Voice of Eastern India

ସନ୍ଧ୍ୟା ୭ଟା ହେଲେ ବାଜେ ଆଲାର୍ମ ! କବାଟ ବନ୍ଦ କରିଦିଅନ୍ତି ଗାଁ ଲୋକେ, ଆରମ୍ଭ ହୁଏ ଦନ୍ତାର ‘ଡେଲି ଶୋ’


ଜି. ଉଦୟଗିରି: ସନ୍ଧ୍ୟା ୭ଟା ହେଲେ ବାଜିଉଠେ ଆଲାର୍ମ। ସତର୍କ ହୋଇଯାଆନ୍ତି ଗାଁ ଲୋକ। ଭୟରେ ଘରେ ତାଟି କବାଟ ପକାଇ ଦିଅନ୍ତି। କାହିଁକିନା ଆସିବ ବିରାଟକାୟ ଜଙ୍ଗଳୀ ଦନ୍ତା। କିଛି ମାନିବନି। ଗାଁରେ ଆରମ୍ଭ ହେଉଛି ‘ଡେଲି ଶୋ’। ଦିନେ ଛାଡ଼ି ଦିନେ ଠିକ୍ ସନ୍ଧ୍ୟା ସମୟରେ ମୁକୁଲିଙ୍ଗିଆ ଗାଁରେ ପହଞ୍ଚି ଯାଉଛି ଦନ୍ତା। ହାତୀ ଆସିଲେ ଘର ବାହାରେ ଥିବା ଜିନିଷପତ୍ର ଭାଙ୍ଗିବା ସହ ଚାଷ ଜମିରେ ପଶି ଫସଲ ନଷ୍ଟ କରୁଛି।

ଫଳରେ ସନ୍ଧ୍ୟା ୭ଟା ବାଜିଲେ ଗାଁରେ ମାହୋଲ୍ ବଦଳି ଯାଉଛି। କିଏ କବାଟ ବନ୍ଦ କରୁଛି ତ କିଏ ଘରୁ ବାହାରିବା ପୂର୍ବରୁ ଚାରିଆଡ଼େ ଦେଖୁଛି। ହାତୀ ଭୟରେ ଜଙ୍ଗଲ ଜମିକୁ ଚାଷ କରିବାକୁ ଯିବା ବି ଗ୍ରାମବାସୀଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ତେଣୁ ଏବେ ଗ୍ରାମବାସୀ ଭାବିଛନ୍ତି- ଦନ୍ତାକୁ ରୋକିବାକୁ ହେଲେ ଆଲୋକ ଓ ସାଇରନ ଭରସା ନେବାକୁ ପଡ଼ିବ।

ଏନେଇ ମୁକୁଲିଙ୍ଗିଆ ଗ୍ରାମର ମହିଳା ଓ ପୁରୁଷମାନେ ଜି. ଉଦୟଗିରି ବନ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ଦେଇଛନ୍ତି। ଗାଁରେ ୫ରୁ ୬ଟି ହାଇ-ଟର୍ଚ୍ଚ ଲାଇଟ୍, ସୌରଚାଳିତ ସାଇରନ୍ ଓ ସୋଲାର ଲାଇଟ୍ ଲଗାଇବାକୁ ଦାବି କରିଛନ୍ତି। ଅର୍ଥାତ୍, ଦନ୍ତା ଯେମିତି ଅନ୍ଧାରର ସୁଯୋଗ ନେଇ ଗାଁରେ ‘ନାଇଟ୍ ଶିଫ୍ଟ’ କରୁଛି। ଏହାକୁ ନେଇ ଗ୍ରାମବାସୀଙ୍କୁ ମନରେ ଡ଼ର।

also read-ଅବପାତ ପାଇଁ ୩ ଜିଲ୍ଲାକୁ ବଡ଼ ବିପଦ ! ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ସେପଟେ ହାତୀ ଫସଲ ନଷ୍ଟ କଲେ କ୍ଷତିପୂରଣ ପାଇବା ପାଇଁ ଜନସେବା କେନ୍ଦ୍ର ମାଧ୍ୟମରେ ଅନଲାଇନ୍ ପଞ୍ଜିକରଣ କରି ବନ ବିଭାଗକୁ ଜଣାଇବାକୁ କୁହାଯାଇଛି। ଯାଞ୍ଚ ପରେ ନିୟମ ଅନୁସାରେ କ୍ଷତିପୂରଣ ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଦିଆଯିବ। ମୁକୁଲିଙ୍ଗିଆବାସୀଙ୍କ ଗୋଟିଏ ହିଁ ଦାବି- ସନ୍ଧ୍ୟା ୭ଟା ପରେ ଗାଁରେ ଦନ୍ତାର ନୁହେଁ, ଗାଁ ଲୋକଙ୍କର ରାଜ୍ ଚାଲୁ! ଏବେ ଦେଖିବାର କଥା, ଆଲୋକ ଓ ସାଇରନ୍ ଲାଗିବା ପରେ ଦନ୍ତା ‘ସନ୍ଧ୍ୟା ଭ୍ରମଣ’ ବନ୍ଦ କରୁଛନ୍ତି ନା ନୂଆ ରାସ୍ତା ଖୋଜୁଛନ୍ତି।

 



Source link

Leave A Reply

Your email address will not be published.