Voice of Eastern India

AI Child Nutrition : ଶିଶୁଙ୍କ ପୋଷଣ ଜଗିବ ଏଆଇ, ୧୮ ଲକ୍ଷ ଶିଶୁଙ୍କ ପାଇଁ କରାଯିବ ବ୍ୟବସ୍ଥା


ଭୁବନେଶ୍ୱର: ଶିଶୁଙ୍କ ପୋଷଣ ଜଗିବ ଏଆଇ। ଓଡ଼ିଶାରେ ଅଙ୍ଗନୱାଡିରେ ପଢ଼ୁଥିବା ୧୮ ଲକ୍ଷ ଶିଶୁଙ୍କ ପୋଷଣକୁ ତଦାରଖ କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା।  ପୁଷ୍ଟିହୀନତା ସବୁବେଳେ ସବୁ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ, ଆଉ ଏଥିପାଇଁ ସରକାର  ବିଭିନ୍ନ ପନ୍ଥା ଆପଣାଇଥାନ୍ତି । କିନ୍ତୁ ନୂତନ ପ୍ରଯୁକ୍ତିବିଦ୍ୟାକୁ ପାଥେୟ କରି ପିଲାମାନଙ୍କ ପୋଷଣକୁ ଗୁରୁତ୍ୱ ଦେବାକୁ ଯାଉଛନ୍ତି ସରକାର।  ଏକ ପ୍ରଯୁକ୍ତିବିଦ୍ୟା ସଂସ୍ଥା ଦ୍ୱାରା ଅନୁବନ୍ଧିତ ହୋଇ ସରକାର ଅଙ୍ଗନୱାଡିରେ ପଢ଼ୁଥିବା ୩ରୁ୬ ବର୍ଷର ଶିଶୁଙ୍କ ପୋଷଣତତ୍ତ୍ୱକୁ ଏଆଇ ଦ୍ୱାରା ମାପିବେ। ଅଙ୍ଗନୱାଡିରେ ଶିଶୁଙ୍କ ମାପ ଓଜନ ସଠିକ ଭାବେ ହୋଇ ପାରୁନଥିବାରୁ ସେମାନଙ୍କୁ ସଠିକ ପୋଷଣ ମିଳିପାରୁନାହିଁ । ଏହା କେବଳ ଓଡ଼ିଶା ନୁହେଁ ଦେଶର ପ୍ରାୟ ସମସ୍ତ ରାଜ୍ୟରେ ସମାନ ଚିତ୍ର ଦେଖିବାକୁ ମିଳୁଛି ।  ଏହାଦ୍ୱାରା ଶିଶୁ କୁପୋଷଣର ଶୀକାର ହେଉଛନ୍ତି । 

ଏହି ସମସ୍ୟାର ସମାଧାନର ସୂତ୍ର ବାହାର କରାଯାଇ ପାଇଲଟ ପ୍ରୋଜେକ୍ଟ ଭାବରେ କିଛି ଜିଲ୍ଲାରେ କାର୍ଯ୍ୟ ଆରମ୍ଭ କରାଯାଇଛି ।  ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ଶିଶୁଙ୍କ ଓଜନ, ଉଚ୍ଚତା, ମୁଣ୍ଡ, ଛାତି ଏବଂ ହାତର ଉପରି ଭାଗର ପରିଧିକୁ ମାପ କରାଯିବ । କୃତ୍ରିମ ବୁଦ୍ଧିମତା (AI) ଆଧାରିତ ଶିଶୁ ବୃଦ୍ଧି ମନିଟରିଂ ସିଷ୍ଟମ ପାଇଲଟ୍ କରିବା ପାଇଁ ଓଡ଼ିଶାକୁ ମନୋନୀତ କରାଯାଇଛି । ତେବେ ଏହା ମୋବାଇଲ୍ ଫୋନ୍ ଭିଡିଓ ବ୍ୟବହାର କରି ଶିଶୁର ଓଜନ, ଉଚ୍ଚତା ଏବଂ ଅନ୍ୟାନ୍ୟ ପ୍ରମୁଖ ଆନ୍ଥ୍ରୋପୋମେଟ୍ରିକ୍ ପାରାମିଟରଗୁଡ଼ିକୁ ମୂଲ୍ୟାଙ୍କନ କରାଯିବ । ତେବେ ଏହାଦ୍ୱାରା ପ୍ରତ୍ୟେକ ଶିଶୁଙ୍କ ଶରୀର ଗଠନର ଆବଶ୍ୟକତାକୁ ଆଖି ଆଗରେ ରଖି ସେମାନଙ୍କୁ ପୋଷଣ ଦିଆଯିବ।

Also Read- Crocodile in Gobari River : ଶୁଣ ଶୁଣ… ମନ ଦେଇ ଶୁଣ… ଗୋବରୀ ନଈରେ କୁମ୍ଭୀର, ସାବଧାନ !

କୁପୋଷଣର ଶିକାର ହୋଇଥିବା ଶିଶୁ ମାନଙ୍କର ଶାରୀରିକ ଓ ମାନସିକ ବିକାଶ ପାଇଁ ଅଙ୍ଗନୱାଡି କେନ୍ଦ୍ରରେ ପୋଷଣ ଆପ୍ ମାଧ୍ୟମରେ ଶିଶୁ ମାନଙ୍କର ଜନ୍ମ ତାରିଖ ସହ ଓଜନ ଓ ଉଚ୍ଚତା ମାପ କରାଯାଇ ଶିଶୁର ଶାରୀରିକ ବିକାଶ ଅନୁଧ୍ୟାନ କରାଯାଉଛି ।  ଏହା ସହିତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଡିଜିଟାଲ ମେସିନ ଦ୍ୱାରା ମଧ୍ୟ ପ୍ରତିମାସରେ ସେମାନଙ୍କ ଅବିଭାବକଙ୍କ ଉପସ୍ଥିତିରେ ପିଲାମାନଙ୍କ ଓଜନ ଓ ଉଚ୍ଚତା ମାପିବା ସହ ପୋଷଣ ଦିଆଯାଉଛି ବୋଲି ଅଙ୍ଗନୱାଡି କର୍ମୀ କହିଛନ୍ତି । ସରକାର ଯଦି ଏ ଆଇ ମାଧ୍ୟମରେ ମାପିବାକୁ ନିର୍ଦ୍ଦ୍ଶ ଦେବେ ତାକୁ ମଧ୍ୟ ଆମେ ପାଳନ କରିବୁ ବୋଲି କହିଛନ୍ତି ଅଙ୍ଗନୱାଡି କର୍ମୀ । ଓଡ଼ିଶାରେ ପୁଷ୍ଟିହୀନତା ସମସ୍ୟାରେ ପୂର୍ବ ଅପେକ୍ଷା ସୁଧାର ଆସିଥିଲେ ମଧ୍ୟ ଏହା ଏବେ ବି ରାଜ୍ୟ ପାଇଁ ଏକ ବଡ଼ ଆହ୍ୱାନ ହୋଇ ରହିଛି । ଓଡ଼ିଶାରେ ୫ ବର୍ଷରୁ କମ୍ ବୟସର ପ୍ରାୟ ୨୨.୧ % ଶିଶୁ ପୁଷ୍ଟିହୀନତାର ଶିକାର ଅଟନ୍ତି । ରାଜ୍ୟ ସରକାର ଏହି ସମସ୍ୟାର ସମାଧାନ ପାଇଁ ୨୦୩୬ ସୁଦ୍ଧା ଓଡ଼ିଶାକୁ ପୁଷ୍ଟିହୀନତା ମୁକ୍ତ କରିବାର ଲକ୍ଷ୍ୟ ରଖିଛନ୍ତି।



Source link

Leave A Reply

Your email address will not be published.