ତିରୁଅନନ୍ତପୁରମ: ଜାତୀୟ ଗୀତ ବନ୍ଦେ ମାତରମ ସମ୍ପୂର୍ଣ୍ଣ ଗାନ କରିବାକୁ ନିର୍ଦ୍ଦେଶ କେରଳରେ ରାଜନୈତିକ ବିବାଦର କାରଣ ପାଲଟିଛି। ଏଥି ପାଇଁ ଭି.ଡି. ସତୀଶନ ସରକାରଙ୍କ ଉପରେ ବିରୋଧୀ ଓ ନିଜ ରାଜନୈତିକ ସହଯୋଗୀ ଉଭୟ ପଟୁ ଚାପ ବଢିବାରେ ଲାଗିଛି। ମିଳୁଥିବା ସୂଚନା ଅନୁସାରେ ଏହି ବିବାଦ ଅଗଷ୍ଟ ୬ ତାରିଖରେ କେରଳମ ମୁଖ୍ୟ ଶାସନ ସଚିବ ବିଶ୍ୱନାଥ ସିହ୍ନାଙ୍କ ସର୍କୁଲାର ଜାରି ହେବା ପରେ ଉପୁଜିଛି। ଏଥିରେ ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ’ ସମ୍ପୂର୍ଣ୍ଣ ଗାନ ଲାଗି ନିର୍ଦ୍ଦେଶ ଦିଆଯାଇଛି।
ମୁଖ୍ୟ ଶାସନ ସଚିବଙ୍କ ଏହି ଆଦେଶ ରାଜ୍ୟରେ କଂଗ୍ରେସ ନେତୃତ୍ୱାଧୀନ ସରକାରଙ୍କ ନିମନ୍ତେ ବିଷମ ରାଜନୈତିକ ପରିସ୍ଥିତି ସୃଷ୍ଟି କରିଛି। ଏହା ସେହି ରାଜ୍ୟର କଥା ଯେଉଁଠି କଂଗ୍ରେସ ଓ ସିପିଆଇ(ଏମ) ଉଭୟ ପାରମ୍ପରିକ ରୂପେ ସରକାରୀ କାର୍ଯ୍ୟକ୍ରମମାନଙ୍କରେ ‘ବନ୍ଦେ ମାତରମ’ ସମ୍ପୂର୍ଣ୍ଣ ଗୀତ ଗାନକୁ ପ୍ରାୟତଃ ବିରୋଧ କରି ଆସୁଛନ୍ତି। ଏବେ ମୁଖ୍ୟ ଶଚିବଙ୍କ ସର୍କୁଲାରକୁ ପ୍ରସଙ୍ଗ କରି ସରକାର ସଂଘ ପରିବାରର ରାଜନୈତିକ ଏଜେଣ୍ଡା ଆଗରେ ନଇଁ ଯାଇଥିବା ସିପିଆଇ(ଏମ)ଅଭିଯୋଗ କରିଛି। ବିରୋଧୀ ଦଳ ନେତା ପି.ବିଜୟନ ଏହି ମାମଲାରେ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଧର୍ମନିରପେକ୍ଷ ରାଜନୀତିର ଦାବି କରୁଥିବା କଂଗ୍ରେସ ସରକାର ଏପରି ଆଦେଶ କାହିଁକି ଜାରି କଲେ ବୋଲି ପ୍ରଶ୍ନ ଉଠାଇଛନ୍ତି।
ମୁଖ୍ୟ ଶାସନ ସଚିବଙ୍କ ସର୍କୁଲାର ଅନୁସାରେ କେନ୍ଦ୍ରର ‘ହର ଘର ତିରଙ୍ଗା’ ଅଭିଯାନ (ଯାହାକୁ ମୂଳତଃ ସ୍ୱାଧୀନତାର ଅମୃତ ମହୋତ୍ସବ ପାଇଁ ଆରମ୍ଭ କରାଯାଇଥିଲା)ର ୨୦୨୬ ସଂସ୍କରଣକୁ ବନ୍ଦେ ମାତରମର ୧୫୦ତମ ବାର୍ଷିକ ଉପଲକ୍ଷେ ଆୟୋଜିତ ଦେଶବ୍ୟାପୀ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟ ସହିତ ଯୋଡା ଯାଇଛି। ଏହି ଏକିକରଣରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ଜାତୀୟ କାର୍ଯ୍ୟକାରୀ କମିଟି ମଞ୍ଜୁରି ଦେଇଥିଲା। ହେଲେ ବନ୍ଦେ ମାତରମର ପୁରା ଗାନ ନିର୍ଦ୍ଦେଶନେଇ ପ୍ରଶାସନିକ ସୂଚନା ଏବେ କେରଳରେ ରାଜନୈତିକ ବିବାଦରେ ପରିଣତ ହୋଇଛି।
ତେବେ କେରଳ ଲୋକ ଭବନ ଆଡକୁ ଇଶାରା କରି ନିଜକୁ ବିବାଦରୁ ପୃଥକ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ମଧ୍ୟ ବିଫଳ ହୋଇଛି। ଏପରି ନିର୍ଦ୍ଦେଶ ଜାରି କରିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇଥିବା କଥାକୁ କେରଳମ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଅସ୍ୱୀକାର କରାଯାଇଛି। ତେବେ ସମ୍ପୂର୍ଣ୍ଣ ବନ୍ଦେ ମାତରମ ଗାଇବା ନିର୍ଦ୍ଦେଶ ମୁଖ୍ୟ ଶାସନ ସଚିବଙ୍କ ଆଦେଶରେ କିପରି ସାମିଲ ହେଲା ସେ ନେଇ ଏବେ ରାଜ୍ୟ ସରକାର ଦ୍ୱନ୍ଦ୍ୱରେ ପଡିଛନ୍ତି। କେରଳମରେ ଏହି ବିବାଦ ବିଶେଷ ସମ୍ବେଦନଶୀଳ, କାରଣ ବନ୍ଦେ ମାତରମର ପରବର୍ତ୍ତି ଛନ୍ଦ ଦୀର୍ଘ ସମୟରୁ ରାଜନୈତିକ ବିତର୍କର କାରଣ ରହି ଆସିଛି।
ସିପିଆଇ(ଏମ), କଂଗ୍ରେସ, ଇଣ୍ଡିଆନ ୟୁନିୟନ ମୁସ୍ଲିମ ଲିଗ୍ ଓ ରାଜ୍ୟର ଅନ୍ୟ ରାଜନୈତିକ ଗୋଷ୍ଠୀ ଦୀର୍ଘ ସମୟରୁ ଏହା ଭାବୁଛନ୍ତି ପରବର୍ତ୍ତି ଛନ୍ଦରେ ହିନ୍ଦୁ ଦେବୀ ଦେବତାଙ୍କ ସମ୍ପର୍କିତ ଆହ୍ୱାନ ଓ ଛବି ରହିଛି, ଏଣୁ ଏକ ଧର୍ମନିରପେକ୍ଷ ରାଜ୍ୟର ଏହା ଅଧିକାରୀକ ଜାତୀୟ ଗୀତ ହୋଇ ନପାରେ । ତେବେ ବିଜେପି ଓ ଏହାର ଏନଡିଏ ସହଯୋଗୀ ଲଗାତାର ଏହି କଥାକୁ ଅଗ୍ରାହ୍ୟ କରିଆସୁଛନ୍ତି। ଏପରି ରାଜନୈତିକ ଦୃଶ୍ୟପଟରେ ମୁଖ୍ୟ ଶାସନ ସଚିବଙ୍କ ପତ୍ର ନୂଆ ବିତର୍କ ଆରମ୍ଭ କରିଛି। ଏଥିରେ କେରଳ କଂଗ୍ରେସର ବରିଷ୍ଠ ନେତା ରାଜମୋହନ ଉନ୍ନିଥାନ କହିଛନ୍ତି ଯେ ତାଙ୍କୁ ହୁଏତ ଗୁଳି କରାଯାଇପାରେ ହେଲେ ସେ ପୁରା ଜାତୀୟ ଗୀତ ଗାନ କରିପାରିବେ ନାହିଁ। ତେବେ ଅଗଷ୍ଟ ୧୫ ଜାତୀୟ ଉତ୍ସବରେ କେରଳମ ୟୁଡିଏଫ ସରକାରଙ୍କ ଆଭିମୁଖ୍ୟ କଣ ହେବ ଏବେଠୁ ତା ଉପରେ ସମସ୍ତଙ୍କ ନଜର ରହିଛି।
