Voice of Eastern India

ଏମ୍‌ଏମ୍‌ଡିଆର ସଂଶୋଧନ ବିଲ୍‌କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି


ଭୁବନେଶ୍ୱର: ସଂସଦରେ ପାରିତ ମାଇନ୍ସ ଆଣ୍ଡ ମିନେରାଲ୍ସ (ଡେବଲପମେଣ୍ଟ ଆଣ୍ଡ ରେଗୁଲେସନ) ସଂଶୋଧନ ବିଲ୍ ୨୦୨୬କୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଓଡ଼ିଶାର ଆର୍ଥିକ ସ୍ୱାୟତ୍ତତା ଓ ପ୍ରାକୃତିକ ସମ୍ପଦ ଉପରେ ରାଜ୍ୟର ସାମ୍ବିଧାନିକ ଅଧିକାର ପ୍ରଭାବିତ ହେବ ବୋଲି ଦର୍ଶାଇଛନ୍ତି ।

ନବୀନଙ୍କ ଅଭିଯୋଗ ଅନୁସାରେ, ବିଲର ବ୍ୟବସ୍ଥା ଖଣିଜ ସମୃଦ୍ଧ ଓଡ଼ିଶା ଭଳି ରାଜ୍ୟଗୁଡ଼ିକର ରାଜସ୍ୱ ଉପରେ ବଡ଼ ପ୍ରଭାବ ପକାଇପାରେ । ବିଜେଡି ସାଂସଦମାନେ ରାଜ୍ୟର ଆର୍ଥିକ ଅଧିକାର ସମ୍ପର୍କରେ ରାଜ୍ୟସଭାରେ ବିଲକୁ ଦୃଢ଼ ବିରୋଧ କରିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

ଚିଠିରେ ନବୀନ କହିଛନ୍ତି, ସଂଶୋଧନ ମାଧ୍ୟମରେ ‘ ମିନେରାଲ୍-ବିୟରିଂ ଲଣ୍ଡ୍ସ’କୁ ମଧ୍ୟ କେନ୍ଦ୍ରର ନିୟନ୍ତ୍ରଣ ପରିସରକୁ ଆଣିବାର ବ୍ୟବସ୍ଥା ହୋଇଛି । ଏଥିସହ ଖଣିଜ ଅଧିକାର କିମ୍ବା ଖଣିଜ ଭର୍ତ୍ତି ଜମି ଉପରେ ରାଜ୍ୟ ସରକାରଙ୍କ ଟିକସ, ସେସ୍‌ କିମ୍ବା ସମାନ ପ୍ରକାରର ଆଦାୟ କ୍ଷମତା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିବା ଦର୍ଶାଇଛନ୍ତି । ଏପରିକି ଖଣିଜ ଉପରେ ଟିକସ ଲାଗୁ କରିବା ସମ୍ପର୍କିତ ନିୟମ ପ୍ରଣୟନରେ କେନ୍ଦ୍ରକୁ ଅଧିକ କ୍ଷମତା ମିଳୁଥିବା ନେଇ ସେ ଆପତ୍ତି ଉଠାଇଛନ୍ତି ।

ନବୀନଙ୍କ ମତରେ, ଖଣିରୁ ମିଳୁଥିବା ରାଜସ୍ୱ ଓଡ଼ିଶାର ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ କଲ୍ୟାଣ ଓ ଭିତ୍ତିଭୂମି ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟର ଟିକସ ଓ ସେସ୍‌ ଆଦାୟ କ୍ଷମତା କମିଲେ ଏହା ରାଜ୍ୟର ଆର୍ଥିକ ସ୍ୱାୟତ୍ତତା ଏବଂ ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିବ ବୋଲି ସେ କହିଛନ୍ତି ।

ଏହି ପରିସ୍ଥିତିରେ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ନବୀନ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସର୍ବଦଳୀୟ ବୈଠକ ଡାକିବାକୁ ଅନୁରୋଧ କରିଛନ୍ତି । ଏଥିସହ ଏହି ସଂଶୋଧନ ଆଇନକୁ ବିରୋଧ କରି ଏବଂ ରାଜ୍ୟର ଅଧିକାର ସୁରକ୍ଷା ପାଇଁ ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ସର୍ବସମ୍ମତ ପ୍ରସ୍ତାବ ପାରିତ କରିବାକୁ ସେ ଦାବି କରିଛନ୍ତି ।

ନବୀନ କହିଛନ୍ତି, ଏହା କେବଳ ରାଜନୈତିକ ଦଳର ପ୍ରସଙ୍ଗ ନୁହେଁ; ଏହା ଓଡ଼ିଶାର ଆର୍ଥିକ ସ୍ଥିରତା ଓ ଭବିଷ୍ୟତ ବିକାଶ ସହ ଜଡ଼ିତ । ତେଣୁ ଓଡ଼ିଶାବାସୀଙ୍କ ବୃହତ୍ତର ସ୍ୱାର୍ଥରେ ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବାକୁ ସେ ଚିଠିରେ ଆହ୍ୱାନ କରିଛନ୍ତି ।



Source link

Leave A Reply

Your email address will not be published.