Voice of Eastern India

ଛୁରି ମୁନରେ ପାର୍କିଂରୁ ଅପହରଣ କରି ମହିଳାଙ୍କୁ ଦୁଷ୍କର୍ମ, କୋର୍ଟ ଶୁଣାଇଲେ ୧୨୦ ବର୍ଷର ସଜା; ଆପଲ୍ ୱାଚ୍ ଯୋଗୁଁ ଧରାପଡ଼ିଲା ଅଭିଯୁକ୍ତ


ନୂଆଦିଲ୍ଲୀ: ଆମେରିକାର ଇଲିନଏ ରାଜ୍ୟରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ ଅପହରଣ କରି ବଳାତ୍କାର କରିବା ମାମଲାରେ ୪୨ ବର୍ଷର ଟିମୋଥି ଡୁବୋଇସକୁ ୧୨୦ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଯାଇଛି । ଜୁଲାଇ ୯ ତାରିଖରେ କୋର୍ଟ ଏହି ସଜା ଶୁଣାଇଛନ୍ତି ।

୨୦୨୨ ନଭେମ୍ବର ୧୧ ଭେଟେରନ୍ସ ଡେ’ ଦିନ ଏହି ଘଟଣା ଘଟିଥିଲା । କୋଲିନ୍ସଭିଲ୍ ସହରର ଏକ ଷ୍ଟାରବକ୍ସ ପାର୍କିଂରେ ୨୧ ବର୍ଷୀୟା ଯୁବତୀ ଜଣକ ନିଜ କାରରେ ବସି ଅର୍ଡର ପାଇଁ ଅପେକ୍ଷା କରୁଥିଲେ । ସେହି ସମୟରେ ଟିମୋଥି ଡୁବୋଇସ୍ ମୁହଁରେ ମାସ୍କ ପିନ୍ଧି ଏବଂ ହାତରେ ଛୁରି ଧରି ସେଠାକୁ ଆସିଥିଲା । ମହିଳାଙ୍କୁ ଭୟଭୀତ କରାଇ ଜବରଦସ୍ତ କାର୍ରେ ବସାଇଥିଲା ଏବଂ ତାଙ୍କୁ ଟ୍ରୟ ସହରକୁ ନେଇଯାଇଥିଲା । ସେଠାରେ ସେ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲା ।

ମହିଳାଙ୍କୁ ଯେପରି କେହି ଟ୍ରାକ୍ କରିପାରିବେ ନାହିଁ ସେଥିପାଇଁ ଡୁବୋଇସ୍ ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ କରିଦେଇଥିଲା । କିନ୍ତୁ ମହିଳାଙ୍କ ଆପଲ୍ ୱାଚ୍ ଚାଲୁ ରହିଥିଲା । ଆକ୍ରମଣ ପରେ ସେ ମହିଳାଙ୍କୁ ପୁଣି ଷ୍ଟାରବକ୍ସ ନିକଟସ୍ଥ ଅଞ୍ଚଳକୁ ନେଇ ଆସିଥିଲା । ସେଠାରେ ସେ ମହିଳାଙ୍କ ମୁଣ୍ଡରେ ଏକ କୋଟ୍ ଘୋଡ଼ାଇ ଫେରାର ହୋଇଯାଇଥିଲା ।

ମହିଳାଙ୍କ ଆପଲ୍ ୱାଚ୍ ସାହାଯ୍ୟରେ ପୋଲିସକୁ ଆକ୍ରମଣ ହୋଇଥିବା ସ୍ଥାନର ସୂଚନା ମିଳିଥିଲା । ସେହି ସ୍ଥାନରୁ ଏକ ବ୍ୟବହୃତ କଣ୍ଡୋମ୍ ମଧ୍ୟ ଜବତ କରାଯାଇଥିଲା । ‘ଜେନେଟିକ୍ ଜେନିଓଲୋଜି’ ମାଧ୍ୟମରେ ଅପରାଧୀର ପରିଚୟ ମିଳିଥିଲା । ଘଟଣାର ୪ ମାସ ପରେ ଟିମୋଥି ଡୁବୋଇସ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ପୋଲିସ ସହିତ ଅନ୍ୟ ୧୨ଟି ଏଜେନ୍ସି ମିଶି ତଦନ୍ତ କରିଥିଲେ ।

୨୦୨୬ ମେ’ ରେ ଟିମୋଥି ଅଦାଲତରେ ନିଜର ସମସ୍ତ ଅପରାଧ ସ୍ୱୀକାର କରିଥିଲା । ଷ୍ଟାରବକ୍ସକୁ ଅଧିକ ମହିଳାମାନେ ଆସୁଥିବାରୁ ଏହି ସ୍ଥାନକୁ ବାଛିଥିବା ସେ ସ୍ୱୀକାର କରିଥିଲା । ପୀଡ଼ିତା ଜଣକ ଏକୁଟିଆ ଥିବା ଦେଖି ତାଙ୍କ ଛୁରି ଦେଖାଇଥିଲା । ଅଦାଲତ ତାଙ୍କୁ ତିନୋଟି ଗୁରୁତର ଆରୋପରେ ଦୋଷୀ ସାବ୍ୟସ୍ତ କରିଥିଲେ । ୯ ଜୁଲାଇରେ ବିଚାରପତି ଅଭିଯୁକ୍ତକୁ ୧୨୦ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।



Source link

Leave A Reply

Your email address will not be published.