ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଲାଲକିଲାରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି, ଏହି ଐତିହାସିକ କ୍ଷଣରେ ଜଣେ ମହିଳା ସୈନ୍ୟ ଅଧିକାରୀ କ୍ୟାପ୍ଟେନ ସୋନିୟା ସିଂହ ଚୌହାନ ସାରା ଦେଶର ଧ୍ୟାନ ଆକର୍ଷଣ କରିଛନ୍ତି। ପତାକା ଉତ୍ତୋଳନ ପ୍ରକ୍ରିୟାରେ କ୍ୟାପ୍ଟେନ ଚୌହାନ ପ୍ରଧାନମନ୍ତ୍ରୀଙ୍କୁ ସହାୟତା କରିଛନ୍ତି, ଯାହା ଭାରତୀୟ ସେନାରେ ବଢୁଥିବା ମହିଳା ଭାଗିଦାରୀକୁ ଦର୍ଶାଉଛି। କ୍ୟାପ୍ଟେନ ସୋନିୟା ସିଂହ ଭାରତୀୟ ସେନାରେ ଜଣେ କମିଶନ ପ୍ରାପ୍ତ ଅଧିକାରୀ ଅଟନ୍ତି।
ସ୍ୱାଧୀନତା ଦିବସ ସମାରୋହରେ ସେ ପ୍ରତିରକ୍ଷା ମନ୍ତ୍ରାଳୟ ଓ ୩ ସେନାର ସମନ୍ୱୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପତାକା ଉତ୍ତୋଳନ ସମୟରେ ତାଙ୍କ ଉପସ୍ଥିତି ସୈନ୍ୟ ଅନୁଶାସନ ଓ ପ୍ରକ୍ରିୟା ପାଳନ ସୁନିଶ୍ଚିତ କରିଛି। ତାଙ୍କ ଛବି ଏବେ ସୋସିଆଲ ମିଡିଆରେ ଏବେ ତାଙ୍କୁ ଚର୍ଚ୍ଚାର ବିଷୟ କରିଛି। ଲାଲକିଲାରେ ପତାକା ଉତ୍ତୋଳନ ଲାଗି ସଶସ୍ତ୍ର ବଳଙ୍କ ପ୍ରସ୍ତୁତି ଅତ୍ୟନ୍ତ ସଠିକ ହୋଇଥାଏ। ଏଥିରେ ପତାକା ଉତ୍ତୋଳନ, ସଲାମୀ, ଜାତୀୟ ସଂଗୀତ ଗାନ ଓ ୨୧ ତୋପ ସଲାମୀ ଆଦି କାର୍ଯ୍ୟକ୍ରମ ସାମିଲ ଥାଏ, ଯାହା ନିଶ୍ଚିତ ସମୟ ଓ କ୍ରମ ଅନୁସାରେ ହୋଇଥାଏ।
ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱାରା ମନୋନୀତ ଅଧିକାରୀ ଏହି ଔପଚାରିକ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ଏଥିରେ କ୍ୟାପ୍ଟେନ ସୋନିୟାଙ୍କ ଛବି ଦେଶରେ ମହିଳା ସଶକ୍ତିକରଣ ଚର୍ଚ୍ଚାକୁ ପ୍ରୋତ୍ସାହିତ କରିଛି। ଭାରତୀୟ ସେନାରେ ମହିଳାମାନେ ଏବେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଛନ୍ତି। ଜାତୀୟ ଉତ୍ସବରେ ଜଣେ ମହିଳା ଅଧିକାରୀଙ୍କ ଉପସ୍ଥିତି ଏହି ପରିବର୍ତିତ ପରିଦୃଷ୍ୟର ଏକ ଉଦାହରଣ ହୋଇପାରେ।
