Voice of Eastern India

ଆନ୍ତଃରାଜ୍ୟ ଏଟିଏମ୍ କାର୍ଡ ବଦଳାଇ ଲୁଟ୍ ଗ୍ୟାଙ୍ଗର ପର୍ଦ୍ଦାଫାଶ, ୪ ଗିରଫ, ୨୩୨ ATM ଜବତ


କେନ୍ଦୁଝର: ଟେବୁଲ୍ ଉପରେ ତାସ ଭଳି ପଡ଼ିଥିବା ମାଳମାଳ କାର୍ଡ କୌଣସି ସାଧାରଣ କାର୍ଡ ନୁହେଁ । ଇଏ ହେଉଛି ବିଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ। ଗୋଟେ କି ଦୁଇଟି ନୁହେଁ ୨୩୨ ଡେବିଟ ଓ କ୍ରେଡିଟ କାର୍ଡ ଜବତ କରିଛି କେନ୍ଦୁଝର ଟାଉନ ପୋଲିସ । ଏହି କାର୍ଡ ଗୁଡିକ ସାହାଯ୍ୟରେ ବୟସ୍କ ବୃଦ୍ଧ ଓ ବୃଦ୍ଧା ଏବଂ ନୀରିହ ସରଳ ଲୋକଙ୍କ ଏଟିଏମ୍ କାର୍ଡକୁ ବଦଳାଇ ଅନ୍ୟ ଏଟିଏମରୁ ଟଙ୍କା ଲୁଟ୍ ହେଉଥିଲା । ଏବେ ଏହି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି କେନ୍ଦୁଝର ଟାଉନ ଥାନା ପୋଲିସ।

ସୂଚନା ମୁତାବକ ଏହି ଘଟଣା ସାମ୍ନାକୁ ଆସିବା ପରେ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥଲା। ସେବେଠାରୁ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା। ପରେ ଜଣାପଡ଼ିଲା କଟକ ଜିଲ୍ଲା ନେମାଳର ବଳରାମ ସାହୁ ଏହି ଏଟିଏମ୍ ଲୁଟ୍ ଗ୍ୟାଙ୍ଗର ମୁଖ୍ୟ ଓ ଚାରି ଜଣ ମିଶି ଏହି ଗ୍ୟାଙ୍ଗକୁ ଚଳାଉଛନ୍ତି। ପୋଲିସ ନିଜର ସମସ୍ତ ସାମର୍ଥ୍ୟ ଲଗାଇ ଏହି ଗ୍ୟାଙ୍ଗର ସମସ୍ତ ଚାରି ଜଣକୁ ଗିରଫ କରିବାର ସଫଳ ହୋଇଛି। ଏମାନେ ହେଲେ କଟକ ନେମାଳର ବଳରାମ ସାହୁ ମୁଖ୍ୟ ଅଭିଯୁକ୍ତ, ମୃତ୍ୟୁଞ୍ଜୟ ମହାପାତ୍ର, ମାନସ ରଞ୍ଜନ ପାଣି ଓ କେନ୍ଦ୍ରାପଡ଼ା ର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ।

ଏମାନେ ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ଠକେଇ କରିଛନ୍ତି। ଏମାନଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୧୦୦ରୁ ଉର୍ଦ୍ଧ୍ବ ମାମଲା ରହିଛି। ଗିରଫ ସମୟରେ ଏମାନଙ୍କ ନିକଟରୁ ୨୩୨ ଟି ଏଟିଏମ୍ କାର୍ଡ, ୯ ଟି ମୋବାଇଲ, ୧୨ହଜାର ଟଙ୍କା ଓ ଏକ ମାରୁତି ଫୋନିକ୍ସ କାର ଟାଉନ ପୋଲିସ ଜବତ୍ କରିଥିବା ସଦର ଏସଡିପିଓ ସୁଦର୍ଶନ ଗାଙ୍ଗୋଇ ଏକ ସାମ୍ବାଦିକ ସମ୍ମିଳନୀ ପ୍ରକାଶ କରିଛନ୍ତି।



Source link

Leave A Reply

Your email address will not be published.