Voice of Eastern India

ସଂରକ୍ଷଣ ହଟାଇବାକୁ ଜନ୍ତରମନ୍ତରରେ ଆନ୍ଦୋଳନ…ଏହି ୫ ଦାବି ପୂରଣ ଏବେ ବଡ଼ ଚ୍ୟାଲେଞ୍ଜ୍


ନୂଆଦିଲ୍ଲୀ, ୨୩/୦୮ : ପ୍ରତିଦିନ ଆନ୍ଦୋଳନ ହେଉଛି । ଆନ୍ଦୋଳନର ତରିକା ବଦଳିଛି । କିଛି ଦିନ ତଳେ ଦିଲ୍ଲୀର ଜନ୍ତର ମନ୍ତରରେ ନିଟ୍ ପରୀକ୍ଷାରେ ଅବ୍ୟବସ୍ଥାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ମୁଖ୍ୟତଃ ଜେନ୍-ଜି ମାନେ ଏଥିରେ ସାମିଲ ଥିଲେ । ଏବେ ପୁଣି ଅନ୍ୟ ଏକ ପ୍ରସଙ୍ଗକୁ ନେଇ ଜେନ୍-ଜି ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏଥିର ସେମାନେ ସଂରକ୍ଷଣ ହଟାଇବା ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି । ଏହାସହ ୫ଟି ମୁଖ୍ୟ ଦାବି କରିଛନ୍ତି ।

ଶୁକ୍ରବାର ଦିଲ୍ଲୀ ପୋଲିସ ଜନ୍ତର ମନ୍ତରରେ ଅନେକ ପ୍ରଦର୍ଶନକାରୀଙ୍କୁ ଗିରଫ କରିଛି । ସେମାନେ ଜାତି ଭିତ୍ତିକ ସଂରକ୍ଷଣକୁ ବିରୋଧ କରି ଧାରଣା ଦେଉଥିଲେ । ଧାରଣାସ୍ଥଳରେ ପୋଲିସ ସମେତ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ ହୋଇଥିଲେ । ପୋଲିସ ଆନ୍ଦୋଳନ ପାଇଁ ଅନୁମତି ପ୍ରଦାନ କରିନଥିଲା । ତଥାପି ଆନ୍ଦୋଳନକାରୀ ପ୍ରଦର୍ଶନ ଜାରି ରଖିଥିଲେ ।

କଣ ରହିଛି ପ୍ରମୁଖ ଦାବି

ଆନ୍ଦୋଳନକାରୀଙ୍କ ଦାବି ଅନୁସାରେ, ସଂରକ୍ଷଣ ସମୟରେ ଆର୍ଥିକ ଦୃଷ୍ଟିକୋଣକୁ ବିଚାର କରାଯିବା ଦରକାର । ଜାତି ବଦଳରେ ଦରକାର ଥିବା ବ୍ୟକ୍ତି ବିଶେଷଙ୍କୁ ସଂରକ୍ଷଣର ଲାଭ ମିଳିବା ଆବଶ୍ୟକ । ଜଣେ ଗରିବ ବ୍ୟକ୍ତି ସେ ଯେକୌଣସି ଜାତିର ହେଲେ ବି ସରକାରୀ ସଂରକ୍ଷଣର ଲାଭ ପାଇବା ଉଚିତ ।

ସେହିପରି ଦ୍ୱିତୀୟ ଦାବିରେ ଆନ୍ଦୋଳନକାରୀ ମାନେ ସଂରକ୍ଷଣ ମଧ୍ୟରେ ସଂରକ୍ଷଣ ଦାବି କରିଛନ୍ତି । ସବୁ କ୍ୟାଟେଗୋରୀରେ କ୍ରିମି ଲେୟାର ବ୍ୟବସ୍ଥା ଲାଗୁ ପାଇଁ ଦାବି ହୋଇଛି । ତୃତୀୟ ସରକାର ଗତ ୮୦ ଦଶନ୍ଧୀରେ ସଂରକ୍ଷଣରେ କଣ ଲାଭ ମିଳିଛି କେତେ ଜଣ ଫାଇଦା ପାଇଁଛନ୍ତି ସେନେଇ ଶ୍ୱେତପତ୍ର ଜାରି କରନ୍ତୁ ବୋଲି କହିଛନ୍ତି । କାରଣ ବିହାରରେ କିଛି ଜାତିର ବ୍ୟକ୍ତି ଆଦୌ ସଂରକ୍ଷଣର ଫାଇଦା ପାଇ ନାହାଁନ୍ତି ।

ଅନ୍ୟ ଏକ ଦାବିରେ କୌଣସି ପରୀକ୍ଷା ପାଇଁ ମିନିମମ୍ କ୍ୱାଲିଫାଇଂ ମାର୍କ ବ୍ୟବସ୍ଥା ପାଇଁ ଆନ୍ଦୋଳନକାରୀ ତଥା ୟୁଟ୍ୟୁବର ଅଜିତ ଭାରତୀ କହିଛନ୍ତି । ଆଇଆଇଟି ଆଇଆଇଏମ ଭଳି ଶିକ୍ଷାନୁଷ୍ଠାନରେ ଅନେକ ସଂରକ୍ଷିତ ଆସନରେ ଆଡମିଶନ ନେଇଥିବା ଛାତ୍ରଙ୍କ ମାର୍କ ଖୁବ୍ କମ୍ ରହୁଛି । ତଥାପି ସେମାନଙ୍କୁ ଆଡମିଶନ ମିଳୁଛି । ଏହା ଠିକ୍ ନୁହେଁ ବୋଲି ଭାରତୀ ପ୍ରକାଶ କରିଛନ୍ତି । ଏପରି କରିବା ଦ୍ୱାରା ବିକଶିତ ଭାରତ ସମ୍ଭବ ହୋଇପାରିବ ନାହିଁ । ଯଦି ୫୦ ପ୍ରତିଶତ ଏପରି କମ୍ ମାର୍କ ରଖିଥିବା ଛାତ୍ରଛାତ୍ରୀ ଆଡମିସନ କରନ୍ତି ତାହାଲେ ଶିକ୍ଷାର ମାନ ୫୦ ପ୍ରତିଶତ କମିଯିବ ବୋଲି ସେ କହିଛନ୍ତି ।

କେବଳ ଏତିକି ନୁହେଁ, ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ଯେ, ଇଡବଲୁଏସ ବା ସାଧାରଣ ଗରିବ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣକୁ ଅଧିକ ବ୍ୟାପକ କରାଯାଉ । ସେମାନଙ୍କ ଆପ୍ଲିକେସନ୍ ଫି, ହଷ୍ଟେଲ ଫି ଏବଂ ଅନ୍ୟ କୋର୍ସ ଫିରେ ମଧ୍ୟ ରିହାତି ମିଳିବା ଆବଶ୍ୟକ । ଏହା ବ୍ୟତୀତ ଏସସି-ଏସଟି ଆକ୍ଟର ଅପବ୍ୟବହାର ରୋକିବା ଦିଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଅନ୍ୟ ଏକ ଦାବି ରଖାଯାଇଛି ।



Source link

Leave A Reply

Your email address will not be published.