Voice of Eastern India

ବାରଣାସୀରେ ଗଙ୍ଗାର ରୌଦ୍ର ରୂପ, ଜଳସ୍ତର ବଢିବା ଯୋଗୁ ବୁଡିଲା ଘାଟ, ନିଷିଦ୍ଧ ହେଲା ବୋଟିଂ


ବନାରସ୍ : ଉତ୍ତରପ୍ରଦେଶ ବାରଣାସୀରେ ଗଙ୍ଗାନଦୀ ଜଳସ୍ତର ଲଗାତାର ବଢିବାରେ ଲାଗିଛି। ନଦୀର ଜଳସ୍ତର ପାଖାପାଖି ୬୪.୭୯ ମିଟର ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଏଥିରେ ପ୍ରତି ଘଣ୍ଟା ୬ରୁ ୭ ସେଣ୍ଟିମିଟର ବୃଦ୍ଧି ହେଉଛି। ଜଳସ୍ତର ବଢୁଥିବାରୁ ଗଙ୍ଗା ଘାଟ ସବୁ ବୁଡିବା ଆରମ୍ଭ ହୋଇଛି। କେତେକ ସ୍ଥାନରେ ମନ୍ଦିର ଓ କାର୍ଯ୍ୟାଳୟ ଗଙ୍ଗାରେ ବୁଡି ଯାଇଥିବା ଦେଖା ଯାଉଛି। ଚଳିତ ଋତୁରେ ଗଙ୍ଗାର ଏହା ସବୁଠୁ ଅଧିକ ଜଳସ୍ତର ବୋଲି କୁହାଯାଉଛି। ଜଳସ୍ତର ୬୫ ମିଟରକୁ ପହଞ୍ଚି ଯିବା ପରେ ପ୍ରତି ଘଣ୍ଟା ପରିସ୍ଥିତି ବଦଳିବାରେ ଲାଗିଛି। ନଦୀର ଜଳସ୍ତର ବଢୁଥିବା ବେଳେ ତଳି ଅଞ୍ଚଳକୁ ବନ୍ୟା ପାଣି ପ୍ରବେଶ କରିବା ଚିନ୍ତାର କାରଣ ପାଲଟିଛି।

ବାରଣାସୀରେ ଗଙ୍ଗା ଘାଟ ମାନଙ୍କରେ ବଢୁଥିବା ଜଳସ୍ତରର ପ୍ରଭାବ ଏବେ ଧାର୍ମିକ ଗତିବିଦ୍ଧିକୁ ମଧ୍ୟ ପଡିବା ଆରମ୍ଭ କରିଛି। ଗଙ୍ଗା ଆରତୀ ଲାଗି ନିର୍ଦ୍ଧାରିତ ସ୍ଥଳ ଏବେ ପାଣିରେ ବୁଡି ଯାଇଛି। ଏଣୁ ଗଙ୍ଗା ଆରତୀ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ଘାଟରେ ଥିବା ମନ୍ଦିର ଓ କାର୍ଯ୍ୟାଳୟକୁ ବନ୍ୟା ଜଳ ପଶିବା ପରିସ୍ଥିତି କେତେ ଗୁରୁତର ତାହା ଆକଳନ କରାଯାଇପାରେ। ନଦୀର ଜଳସ୍ତର ବଢିବା ସହିତ ସ୍ରୋତ ମଧ୍ୟ ପ୍ରଖର ହୋଇଛି। ଏଣୁ ନଦୀକୁ ନ ଯିବା ଲାଗି କୂଳ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ କରାଯାଇଛି।

ସୁରକ୍ଷାକୁ ଦୃଷ୍ଟିରେ ରଖି ନଦୀରେ ନୌକା ସଞ୍ଚାଳନ ଉପରେ ଅସ୍ଥାୟୀ ରୋକ ଲଗାଯାଇଛି। ପ୍ରଶାସନ ପକ୍ଷରୁ ଲୋକ ଓ ନାବିକଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଏବେ ମିଳୁଥିବା ସୂଚନା ଅନୁସାରେ ବାରଣାସୀରେ ଗଙ୍ଗାର ଜଳସ୍ତର ଲଗାତାର ବଢିବାରେ ଲାଗିଛି। ଯେଉଁ ବେଗରେ ନଦୀ ଫୁଲୁଛି ସେହି ଅନୁସାରେ ଆଗାମୀ ସମୟରେ ଘାଟ ଓ ପାଖଆଖ ଅଞ୍ଚଳର ପରିସ୍ଥିତି ଜଟିଳ ନ ହେବ ତାହା କହି ହେଉନାହିଁ। ଗଙ୍ଗାରେ ବର୍ଷର ପ୍ରଥମ ବନ୍ୟା ଆସୁଥିବା ବେଳେ ପ୍ରଶାସନ ଓ ସ୍ଥାନୀୟ ଲୋକେ ନଦୀ ଉପରେ ନଜର ରଖି ରହିଛନ୍ତି।



Source link

Leave A Reply

Your email address will not be published.