Voice of Eastern India

Godzilla vs Kong ଅଭିନେତ୍ରୀ କେଲି ହଟେଲଙ୍କ ଅକାଳ ବିୟୋଗ, ସଡ଼କ ଦୁର୍ଘଟଣା ନେଲା ଜୀବନ


ନୂଆଦିଲ୍ଲୀ: ସୁପରହିଟ୍ ହଲିଉଡ୍ ଫିଲ୍ମ Godzilla vs. Kong ଏବଂ ‘ଗଡ୍‌ଜିଲା x କଙ୍ଗ୍: ଦି ନ୍ୟୁ ଏମ୍ପାୟାର’ରେ ‘ଜିଆ’ ଚରିତ୍ରରେ ଅଭିନୟ କରି ସାରା ବିଶ୍ୱରେ ଆଦୃତ ହୋଇଥିବା ଯୁବ ଅଭିନେତ୍ରୀ କେଲି ହଟେଲ୍ (Kaylee Hottle) ଙ୍କର ମାତ୍ର ୧୮ ବର୍ଷ ବୟସରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆମେରିକାର ମେରୀଲ୍ୟାଣ୍ଡଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

କେଲିଙ୍କ ବାପା ଯୋଶୁଆ ହଟେଲ୍ ସୋସିଆଲ୍ ମିଡିଆରେ ‘ଆମେରିକାନ୍ ସାଇନ୍ ଲାଙ୍ଗୁଏଜ୍’ ମାଧ୍ୟମରେ ଏକ ଭାବବିହ୍ୱଳ ଲାଇଭ୍ ଷ୍ଟ୍ରିମ୍ କରି ଏହି ଦୁଃଖଦ ଖବର ଦେଇଛନ୍ତି।  କେଲି ଏକ ଗୁରୁତର ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଡାକ୍ତରଖାନା ଯିବା ବାଟରେ ହୃଦଘାତ ହୋଇଥିଲା ଏବଂ ଡାକ୍ତରମାନେ ସମସ୍ତ ଚେଷ୍ଟା କରିବା ସତ୍ତ୍ୱେ ତାଙ୍କୁ ବଞ୍ଚାଇପାରି ନଥିଲେ ।

କେଲି  ଜର୍ଜିଆର ଆଟଲାଣ୍ଟାସ୍ଥିତ ଏକ ବଧିର ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ମଧ୍ୟ ଜନ୍ମରୁ ବଧିର ଥିଲେ ।  

ସେ ଖୁବ୍ କମ୍ ବୟସରୁ ବିଜ୍ଞାପନ ଏବଂ ଭିଡିଓ ଆପ୍ ‘ଗ୍ଲାଇଡ୍’ ପାଇଁ କାମ କରି ଅଭିନୟ ଜଗତରେ ପାଦ ଥାପିଥିଲେ।

୨୦୨୧ ମସିହାରେ ଆସିଥିବା Godzilla vs. Kong ଫିଲ୍ମରେ ସେ ‘ଜିଆ’ ଭୂମିକାରେ ଅଭିନୟ କରି ବିଶ୍ୱସ୍ତରରେ ଚର୍ଚ୍ଚିତ ହୋଇଥିଲେ। ସେହି ଫିଲ୍ମରେ କିଙ୍ଗ କଙ୍ଗ୍ ସହ ସାଙ୍କେତିକ ଭାଷାରେ ତାଙ୍କର କଥାବାର୍ତ୍ତା ଦର୍ଶକଙ୍କ ମନ ଜିଣିଥିଲା।

୨୦୨୪ରେ ଆସିଥିବା ଏହାର ସିକ୍ୱେଲ୍ ‘Godzilla x Kong: The New Empireରେ ମଧ୍ୟ ସେ ଏହି ସଫଳ ଭୂମିକା ନିଭାଇଥିଲେ।  

ସିନେମା ବ୍ୟତୀତ ସେ ଲୋକପ୍ରିୟ ଟିଭି ଶୋ’ ‘ମ୍ୟାଗନମ୍ P.I.’ ର ଚତୁର୍ଥ ସିଜନ୍‌ରେ ‘ଜୁନ୍’ ଚରିତ୍ରରେ ନଜର ଆସିଥିଲେ।

ବଧିର ଲୋକମାନଙ୍କୁ ହଲିଉଡ୍ ସିନେମାରେ ସଠିକ୍ ଓ ଗୌରବପୂର୍ଣ୍ଣ ସ୍ଥାନ ଦେବାରେ କେଲିଙ୍କ ଅବଦାନ ସଦା ସ୍ମରଣୀୟ ରହିବ। ତାଙ୍କର ଏହି ଅକାଳ ବିୟୋଗରେ ଚଳଚ୍ଚିତ୍ର ଜଗତ ଏବଂ ଫ୍ୟାନ୍ସଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।



Source link

Leave A Reply

Your email address will not be published.