି ଯେ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଗୁଜରାଟ ଓ ଆନ୍ଧ୍ରପ୍ରଦେଶ ଭଳି ବନ୍ଦର ଥିବା ରାଜ୍ୟଙ୍କୁ ଚିନି ଖୁବ ଶୀଘ୍ର ପହଞ୍ଚିବ। ଦେଶର ମାସିକ ଘରୋଇ ଚିନି ଚାହିଦା ପାଖାପାଖି ୨୨ ଲକ୍ଷ ଟନ। ଆମଦାନୀ ଚିନି ଏହି ଲକ୍ଷ୍ୟ ପୂରଣ କରିବାରେ ବେଶ୍ ସହାୟକ ହେବ। ଏଣୁ ନଭେମ୍ବାର ମାସ ବେଳକୁ ୧୫ରୁ ୨୦ଲକ୍ଷ ଟନ ଚିନି ଦେଶରେ ମହଜୁଦ ଥିବ। ସେତେବେଳକୁ ପେଡା ଆରମ୍ଭ ହେବା ସହ ବଜାରକୁ ନୂଆ ଚିନି ଯୋଗାଣ ମଧ୍ୟ ଆରମ୍ଭ ହୋଇଯାଇଥିବ।
