ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ନିକଟରେ ଶେଷ ହୋଇଥିବା ଦିନିକିଆ ସିରିଜ୍ ପରେ ଜାରି ଆଇସିସି ରାଙ୍କିଂରେ ଭାରତୀୟ ବ୍ୟାଟରଙ୍କ ଦରଦବା ଦେଖିବାକୁ ମିଳିଛି । ଅଧିନାୟକ ଶୁଭମନ ଗିଲ୍, ବିରାଟ କୋହଲି ଏହବଂ ରୋହିତ୍ ଶର୍ମା ଦୁନିଆର ଶୀର୍ଷ ୫ ବ୍ୟାଟରଙ୍କ ମଧ୍ୟରେ ନିଜ ସ୍ଥାନ ବଜାୟ ରଖିଛନ୍ତି । ଗିଲ୍ ଏବେ ଏକ ନମ୍ୱର ସ୍ଥାନ ହାସଲ କରିବାଠାରୁ ମାତ୍ର ଗୋଟିଏ ରେଟିଂ ପଏଣ୍ଟ ପଛରେ ଅଛନ୍ତି ।
ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରେ ୧୮୮ ରନ କରିଥିବା ଗିଲଙ୍କ ପାଖରେ ଏବେ ୮୦୧ ରେଟିଂ ପଏଣ୍ଟ ଅଛି । ଶୀର୍ଷରେ ଥିବା ନ୍ୟୁଜିଲାଣ୍ଡର ଡାରିଲ ମିଚେଲ (୮୦୨ ପଏଣ୍ଟ)ଙ୍କଠାରୁ ମାତ୍ର ଗୋଟିଏ ପଏଣ୍ଟ ପଛରେ ଅଛନ୍ତି । ବିରାଟ କୋହଲି ୭୬୭ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ଏବଂ ରୋହିତ ଶର୍ମା ୭୫୮ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ରହିଛନ୍ତି ।
ଭାରତ ବିପକ୍ଷ ସିରିଜରେ ପ୍ରଭାବଶାଳୀ ପ୍ରଦର୍ଶନରୁ ଇଂଲଣ୍ଡର ଅଭିଜ୍ଞ ବ୍ୟାଟର ଜୋ ରୁଟଙ୍କୁ ଲାଭ ହୋଇଛି । ୨୪୯ ରନ କରି ପ୍ଲେୟାର ଅଫ୍ ଦି ସିରିଜ୍ ହୋଇଥିବା ରୁଟ୍ ଚାରି ସ୍ଥାନ ଉପରକୁ ଉଠି ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି । ବେନ୍ ଡକେଟ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଲମ୍ଫ ମାରି ୧୧ ସ୍ଥାନ ଉପରକୁ ଉଠି ମିଳିତ ୧୯ତମ ସ୍ଥାନରେ ପହଞ୍ଚିଛନ୍ତି । ଜାକବ୍ ବେଥେଲ୍ ପାଞ୍ଚ ସ୍ଥାନ ଉପରକୁ ଉଠି ୬୪ତମ ସ୍ଥାନରେ ପହଞ୍ଚିଛନ୍ତି।
ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ମଧ୍ୟ ଏକଦିବସୀୟ ରାଙ୍କିଙ୍ଗରେ ଦୁଇ ସ୍ଥାନ ଉପରକୁ ଉଠି ୧୩ତମ ସ୍ଥାନରେ ପହଞ୍ଚିଛନ୍ତି । ଆଫଗାନିସ୍ତାନର ରସିଦ ଖାନ ବୋଲରଙ୍କ ତାଲିକାର ଶୀର୍ଷରେ ରହିଛନ୍ତି । ଭାରତ ବିପକ୍ଷ ଦିନିକିଆ ସିରିଜରେ ପାଞ୍ଚଟି ୱିକେଟ ନେବା ପରେ ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଗୋଟିଏ ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି ।
