Voice of Eastern India

FIH Hockey World Cup: ହକି ବିଶ୍ବକପରେ ନିଆରା ଦୃଶ୍ୟ, ହାତ ମିଳାଇଲେ ଭାରତ-ପାକିସ୍ତାନ ଖେଳାଳି


ନୂଆଦିଲ୍ଲୀ: ନେଦରଲ୍ୟାଣ୍ଡସର ଆମଷ୍ଟେଲଭିନ୍‌ରେ ଅନୁଷ୍ଠିତ FIH ହକି ବିଶ୍ୱକପ୍‌ର ‘ପୁଲ୍ ଡି’ ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଟିମ୍ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରିଛି। ତେବେ ଖେଳ ପଡ଼ିଆର କଡ଼ା ପ୍ରତିଯୋଗୀତା ସତ୍ତ୍ୱେ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ଦେଖିବାକୁ ମିଳିଥିବା କ୍ରୀଡ଼ା ସୁଲଭ ମନୋଭାବ (ସୁପର ସ୍ପୋର୍ଟସମ୍ୟାନ୍‌ସିପ୍) ସମସ୍ତଙ୍କ ମନ ଜିଣିଛି। ମ୍ୟାଚ୍ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ ହେବା ପରେ, ଦୁଇ ଦଳର ଖେଳାଳିମାନେ ପାରମ୍ପରିକ ଭାବରେ ହାତ ମିଳାଇବା (Handshake) ପରିବର୍ତ୍ତେ ‘ହାଇ-ଫାଇଭ୍’ବିନିମୟ କରି ପରଷ୍ପର ପ୍ରତି ସମ୍ମାନ ଜଣାଇଥିଲେ।

ସାମ୍ପ୍ରତିକ ରାଜନୈତିକ ସ୍ଥିତି ଏବଂ ‘ଅପରେସନ୍ ସିନ୍ଦୂର’ ପରଠାରୁ କ୍ରିକେଟରେ ଦୁଇ ଦେଶ ହାତ ମିଳାଇବାରୁ ବିରତ ରହୁଥିବା ବେଳେ, ହକିରେ ମ୍ୟାଚ୍ ଶେଷ ହେବା ପରେ ଭାରତ ଓ ପାକିସ୍ତାନର ଖେଳାଳିମାନେ ପରଷ୍ପର ସହ ହାତ ମିଳାଇ କ୍ରୀଡ଼ା ଭାବନା ପ୍ରଦର୍ଶନ କରିଥିଲେ। ଏହି ୫-୩ ବିଜୟ ସହ ଭାରତ ଗତ ଏକ ଦଶନ୍ଧି ଧରି ପାକିସ୍ତାନ ବିପକ୍ଷରେ ନିଜର ଅପରାଜେୟ ଯାତ୍ରା ବଜାୟ ରଖିଛି। ଅନ୍ୟପଟେ, ଏହି ପରାଜୟ ସହ ପାକିସ୍ତାନର ବିଶ୍ୱକପ୍ ଅଭିଯାନ ଶେଷ ହୋଇଛି।

ଅଧିନାୟକ ହରମନପ୍ରୀତ ସିଂହ (୫ମ ଓ ୨୧ତମ ମିନିଟ୍ – ପେନାଲ୍ଟି କର୍ନର) ଏବଂ ଅଭିଷେକ (୧୧ମ ଓ ୨୪ତମ ମିନିଟ୍ – ଫିଲ୍ଡ ଗୋଲ୍) ଦୁଇଟି ଲେଖାଏଁ ଗୋଲ୍ କରିଥିଲେ। ହାର୍ଦ୍ଦିକ ସିଂହ (୩୪ତମ ମିନିଟ୍ – ପେନାଲ୍ଟି ଷ୍ଟ୍ରୋକ୍) ଗୋଟିଏ ଗୋଲ୍ ଦେଇଥିଲେ।

ସେହିଭଳି ପାକିସ୍ତାନର ହନ୍ନାନ ଶାହିଦ୍ (୨୨ମ ଓ ୪୬ତମ ମିନିଟ୍) ଦୁଇଟି ଗୋଲ୍ କରିଥିବା ବେଳେ ସୁଫିୟାନ୍ ଖାନ୍ (୨୪ତମ ମିନିଟ୍) ଗୋଟିଏ ଗୋଲ୍ କରିଥିଲେ। ୮ ବର୍ଷ ପରେ ବିଶ୍ୱକପ୍ ଖେଳିଥିବା ପାକିସ୍ତାନ ଟିମ୍ ଗୋଟିଏ ସମୟରେ କଡ଼ା ଟକ୍କର ଦେଇଥିଲେ ମଧ୍ୟ ୱାଗେନର ଷ୍ଟାଡିୟମ୍‌ରେ ଭାରତୀୟ ଦଳ ନିଜର ଧୈର୍ଯ୍ୟ ବଜାୟ ରଖି ଏକ ସ୍ମରଣୀୟ ବିଜୟ ହାସଲ କରିଥିଲା।



Source link

Leave A Reply

Your email address will not be published.