ଭୁବନେଶ୍ୱର : ୯୦ ଦଶକରେ ନିଜର ଆକର୍ଷଣୀୟ ଲୁକ୍ସ ଓ ଅଭିନୟ ପାଇଁ ବଲିଉଡ୍ରେ ବିଶେଷ ପରିଚୟ ସୃଷ୍ଟି କରିଥିଲେ ଜୁଗଲ ହଂସରାଜ। ସେତେବେଳେ ତାଙ୍କୁ ଶାହରୁଖ ଖାନ୍ ଓ ସଲମାନ ଖାନଙ୍କର ଜୋରଦାର ପ୍ରତିଦ୍ୱନ୍ଦ୍ୱୀ ବୋଲି ମନେ କରାଯାଉଥିଲା। ଏକ ସମୟରେ ସେ ଏକାସାଙ୍ଗେ ୪୦ଟି ଫିଲ୍ମ ସାଇନ୍ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। କିନ୍ତୁ ପରେ ହଠାତ୍ ସେ ବଡ଼ ପରଦାରୁ ଦୂରେଇ ଯାଇଥିଲେ। ତେବେ ଏବେ କେଉଁଠି ଅଛନ୍ତି ଏହି ଅଭିନେତା? କାହିଁକି ମଝିରେ ହୋଇଗଲେ ଗାୟବ ?
ବଲିଉଡ୍ର ଚକଚକିଆ ଦୁନିଆରେ ଅନେକ ଅଭିନେତା ଆସନ୍ତି ଆଉ ଯାଆନ୍ତି। କେହି ଦୀର୍ଘ ସମୟ ଧରି ଦର୍ଶକଙ୍କ ହୃଦୟରେ ରହିଯାଆନ୍ତି, ଆଉ କେହି ସଫଳତାର ଶୀର୍ଷରେ ପହଞ୍ଚି ହଠାତ୍ ଲାଇମଲାଇଟ୍ରୁ ଦୂରେଇ ଯାଆନ୍ତି। ସେମାନଙ୍କ ମଧ୍ୟରୁ ଜୁଗଲ ହଂସରାଜ ହେଉଛନ୍ତି ଅନ୍ୟତମ। ଶିଶୁ କଳାକାର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ଜୁଗଲ ପରେ ରୋମାଣ୍ଟିକ୍ ହିରୋ ଭାବେ ପରିଚିତ ହୋଇଥିଲେ। ତାଙ୍କର ନୀଳ ଆଖି, ଆକର୍ଷଣୀୟ ହସ ଓ ସ୍ମାର୍ଟ ବ୍ୟକ୍ତିତ୍ୱ ପାଇଁ ସେ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ଥିଲେ। ଇଣ୍ଡଷ୍ଟ୍ରିରେ ତାଙ୍କର ଚାହିଦା ଏତେ ବଢ଼ିଥିଲା ଯେ ଏକ ସମୟରେ ସେ ଏକାସାଙ୍ଗେ ୪୦ଟି ଫିଲ୍ମରେ ସାଇନ୍ କରିଥିଲେ। କିନ୍ତୁ ଭାଗ୍ୟ ସବୁବେଳେ ସାଥ୍ ଦେଇନଥିଲା। ସେ ସାଇନ୍ କରିଥିବା ଅନେକ ଫିଲ୍ମ ବନ୍ଦ ହୋଇଯାଇଥିଲା କିମ୍ବା ନିର୍ମାଣ ହୋଇପାରିନଥିଲା। ଫଳରେ ତାଙ୍କ କ୍ୟାରିୟର ଆଶା ଅନୁଯାୟୀ ଆଗକୁ ବଢ଼ିପାରିନଥିଲା। ତଥାପି ‘ମୋହବ୍ବତେଁ’ ପରି ପପୁଲାର ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ବହୁତ ପସନ୍ଦ କରିଥିଲେ।
ଧୀରେ ଧୀରେ ଜୁଗଲ ଅଭିନୟରୁ ଦୂରେଇ ଅନ୍ୟ କାମ ଉପରେ ଧ୍ୟାନ ଦେଇଥିଲେ। ସେ କିଛି ସମୟ ପର୍ଯ୍ୟନ୍ତ ଚଳଚ୍ଚିତ୍ର ନିର୍ମାଣ ଓ ଲେଖାଲେଖି ସହ ମଧ୍ୟ ଜଡ଼ିତ ରହିଥିଲେ। ପରେ ସେ ପରିବାର ସହ ବିଦେଶରେ ସ୍ଥାୟୀ ହୋଇଯାଇଥିଲେ ଏବଂ ଲାଇମଲାଇଟ୍ରୁ ଦୁରେଇ ଏବେ ଏକ ସରଳ ଜୀବନ ବିତାଉଛନ୍ତି। ଯଦିଓ ସେ ଏବେ ବଲିଉଡ୍ରେ ସକ୍ରିୟ ନାହାନ୍ତି , ତଥାପି ୯୦ ଦଶକର ସିନେପ୍ରେମୀଙ୍କ ପାଇଁ ଜୁଗଲ ହଂସରାଜ ଆଜି ମଧ୍ୟ ଏକ ସ୍ମରଣୀୟ ଚେହେରା । ତାଙ୍କର ଫିଲ୍ମ ଓ ସରଳ ବ୍ୟକ୍ତିତ୍ୱ ତାଙ୍କୁ ଆଜି ମଧ୍ୟ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଦେଇଛି।
