Voice of Eastern India

‘ବିଶ୍ୱାସ ଦେ ପୃଥିବୀ’ ପାଇଁ ଡକ୍ଟର ଆଶୁତୋଷ ପରିଡ଼ା ପାଇବେ ୪୭ତମ ଶାରଳା ପୁରସ୍କାର


ଭୁବନେଶ୍ୱର ୧୯।୦୮ : ଡକ୍ଟର ଆଶୁତୋଷ ପରିଡ଼ା ପାଇବେ ୪୭ତମ ଶାରଳା ପୁରସ୍କାର । ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା)ର ସାମାଜିକ ଶାଖା’ ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ’ (ଇମ୍ପାକ୍ଟ) ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ । ପ୍ରତିବର୍ଷ ଶ୍ରେଷ୍ଠ ସାରସ୍ୱତ କୃତି ପାଇଁ ପ୍ରଦାନ କରାଯାଉଥିବା ସ୍ମାରକୀ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ବିଶିଷ୍ଟ ଓଡ଼ିଆ କବି, ପ୍ରାବନ୍ଧିକ ତଥା ସିଏସଆଇଆର-ଆଇଏମଏମଟି ର ପୂର୍ବତନ ବୈଜ୍ଞାନିକ ଡକ୍ଟର ଆଶୁତୋଷ ପରିଡ଼ାଙ୍କୁ ପ୍ରଦାନ କରାଯିବ। ପ୍ରଭା ପବ୍ଲିକେଶନ ଦ୍ୱାରା ୨୦୨୪ ମସିହାରେ ପ୍ରକାଶିତ ତାଙ୍କର କବିତା ସଙ୍କଳନ ‘ବିଶ୍ୱାସ ଦେ ପୃଥିବୀ’ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଆସନ୍ତା ଅକ୍ଟୋବର ୨୫ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଲେଖକଙ୍କୁ ମାନପତ୍ର, ତାମ୍ରଫଳକ ଏବଂ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।

ତେବେ ଏହି ବିଚାର ପ୍ରକ୍ରିୟାର ଚୂଡ଼ାନ୍ତ ପର୍ଯ୍ୟାୟକୁ ସ୍ଥାନ ପାଇଥିବା ସାତୋଟି ବହି ହେଉଛି- ଅପର୍ଣ୍ଣା ମହାନ୍ତିଙ୍କ ‘ଅପର୍ଣ୍ଣା ମହାନ୍ତିଙ୍କ ପାଇଁ କବିତା’, ପଦ୍ମଜା ପାଳଙ୍କ ‘ଡାହାଣ ପାଦ ବାମ ପାଦ’, ଆଶୁତୋଷ ପରିଡ଼ାଙ୍କ ‘ବିଶ୍ୱାସ ଦେ ପୃଥିବୀ’, ଅର୍ଚ୍ଚନା ନାୟକଙ୍କ ‘ସୀତା’, ବିଜୟ ନାୟକଙ୍କ ‘ମାୟାବାର୍ତ୍ତା’, ପ୍ରକାଶ ମହାପାତ୍ରଙ୍କ ‘ମୋକ୍ଷ ମୁଦ୍ରା’ ଏବଂ ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ‘କବିଙ୍କ ନାମ ବେଦବ୍ୟାସ’। ୨୦୨୬ ମସିହାର ଏହି ମନୋନୟନ ପ୍ରକ୍ରିୟାରେ କବିତା, ଗଳ୍ପ, ଉପନ୍ୟାସ, କ୍ଷୁଦ୍ରଗଳ୍ପ ଏବଂ ନାଟକ ଭଳି ବିଭିନ୍ନ ବିଭାଗର ପୁସ୍ତକ ସାମିଲ ରହିଥିଲା, ଯାହା ଚଳିତ ବର୍ଷର ସାହିତ୍ୟିକ କୃତିର ବିବିଧତା ଓ ଗଭୀରତାକୁ ଦର୍ଶାଉଛି। ପୁସ୍ତକ ମନୋନୟନ କମିଟିରେ ଡକ୍ଟର ଇନ୍ଦିରା ଦାଶ, ଶ୍ରୀମତୀ ପ୍ରତୀକ୍ଷା ଜେନା, ଶ୍ରୀ ଅମିୟ ବେଜ, ଶ୍ରୀ ପ୍ରଦୀପ କୁମାର ପଣ୍ଡା ଏବଂ ଶ୍ରୀ ଅଭୟ ନାୟକ ସଦସ୍ୟ ଥିବା ବେଳେ; ବିଚାରକ ମଣ୍ଡଳୀରେ ଡକ୍ଟର ସୁଚେତା ମିଶ୍ର, ଡକ୍ଟର ହୃଷୀକେଶ ମଲ୍ଲିକ, ଶ୍ରୀ ସଂଗ୍ରାମ ଜେନା, ଶ୍ରୀମତୀ ସ୍ୱପ୍ନା ମିଶ୍ର, ପ୍ରଫେସର ଡକ୍ଟର ନଟବର ଶତପଥୀ, ଡକ୍ଟର ସରୋଜିନୀ ସାହୁ ଏବଂ ଶ୍ରୀ ଅଜୟ କୁମାର ମହାପାତ୍ର ସାମିଲ ଥିଲେ।

ଏହା ବ୍ୟତୀତ, କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ‘ଇମ୍ପାକ୍ଟ’ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ମଧ୍ୟ ୨୦୨୬ ବର୍ଷ ପାଇଁ ଘୋଷଣା କରାଯାଇଛି। ଓଡ଼ିଶୀ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ଦୁର୍ଗା ଚରଣ ରଣବୀର ଏବଂ ଭାସ୍କର ଓ କଳା ଶିକ୍ଷାବିତ୍ ଶ୍ରୀ ଦାମୋଦର ବେହେରାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ। ଉଭୟଙ୍କୁ ମାନପତ୍ର, ତାମ୍ରଫଳକ ସହ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ। ପ୍ରଦର୍ଶନୀ କଳା ପାଇଁ ଗୁରୁ ପୁଷ୍ପିତା ମିଶ୍ର, ଡକ୍ଟର ନାଜିଆ ଆଲାମ ଓ ସୁରମଣି ଅଭିରାମ ନନ୍ଦ ବିଚାରକ ଥିବା ବେଳେ ଦୃଶ୍ୟ କଳାପାଇଁ ଶ୍ରୀମତୀ ପଞ୍ଚମୀ ମାନୁ ଉକିଲ, ଶ୍ରୀମତୀ ସଙ୍ଗୀତା ପଟ୍ଟନାୟକ ଏବଂ ଶ୍ରୀ ବୈଜୟନ୍ତ କୁମାର ଦାଶ ବିଚାରକ ଭାବେ ଚୟନ ପ୍ରକ୍ରିୟା ପରିଚାଳନା କରିଥିଲେ।

୧୯୮୦ ମସିହାରେ ଶ୍ରୀମତୀ ଇଲା ପଣ୍ଡା ଏବଂ ଡକ୍ଟର ବଂଶୀଧର ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ’ (ଇମ୍ପାକ୍ଟ), ଓଡ଼ିଆ ସାହିତ୍ୟ ଏବଂ ରାଜ୍ୟର ସମୃଦ୍ଧ ସାଂସ୍କୃତିକ କଳା, ସଙ୍ଗୀତ ଓ ନୃତ୍ୟର ପ୍ରସାର ଦିଗରେ ନିରନ୍ତର କାର୍ଯ୍ୟ କରିଆସୁଛି। ଏହା ସହିତ ୧୯୯୩ ମସିହାରେ ଟ୍ରଷ୍ଟ ପକ୍ଷରୁ ‘ଏକଲବ୍ୟ ପୁରସ୍କାର’ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା, ଯାହା ଜାତୀୟ ସ୍ତରର ପୁରସ୍କାର ଭଳି ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ କ୍ରୀଡ଼ା ପୁରସ୍କାର ଭାବେ ପରିଗଣିତ ହୋଇଛି।



Source link

Leave A Reply

Your email address will not be published.