ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଅଗଷ୍ଟ ୧୫ ତାରିଖ ଦିନ ଲାଲକିଲାରେ ପତାକା ଉତ୍ତୋଳନ କାଳରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କେଉଁଠି ବସିବେ ସେ ନେଇ ବିବାଦ ଉପରେ ସରକାର ସଫେଇ ଦେଇଛନ୍ତି। ଡିଫେନ୍ସ ସେକ୍ରେଟାରୀ ଆର.କେ. ସିଂହ ସୋମବାର କହିଛନ୍ତି ଯେ ଉତ୍ସବକୁ ରାହୁଲ ଗାନ୍ଧି ଆମନ୍ତ୍ରିତ ହୋଇଛନ୍ତି ଓ ତାଙ୍କୁ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀଙ୍କ ପରବର୍ତ୍ତି ଆସନ ଦିଆଯିବ। ସେ କହିଛନ୍ତି ଯେ ସ୍ୱାଧୀନତା ଦିବସ ସମାରୋହ ସିଟିଂ ଆରେଞ୍ଜମେଣ୍ଟ ‘ଟେବୁଲ ଅଫ ପ୍ରେସିଡେନ୍ସ’ ଅନୁସାରେ ହେବ। ଯାହା କ୍ୟାବିନେଟ୍ ମନ୍ତ୍ରୀଙ୍କ ଠିକ୍ ପରେ ରହିବ।
ଗତବର୍ଷ କଂଗ୍ରେସ ଏହି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଥିଲା। କଂଗ୍ରେସର ଅଭିଯୋଗ ଥିଲା ଯେ ସ୍ୱାଧୀନତା ଦିବସ ସମାରୋହରେ ରାହୁଲ ଗାନ୍ଧିଙ୍କୁ ପଞ୍ଚମ ଲାଇନରେ ବସା ଯାଇଥିଲା। ଏହାକୁ ପାର୍ଟି ହୀନ ଭାବନା ଓ ଗଣତନ୍ତ୍ର ନିୟମର ଅଣଦେଖା ବୋଲି କହିଥିଲା। ସେତେବେଳେ ରକ୍ଷାମନ୍ତ୍ରାଳୟ ଅଧିକାରୀମାନେ କହିଥିଲେ ଯେ ସିଟିଂ ଆରେଞ୍ଜମେଣ୍ଟ ଟେବୁଲ ଅଫ ପ୍ରେସିଡେନ୍ସ ଅନୁସାରେ କରାଯାଇଥିଲା। ଚଳିତବର୍ଷ ପ୍ରାରମ୍ଭରେ ସାଧାରଣତନ୍ତ୍ର ଦିବସ ସମାରୋହରେ ରାହୁଲ ଗାନ୍ଧି ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ତୃତୀୟ ଧାଡିରେ ବସାଯିବା ଯୋଗୁ କଂଗ୍ରେସ କେନ୍ଦ୍ର ଉପରେ ପ୍ରୋଟକଲ ଭାଙ୍ଗିବାର ଅଭିଯୋଗ ଆଣିଥିଲା।
ପ୍ରେସିଡେଣ୍ଟ ସେକ୍ରେଟାରିୟେଟ ପକ୍ଷରୁ ଜାରି ୱାରେଣ୍ଟ ଅଫ ପ୍ରେସିଡେନ୍ସ ଅନୁସାରେ ସରକାରୀ ଓ ଜାତୀୟ ଉତ୍ସବମାନଙ୍କରେ ବସିବାର ବ୍ୟବସ୍ଥା ସାମ୍ବିଧାନିକ ପଦ ଓ ରାଙ୍କ ଆଧାରରେ ନିର୍ଦ୍ଧାରଣ କରାଯାଏ, ରାଜନୈତିକ ସମ୍ପର୍କ ଆଧାରରେ ନୁହେଁ। ଟେବୁଲ ଅଫ ପ୍ରେସିଡେନ୍ସ ଏକ ପ୍ରୋଟକଲ ଲିଷ୍ଟ ଯାହା ଗଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସ ଭଳି ଜାତୀୟ ଆୟୋଜନରେ କାର୍ଯ୍ୟକାରୀ ହୋଇଥାଏ। ଏହାର ସରକାରଙ୍କ ଦୈନନ୍ଦିନ କାମ ସହ କୌଣସି ସମ୍ପର୍କ ନାହିଁ। ଏହା ଆର୍ଟିକ୍ଲ ୭ ଅନୁସାରେ ଲୋକସଭା ଓ ରାଜ୍ୟସଭା ବିରୋଧୀ ଦଳ ନେତାଙ୍କୁ କେନ୍ଦ୍ରୀୟ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ରଖିଥାଏ।
