Voice of Eastern India

ବିଶ୍ୱାସଘାତକ ! ଜାହାଜ ଉପରକୁ ମିଶାଇଲ ମାଡ଼ କଲା ଇରାନ୍, ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ, ୮ ଗୁରୁତର


ନୂଆଦିଲ୍ଲୀ: ହର୍ମୁଜରେ ଘନେଇଲାଣି ମହାସଙ୍କଟ। ବିପଦରେ ଭାରତୀୟ ନାବିକ। ୟୁଏଇ (UAE)ର ଦୁଇଟି ତେଲ ଟ୍ୟାଙ୍କର ଉପରେ ଇରାନ ପକ୍ଷରୁ ମିସାଇଲ୍ ମାଡ଼ କରାଯାଇଛି। ଏହି ଭୟଙ୍କର ଆକ୍ରମଣରେ ଜଣେ ଭାରତୀୟ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଭାରତୀୟଙ୍କ ସମେତ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ୟୁଏଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମନ୍ତ୍ରଣାଳୟ ଅନୁଯାୟୀ, ‘ମୋମ୍ବାସା’ ଏବଂ ‘ଅଲ୍ ବହିୟା’ ନାମକ ଦୁଇଟି ତେଲ ଟ୍ୟାଙ୍କର ଯେତେବେଳେ ଓମାନର ସାମୁଦ୍ରିକ ଅଞ୍ଚଳରେ ଦକ୍ଷିଣ ପାର୍ଶ୍ୱ ଦେଇ ଗତି କରୁଥିଲେ, ସେହି ସମୟରେ ଇରାନ ସେମାନଙ୍କୁ ନିଶାନା କରିଥିଲା। ମୃତ୍ୟୁବରଣ କରିଥିବା ଭାରତୀୟ କ୍ରୁ ସଦସ୍ୟ ଜଣକ ‘ମୋମ୍ବାସା’ ଜାହାଜରେ କାର୍ଯ୍ୟରତ ଥିଲେ।

ଏହି ଆକ୍ରମଣରେ ଆହତ ହୋଇଥିବା ୮ ଜଣଙ୍କ ମଧ୍ୟରେ ୬ ଜଣ ଭାରତୀୟ ଏବଂ ୨ ଜଣ ୟୁକ୍ରେନର ନାଗରିକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା କୁହାଯାଉଛି। ମିସାଇଲ୍ ମାଡ଼ ଯୋଗୁଁ ଦୁଇଟିଯାକ ଟ୍ୟାଙ୍କରରେ ଭୟାବହ ନିଆଁ ଲାଗିଯାଇଥିଲା ଏବଂ ଜାହାଜ ଦ୍ୱୟ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି। ତେବେ ଜାହାଜର ବାକି ସଦସ୍ୟମାନେ କଠିନ ପରିଶ୍ରମ କରି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି।

ଏହି ଘଟଣାକୁ ଜାତୀୟ ତଥା ଆନ୍ତର୍ଜାତୀୟ ସାମୁଦ୍ରିକ ଆଇନର ଉଲ୍ଲଂଘନ ଦର୍ଶାଇ ୟୁଏଇ ଏହାକୁ କଡ଼ା ନିନ୍ଦା କରିଛି। ୟୁଏଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ନିଜର ସାର୍ବଭୌମତ୍ୱ, ସୁରକ୍ଷା ଏବଂ ସାମୁଦ୍ରିକ ସ୍ୱାର୍ଥର ରକ୍ଷା ପାଇଁ ଦେଶ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ ଏବଂ ଏହାର ଉଚିତ୍ ଜବାବ ଦେବାର ସମ୍ପୂର୍ଣ୍ଣ ଅଧିକାର ୟୁଏଇ ପାଖରେ ରହିଛି। ଆଞ୍ଚଳିକ ସ୍ଥିରତାକୁ ନଷ୍ଟ କରୁଥିବା ଯେକୌଣସି ଶକ୍ତି ବିରୋଧରେ ୟୁଏଇ ଦୃଢ଼ ଜବାବ ଦେବାକୁ ପ୍ରସ୍ତୁତ ଦେବ ବୋଲି କହିଛି।

ୱାଶିଂଟନ ଏବଂ ତେହେରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇରାନର ଏହି ସାହସିକ ଆକ୍ରମଣ ସାମ୍ନାକୁ ଆସିଛି। ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସାମୁଦ୍ରିକ ଅବରୋଧ ପୁନର୍ବାର ଆରମ୍ଭ କରିବାକୁ ଘୋଷଣା କରିଥିଲେ। ଏଥିସହିତ ଆମେରିକୀୟ ସେନା ମଧ୍ୟ କ୍ରମାଗତ ତୃତୀୟ ରାତି ପାଇଁ ଇରାନ ଉପରେ ଆକ୍ରମଣ ଜାରି ରଖିଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ, ଭାରତୀୟ ସମୟ ମଙ୍ଗଳବାର ସକାଳ ପ୍ରାୟ ୩ଟା ୧୫ ମିନିଟରେ ଇରାନ ଉପରେ ପୁଣି ଥରେ ଏହି ଆକ୍ରମଣ କରାଯାଇଛି।



Source link

Leave A Reply

Your email address will not be published.