Voice of Eastern India

ଦେଶରେ ବଢିଛି ପେଟ୍ରୋଲ ଓ ଡିଜେଲ ବିକ୍ରି, କମିଛି LPG ଚାହିଦା


ନୂଆଦିଲ୍ଲୀ: ଦୁର୍ବଳ ମୌସୁମୀ ଓ ବର୍ଷା ବିଳମ୍ବ ଯୋଗୁ ଚାଷୀ ଓ ବାହନ ଚାଳକଙ୍କ ଡିଜେଲଓ ପେଟ୍ରୋଲ ଚାହିଦା ଢେର ବଢି ଯାଇଛି। ୧ରୁ ୧୫ ଜୁଲାଇ ମଧ୍ୟରେ ଦେଶର ସାର୍ବଜନିକ କ୍ଷେତ୍ରର ପେଟ୍ରୋଲିୟମ ମାର୍କେଟିଂ କମ୍ପାନୀଙ୍କ ପେଟ୍ରୋଲ ଓ ଡିଜେଲ ବିକ୍ରିରେ ବୃଦ୍ଧି ରେକର୍ଡ କରାଯାଇଛି। ଇଣ୍ଡିଆନ ଅଏଲ, ବିପିସିଏଲ ଓ ଏଚପିସିଏଲର ପେଟ୍ରୋଲ ବିକ୍ରି ୧ରୁ ୧୫ ଜୁଲାଇ ମଧ୍ୟରେ ୨୨.୯% ବଢି ୧୬.୩ଲକ୍ଷ ଟନ ହୋଇଯାଇଛି। ତେବେ ବର୍ଷକ ପୂର୍ବରୁ ଏହି ଅବଧିରେ ଏହି ବିକ୍ରି ପରିମାଣ ୧୩.୩ ଲକ୍ଷ ଟନ ଥିଲା।

ସେହିପରି ଡିଜେଲ ବିକ୍ରି ବାର୍ଷିକ ଆଧାରରେ ୨୦.୯% ବଢି ୩୪.୬ଲକ୍ଷ ଟନ ହୋଇଯାଇଛି। ଗତବର୍ଷ ଏହି ଅବଧିରେ ମୋଟ ଡିଜେଲ ବିକ୍ରି ୨୮.୭ଲକ୍ଷ ଟନ ଥିଲା। ସାଧାରଣତଃ ଦେଶକୁ ମୌସୁମୀର ଆଗମନ ପରେ ଇନ୍ଧନ ବିକ୍ରି ପରିମାଣ ହ୍ରାସ ହୋଇଥାଏ। କାରଣ ଖେତକୁ ଜଳ ସେଚିତ କରିବା ପାଇଁ ପମ୍ପ ବ୍ୟବହାର ହ୍ରାସ ହୁଏ, ସେହିପରି ସଡ଼କ ଯାତାୟାତ ମଧ୍ୟ କମି ଯାଏ। ହେଲେ ଚଳିତବର୍ଷ ମୌସୁମୀ ବିଳମ୍ବ କାରଣରୁ ଚାଷୀଙ୍କୁ ଜଳ ସେଚନ ନିମନ୍ତେ ଡିଜେଲ ଚାଳିତ ପମ୍ପ ବେଶି ଉପଯୋଗ କରିବାକୁ ପଡିଛି। ଏଣୁ ଦେଶରେ ଡିଜେଲ ଚାହିଦା ବଢିଛି।

ଗତବର୍ଷ ତୁଳନାରେ ଜୁଲାଇ ପ୍ରଥମ ପକ୍ଷରେ ଡିଜେଲ ଓ ପେଟ୍ରୋଲର ଚାହିଦା ବଢିଛି। ତେବେ ମାସିକ ଆଧାରରେ ତୁଳନା କଲେ ପେଟ୍ରୋଲ ଓ ଡିଜେଲ ଉଭୟ ବିକ୍ରି ହ୍ରାସ ହୋଇଛି। ଜୁନ ପ୍ରଥମ ୧୫ ଦିନ ତୁଳନାରେ ପେଟ୍ରୋଲ ବିକ୍ରି ୪.୪% ଓ ଡିଜେଲ ବିକ୍ରି ୧୨.୧% କମ ରହିଛି। ମାସିକ ଆଧାରରେ ଜୁଲାଇରେ ବିକ୍ରି ଜୁନ ତୁଳନାରେ କମ୍ ହୁଏ। ଏହାର କାରଣ ହେଉଛି ଜୁନ ମାସରେ ସ୍କୁଲ ଓ କଲେଜ ଗ୍ରୀଷ୍ମ ଅବକାଶ ଯୋଗୁ ଯାତ୍ରା ବଢିଯାଏ। ଏଥି ମଧ୍ୟରେ ବିମାନ ଇନ୍ଧନ ବିକ୍ରି ୧ରୁ ୧୫ ଜୁଲାଇ କାଳରେ ୦.୭% ବଢି ୩.୧୫ ଲକ୍ଷ ଟନ ହୋଇଛି। ତେବେ ଜୁନ ପ୍ରଥମ ୧୫ ଦିନ ତୁଳନାରେ ବିକ୍ରିରେ ୧୦.୩% ହ୍ରାସ ହୋଇଛି।

ପେଟ୍ରୋଲ ଓ ଡିଜେଲ ଚାହିଦା ଗତବର୍ଷ ତୁଳନାରେ ବଢିଛି । ତେବେ ଜୁନ ମାସ ତୁଳନାରେ ବିକ୍ରି କମିଛି। ସେହିପରି ଜୁନ ତୁଳନାରେ ରୋଷେଇ ଗ୍ୟାସ୍ ବିକ୍ରି ମଧ୍ୟ ହ୍ରାସ ହୋଇଛି। ଜୁଲାଇ ପ୍ରଥମ ପକ୍ଷ ଅର୍ଥାତ ୧ରୁ ୧୫ ଜୁଲାଇ ଅବଧିରେ ଏଲପିଜି ବିକ୍ରି ହ୍ରାସ ଜାରି ରହିଛି। ବାର୍ଷିକ ଆଧାରରେ ଏହି ହ୍ରାସ ୧୭.୫% ପର୍ଯ୍ୟନ୍ତ କମି ୧୪.୪ଲକ୍ଷ ଟନ୍ ବିକ୍ରି ହୋଇଛି।



Source link

Leave A Reply

Your email address will not be published.