କେନ୍ଦ୍ରାପଡ଼ା ୧୭।୭: ରଥ ଦାଣ୍ଡରେ ଅଟକିଛି କେନ୍ଦ୍ରାପଡାର ଆରାଧ୍ଯ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ l ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରଥ ବିଭ୍ରାଟ ଯୋଗୁଁ ରଥ ଅଟକି ରହିଛି l ଶ୍ରୀଗୁଣ୍ଡିଚା ଦିନ ରଥ ଟଣା ଯାଇ ଦେବୋତ୍ତର କାର୍ଯ୍ୟାଳୟ ନିକଟରେ ଅଟକି ରହିବାର ପରମ୍ପରା ରହିଥିବା ବେଳେ ଚଳିତ ବର୍ଷ ସେ ପରମ୍ପରା ମଧ୍ୟ ଭାଙ୍ଗି ଯାଇଛି l ରଥଟଣା ଯିବାର ମାତ୍ର କୋଡ଼ିଏ ମିଟର ପରେ ଡାହାଣ ପଟକୁ ମାଡି ଯାଇଥିଲା l କିଛି ସମୟ ପରେ ରଥ ଟଣା ହେଲା କିନ୍ତୁ ଦଉଡ଼ି ଛିଣ୍ଡି ଯିବା ଦ୍ଵାରା ରଥ ଅଟକି ରହିଲା l ତେବେ ଶୁକ୍ରବାର ଦ୍ଵିତୀୟ ଦିନରେ ମଧ୍ଯ ସମାନ ଅବସ୍ଥା l ପୁନର୍ବାର ରଥ ଟଣା ହେବା ପରେ ଡାହାଣକୁ ମାଡି ଯାଇଥିଲା l ପରିସ୍ଥିତି ଏପରି ହେଲା ଇଷ୍ଟକୋଷ୍ଟ ରେଲୱେର ହାଇଡ୍ରୋଲିକ ଜାକ୍ ବ୍ୟବହାର କରାଯାଇ ରଥକୁ ମୁଖ୍ୟ ମାର୍ଗକୁ ଅଣାଯାଇଥିଲା l ଶ୍ରୀ ଗୁଣ୍ଡିଚା ପରଦିନ ରଥ ଗୁଣ୍ଡିଚା ମନ୍ଦିରରେ ଚକଡା ଲାଗିବାର ବିଧି ରହିଥିବା ବେଳେ ସନ୍ଧ୍ୟା ସୁଦ୍ଧା ରଥ ଟଣା ଶେଷ ହୋଇନଥିଲା l ରଥ ଟଣାରେ ବିଭ୍ରାଟ ଯୋଗୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l
Also Read:- ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ, ଆଶୁଆରୋଗ୍ୟ କାମନା କଲେ ନବୀନ
ଗତ ଚାରି ବର୍ଷ ଧରି କେନ୍ଦ୍ରାପଡ଼ାରେ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ରଥ ଟଣାରେ ବିଭ୍ରାଟ ସୃଷ୍ଟି ହେଉଛି l ଏହାକୁ ଦୃଷ୍ଟିରେ ରଖି ସମୂର୍ଣ୍ଣ ନୂଆ ରଥ ନିର୍ମାଣ ପାଇଁ ବିଭିନ୍ନ ମହଲରେ ଦାବି ହେବା ପରେ ରାଜ୍ୟ ସରକାର ରଥ ନିର୍ମାଣ ପାଇଁ ଏକ କୋଟି ଟଙ୍କା ଆର୍ଥିକ ଅନୁଦାନ ଦେଇଥିଲେ l ନୂତନ ରଥ ନିର୍ମାଣ ପରେ ବି ଅବସ୍ଥାରେ କୌଣସି ପରିବର୍ତ୍ତନ ହେଲା ନାହିଁ l ତେବେ ରଥ ବିଭ୍ରାଟର ପ୍ରକୃତ କାରଣ ଖୋଜି ପାଇବାରେ ମନ୍ଦିର ପ୍ରଶାସନ ବିଫଳ ହୋଇଛି l ଅନ୍ୟପକ୍ଷରେ ଏ ନେଇ ଭକ୍ତ ମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି l ନିଜ ଆରାଧ୍ୟ ଦେବତାଙ୍କ ରଥ ତାଣିନେବା ପାଇଁ ଭକ୍ତ ମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି l
