Voice of Eastern India

ରାକ୍ଷୀ ପୂର୍ଣ୍ଣିମା ପାଇଁ ସମସ୍ତ ମହିଳାଙ୍କୁ ମାଗଣା ବସ୍ ଯାତ୍ରା, ଦେବାକୁ ପଡ଼ିବନି ଟଙ୍କାଏ, ସାଙ୍ଗରେ ଆଉ ଜଣେ ବି କରିପାରିବେ ମାଗଣା ଯାତ୍ରା


ୟୁପି : ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର । ଉତ୍ତରପ୍ରଦେଶ ସରକାରଙ୍କ ବଡ଼ ଘୋଷଣା । ମହିଳାମାନଙ୍କୁ ଆଉ ଦେବାକୁ ପଡ଼ିବନି ବସ୍ ଭଡ଼ା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାମାନଙ୍କୁ ଏହି ବିଶେଷ ଉପହାର ଦେଇଛନ୍ତି । ସବୁଠୁ ବଡ଼ କଥା ହେଉଛି, ମହିଳାଙ୍କ ସହ ଜଣେ ସହଯାତ୍ରୀ ମଧ୍ୟ ମାଗଣାରେ ଯାତ୍ରା କରିପାରିବେ। ଅର୍ଥାତ ରାକ୍ଷୀ ପୂର୍ଣ୍ଣିମା ଦିନ ମହିଳାମାନଙ୍କୁ ମିଳିବ ମାଗଣା ବସ ସେବା 

ରାଜ୍ୟର ସମସ୍ତ ମା’, ଭଉଣୀ ଓ ଝିଅମାନଙ୍କ ପାଇଁ ମାଗଣା ବସ୍ ଯାତ୍ରାର ସୁବିଧା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଘୋଷଣା ଅନୁସାରେ,୨୭ ଅଗଷ୍ଟ ରାତିରୁ ୨୮ ଅଗଷ୍ଟ ରାତି ପର୍ଯ୍ୟନ୍ତ ମହିଳା ଯାତ୍ରୀମାନେ ଉତ୍ତରପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ, ଅର୍ଥାତ୍ UPSRTC ବସରେ ମାଗଣାରେ ଯାତ୍ରା କରିପାରିବେ। ଏଥିରେ ମହିଳାଙ୍କ ସହ ଯାଉଥିବା ଜଣେ ସହଯୋଗୀଙ୍କୁ ମଧ୍ୟ ମାଗଣା ଯାତ୍ରାର ସୁବିଧା ମିଳିବ । ସରକାରଙ୍କ ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାକ୍ଷୀ ପୂର୍ଣ୍ଣିମା ପାଇଁ ନିଜ ଘରକୁ ଯାଉଥିବା ମହିଳାମାନଙ୍କ ଯାତ୍ରାକୁ ସହଜ ଓ ସୁରକ୍ଷିତ କରିବା। ପର୍ବ ସମୟରେ ବସ୍ରେ ଭିଡ଼ ବଢ଼ିବାର ସମ୍ଭାବନା ଥିବାରୁ ପରିବହନ ବିଭାଗକୁ ମଧ୍ୟ ଅତିରିକ୍ତ ବ୍ୟବସ୍ଥା କରିବାକୁ କୁହାଯାଇଛି। ମହିଳାଙ୍କ ସୁରକ୍ଷା ଉପରେ ମଧ୍ୟ ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି। ରାକ୍ଷୀ ପୂର୍ଣ୍ଣିମା ସମୟରେ ପ୍ରମୁଖ ରାସ୍ତା ଓ ଭିଡ଼ ଅଞ୍ଚଳରେ ନଜର ରଖିବା ସହ ଆଣ୍ଟି-ରୋମିଓ ସ୍କ୍ୱାଡ୍କୁ ସକ୍ରିୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାସହ ବସ୍ ଚାଳକଙ୍କ ଯାଞ୍ଚ ଓ ନିରୀକ୍ଷଣ ଉପରେ ମଧ୍ୟ ଜୋର ଦିଆଯାଇଛି। ନିଶାଗ୍ରସ୍ତ ଅବସ୍ଥାରେ କୌଣସି ଚାଳକଙ୍କୁ ବସ୍ ଚଳାଇବାକୁ ଅନୁମତି ନଦେବାକୁ କୁହାଯାଇଛି। ଘରୋଇ ବସ୍, ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ମଧ୍ୟ ଯାଞ୍ଚ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ରହିଛି। ରାକ୍ଷୀ ପୂର୍ଣ୍ଣିମା ଅବସରରେ ଯାତ୍ରୀ ସଂଖ୍ୟା ବଢ଼ିବାକୁ ଦୃଷ୍ଟିରେ ରଖି କିଛି ଅଞ୍ଚଳରେ ଅତିରିକ୍ତ ବସ୍ ଚଳାଚଳର ବ୍ୟବସ୍ଥା ମଧ୍ୟ କରାଯାଉଛି। ପ୍ରୟାଗରାଜ ଅଞ୍ଚଳରେ ମଧ୍ୟ ପ୍ରମୁଖ ରୁଟ୍ରେ ଅତିରିକ୍ତ ଟ୍ରିପ୍ ଚଳାଚଳ ପାଇଁ ବ୍ୟବସ୍ଥା ହୋଇଛି। ତେଣୁ ରାକ୍ଷୀ ପୂର୍ଣ୍ଣିମାରେ ଭାଇଙ୍କ ହାତରେ ରାଖୀ ବାନ୍ଧିବାକୁ ଯାଉଥିବା ମହିଳାଙ୍କ ପାଇଁ ଏହି ଘୋଷଣା ନିଶ୍ଚିତ ଭାବେ ଏକ ବଡ଼ ଉପହାର। କାରଣ ରାକ୍ଷୀ ପୂର୍ଣ୍ଣିମା ହେଉଛି ଭାଇ-ଭଉଣୀଙ୍କ ସ୍ନେହ ଓ ସମ୍ପର୍କର ପର୍ବ। ଏହି ପବିତ୍ର ଦିନରେ ଭଉଣୀମାନେ ଯେପରି ସୁରକ୍ଷିତ ଓ ସୁବିଧାରେ ନିଜ ଘରେ ପହଞ୍ଚିପାରିବେ, ସେଥିପାଇଁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।



Source link

Leave A Reply

Your email address will not be published.