Voice of Eastern India

ବର୍ଦ୍ଦି ଖୋଲି ନିର୍ବାଚନ ଲଢ଼… ଅସୀମ ମୁନିରଙ୍କୁ ପାକିସ୍ତାନୀ ସାଂସଦଙ୍କ ଚ୍ୟାଲେଞ୍ଜ 


ଇସଲାମାବାଦ: ପାକିସ୍ତାନର ବରିଷ୍ଠ ରାଜନେତା ତଥା ଜମିୟତ ଉଲେମା-ଇ-ଇସଲାମ-ଏଫ୍ (JUI-F) ର ମୁଖ୍ୟ ମୌଲାନା ଫଜଲୁର ରେହମାନ ଦେଶର ସେନା ମୁଖ୍ୟ ଫିଲ୍ଡ ମାର୍ଶଲ୍ ଅସୀମ ମୁନିରଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରିଛନ୍ତି। ସେ ସେନା ମୁଖ୍ୟଙ୍କୁ ୟୁନିଫର୍ମ ଓହ୍ଲାଇ ନିର୍ବାଚନ ଲଢ଼ିବାକୁ ଦାବି କରିଛନ୍ତି। ପଞ୍ଜାବରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ଫଜଲୁର ରେହମାନ ସେନା ମୁଖ୍ୟ ଅସୀମ ମୁନିରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ‘ଯଦି ଆପଣଙ୍କୁ ରାଜନୀତି କରିବାର ଅଛି, ତେବେ ସେନା ପୋଷାକ ଓହ୍ଲାଇ ନିର୍ବାଚନ ମଇଦାନକୁ ଆସନ୍ତୁ। ନିର୍ବାଚନ ଲଢ଼ିଲେ ଜଣାପଡ଼ିବ ଯେ, ୟୁନିଫର୍ମ ପିନ୍ଧିଥିବା ଲୋକଙ୍କୁ ଜନସାଧାରଣ କେତେ ଭୋଟ୍ ଦେଉଛନ୍ତି।’

ପାକିସ୍ତାନ ରାଜନୀତିରେ ସେନାର ହସ୍ତକ୍ଷେପକୁ ନେଇ ସେ କହିଛନ୍ତି ଯେ, ସେନା ନିଜର ସାମ୍ବିଧାନିକ ସୀମା ମଧ୍ୟରେ ରହିବା ଉଚିତ। କାହାକୁ କ୍ଷମତାରେ ବସାଇବା କିମ୍ବା ଗାଦିରୁ ହଟାଇବା ସେନାର କାମ ନୁହେଁ। ପାକିସ୍ତାନରେ ବଢ଼ୁଥିବା ଆତଙ୍କବାଦର ମୁକାବିଲା ପାଇଁ ସାଧାରଣ ନାଗରିକମାନଙ୍କୁ ସ୍ଥାନୀୟ ସେନା ଗଠନ କରିବା ପାଇଁ ଦିଆଯାଉଥିବା ପ୍ରସ୍ତାବକୁ ରେହମାନ ଦୃଢ଼ ବିରୋଧ କରିଛନ୍ତି। ସେ ଯୁକ୍ତି ବାଢ଼ିଛନ୍ତି ଯେ, ସେନାବାହିନୀ ଦେଶର ସୁରକ୍ଷା ପାଇଁ ଦରମା ପାଇଥାନ୍ତି, ତେଣୁ ଏହି ଦାୟିତ୍ୱ ସେମାନଙ୍କର। ସେ କହିଛନ୍ତି, ‘ସେନାବାହିନୀ ଆମ ରକ୍ତ-ଝାଳ ବୁହା ଟିକସରୁ ଦରମା ପାଉଛନ୍ତି। ମୁଁ କୌଣସି ସେନା ଗଠନ କରିବି ନାହିଁ।’

ସାଧାରଣ ନାଗରିକଙ୍କ ହାତକୁ ଅସ୍ତ୍ର ଟେକିଦେଲେ ଦେଶରେ ପିଢ଼ି ପିଢ଼ି ଧରି ବ୍ୟକ୍ତିଗତ ଶତ୍ରୁତା ଓ ରକ୍ତପାତ ଜାରି ରହିବ ବୋଲି ସେ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି। ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଉପରେ ଚିନ୍ତା ପ୍ରକଟ କରି ରେହମାନ କହିଛନ୍ତି ଯେ, ବଲୋଚିସ୍ତାନର ଏକ ବଡ଼ ଅଂଶ ଏବେ ପାକିସ୍ତାନ ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ସେ ଦାବି କରିଛନ୍ତି ଯେ, ପୂର୍ବରୁ କେବଳ ବଲୋଚ୍ ଅଞ୍ଚଳରେ ଚାଲିଥିବା ବିଦ୍ରୋହ ଓ ଅଶାନ୍ତି ଏବେ ପଶ୍ତୁନ୍ ବହୁଳ ଅଞ୍ଚଳକୁ ମଧ୍ୟ ବ୍ୟାପିବାରେ ଲାଗିଛି।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଶାସନ କାଳରେ ସେନା ମୁଖ୍ୟ ଅସୀମ ମୁନିରଙ୍କ ପ୍ରଭାବ କେବଳ ପ୍ରତିରକ୍ଷା କ୍ଷେତ୍ରରେ ସୀମିତ ନରହି ଜନସଂଖ୍ୟା ନିୟନ୍ତ୍ରଣ ଭଳି ନୀତିଗତ କମିଟିରେ ମଧ୍ୟ ବୃଦ୍ଧି ପାଉଛି। ଏହାକୁ ନେଇ ଏବେ ସରକାର ଏବଂ ସେନା ବିରୋଧରେ ପାକିସ୍ତାନର ରାଜନୈତିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

 



Source link

Leave A Reply

Your email address will not be published.