Voice of Eastern India

Sourav Ganguly Steel Plant: ସୌରଭ ଗାଙ୍ଗୁଲିଙ୍କ ଷ୍ଟିଲ୍ ସାମ୍ରାଜ୍ୟ, କେବେ ଆରମ୍ଭ ହେବ ୨୫୦୦ କୋଟିର ମେଗା ଷ୍ଟିଲ୍ ପ୍ଲାଣ୍ଟ ?


ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ବର୍ତ୍ତମାନ ଖୁବ ଚର୍ଚ୍ଚାରେ। କାରଣ ଆସନ୍ତା ବର୍ଷ ମେ ମାସରେ ରିଲିଜ ହେବ ତାଙ୍କ ଜୀବନୀ ଉପରେ ଆଧାରିତ ସିନେମା ଦାଦା ଦ ସୌରଭ ଗାଙ୍ଗୁଲି ଷ୍ଟୋରୀ (dada the sourav ganguly story)। ସିନେମାରେ ସୌରଭ ଗାଙ୍ଗୁଲି ଭୂମିକାର ଅଭିନୟ କରିବାକୁ ଥିବା ରାଜକୁମାର ରାଓ ସିନେମା ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଥିଲେ। ଦାଦାଙ୍କ ଜନ୍ମଦିନରେ ଏହି ଖବର ସାମ୍ନାକୁ ଆସିଥିଲା। ଏହାପରେ ଠାରୁ ସୌରଭ ଗାଙ୍ଗୁଲିଙ୍କୁ ଖବରର ସିରୋନାମାରେ ରହିଛନ୍ତି। ଏବେ ପୁଣି ତାଙ୍କର ଏକ ଷ୍ଟିଲ ପ୍ଲାଣ୍ଟ ପ୍ରକଳ୍ପକୁ ନେଇ ଖବର ସାମ୍ନାକୁ ଆସିଛି।  

ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ସୌରଭ ଗାଙ୍ଗୁଲି ୨୦୨୫ ଫେବୃଆରିରେ କହିଥିଲେ ଯେ ପଶ୍ଚିମବଙ୍ଗରେ ତାଙ୍କର ପ୍ରସ୍ତାବିତ ₹୨,୫୦୦ କୋଟିର ଷ୍ଟିଲ୍ ପ୍ଲାଣ୍ଟ ୧୮ରୁ ୨୦ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ। କିନ୍ତୁ ପ୍ରାୟ ୧୭ ମାସ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପର ଉତ୍ପାଦନ ଆରମ୍ଭ ହୋଇ ନାହିଁ ଏବଂ କେବେ ଏହା ଚାଲୁ ହେବ ସେନେଇ କୌଣସି ବଡ଼ ସାର୍ବଜନୀନ ଘୋଷଣା ହୋଇ କରାଯାଇ ନାହିଁ।

ଏହି ଗ୍ରୀନଫିଲ୍ଡ ଷ୍ଟିଲ୍ ପ୍ରକଳ୍ପ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲାର ଗଡବେତାରେ ନିର୍ମାଣ ହେଉଛି। ଏହାକୁ ଟିଏମଟି (TMT) ବାର୍ ନିର୍ମାତା Captain Steel ସହ ମିଳିତ ଭାବେ ବିକଶିତ କରାଯାଉଛି। ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ୦.୮ ମିଲିୟନ୍ ଟନ୍ (୮ ଲକ୍ଷ ଟନ୍) ରହିବ।

୨୦୨୫ ଫେବୃଆରିରେ ଗାଙ୍ଗୁଲି କହିଥିଲେ, “ଆମେ ଷ୍ଟିଲ୍ ପ୍ଲାଣ୍ଟ ନିର୍ମାଣ କରୁଛୁ। କିନ୍ତୁ ଅନେକେ ଭାବୁଛନ୍ତି ଏହା ଦୁଇ ମାସ ମଧ୍ୟରେ ପ୍ରସ୍ତୁତ ହୋଇଯିବ। ବାସ୍ତବରେ ସେପରି ହୁଏ ନାହିଁ। ଆମର ଆଶା, ଆଗାମୀ ୧୮ରୁ ୨୦ ମାସ ମଧ୍ୟରେ ଏହାର କାର୍ଯ୍ୟ ଆରମ୍ଭ ହେବ।”

ସେତେବେଳେ ଗାଙ୍ଗୁଲି କହିଥିଲେ ଯେ ପ୍ରକଳ୍ପ ପାଇଁ ପରିବେଶ, ପ୍ରଦୂଷଣ ଏବଂ ସରକାରୀ ଅନୁମୋଦନ ସମେତ ଅନେକ ଅନୁମତି ଆବଶ୍ୟକ। ପିଟିଆଇର ରିପୋର୍ଟ ଅନୁସାରେ, ପ୍ରକଳ୍ପ ପାଇଁ ପ୍ରାୟ ୩୫୦ ଏକର ଜମି ଦରକାର ଥିଲା ଏବଂ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଥିଲା।

ସୌରଭ ଗାଙ୍ଗୁଲିଙ୍କ ସହଯୋଗୀ କିଏ?

ଏହି ୨୫୦୦ କୋଟିର ପ୍ରକଳ୍ପରେ ଗାଙ୍ଗୁଲିଙ୍କ ସହଯୋଗୀ ହେଉଛି କ୍ୟାପ୍ଟେନ୍ ଷ୍ଟୀଲ( Captain Steel) ଯାହା ଟିଏମଟି ବାର୍ ଉତ୍ପାଦନ କରେ। କ୍ୟାପ୍ଟେନ ଷ୍ଟିଲ ବର୍ତ୍ତମାନ ଦୁଇଟି ଷ୍ଟିଲ୍ ପ୍ଲାଣ୍ଟ ପରିଚାଳନା କରୁଛି, ଯାହାର ମୋଟ ବାର୍ଷିକ ଉତ୍ପାଦନ କ୍ଷମତା ୫ ଲକ୍ଷ ଟନ୍। ଗଡବେତା ପ୍ଲାଣ୍ଟ ଚାଲୁ ହେବା ପରେ କମ୍ପାନୀର ମୋଟ ଉତ୍ପାଦନ କ୍ଷମତା ବଢ଼ି ୧.୩ ମିଲିୟନ୍ ଟନ୍ (୧୩ ଲକ୍ଷ ଟନ୍)ରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ପୂର୍ବରୁ ଅଧିକାରୀମାନେ ପିଟିଆଇକୁ କହିଥିଲେ ଯେ ଏହି ପ୍ରକଳ୍ପରେ ସୌରଭ ଗାଙ୍ଗୁଲିଙ୍କ ଏକ ବଡ଼ ଶେୟାର ରହିବ। ତେବେ ତାଙ୍କର ସଠିକ୍ ଶେୟାର କେତେ ତାହା ପ୍ରକାଶ କରାଯାଇନଥିଲା। ଗାଙ୍ଗୁଲି କହିଛନ୍ତି ଯେ ଗଡବେତା ପ୍ରକଳ୍ପ ହେଉଛି ତାଙ୍କର ତୃତୀୟ ଏବଂ ସବୁଠାରୁ ବଡ଼ ଷ୍ଟିଲ୍ ପ୍ଲାଣ୍ଟ ପ୍ରକଳ୍ପ।

କେବେ ହୋଇଥିଲା ପ୍ରଥମ ଘୋଷଣା?

ସୌରଭ ଗାଙ୍ଗୁଲି ପ୍ରଥମେ ୨୦୨୩ ସେପ୍ଟେମ୍ବରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସ୍ପେନ୍ ଗସ୍ତ ସମୟରେ ଏହି ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନର ଘୋଷଣା କରିଥିଲେ। ପ୍ରଥମେ ପ୍ରକଳ୍ପଟିକୁ ପଶ୍ଚିମ ମେଦିନୀପୁରର ସାଲବୋନିରେ ସ୍ଥାପନ କରିବାକୁ ଯୋଜନା ହୋଇଥିଲା। କିନ୍ତୁ ସେହି ଯୋଜନା ସଫଳ ହୋଇନଥିବାରୁ ପରେ ଏହାକୁ ସାଲବୋନିଠାରୁ ପ୍ରାୟ ୨୬ କିଲୋମିଟର ଦୂରରେ ଥିବା ଗଡବେତାକୁ ସ୍ଥାନାନ୍ତର କରାଯାଇଥିଲା।

୨୦୨୫ ଫେବୃଆରିରେ ମିଳିତ ଉଦ୍ୟମର ଜଣେ ବରିଷ୍ଠ ଅଧିକାରୀ ପିଟିଆଇକୁ କହିଥିଲେ ଯେ ପ୍ରକଳ୍ପରେ ପ୍ରାୟ ₹୨,୫୦୦ କୋଟି ବିନିଯୋଗ ହେବ ଏବଂ ବାର୍ଷିକ ୦.୮ MTPA କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ସ୍ଥାପନ କରାଯିବ।

୨୦୦୭ରୁ ଷ୍ଟିଲ୍ ବ୍ୟବସାୟରେ ରୁଚି

ଗଡବେତା ପ୍ରକଳ୍ପ ସୌରଭ ଗାଙ୍ଗୁଲିଙ୍କ ପ୍ରଥମ ଷ୍ଟିଲ୍ ବ୍ୟବସାୟ ନୁହେଁ। ୨୦୨୩ରେ ସେ କହିଥିଲେ ଯେ ୨୦୦୭ ମସିହାରୁ ସେ ଜଣେ ବନ୍ଧୁଙ୍କ ସହ ମିଶି ଷ୍ଟିଲ୍ ବ୍ୟବସାୟରେ ପୁଞ୍ଜି ନିବେଶ କରୁଛନ୍ତି। ସେମାନଙ୍କର ପ୍ରଥମ ପ୍ଲାଣ୍ଟ ଆସାନସୋଲରେ ଏବଂ ଦ୍ୱିତୀୟ ପ୍ଲାଣ୍ଟ ପାଟନାରେ ରହିଛି। ଗାଙ୍ଗୁଲି ସେତେବେଳେ କ୍ରିକେଟ୍ ଖେଳୁଥିବାରୁ ତାଙ୍କ ବ୍ୟବସାୟିକ ସହଯୋଗୀ କାରଖାନାର ପରିଚାଳନା ଦାୟିତ୍ୱ ସମ୍ଭାଳୁଥିଲେ। ବର୍ତ୍ତମାନ ଗାଙ୍ଗୁଲୁ ସହକର୍ମୀମାନଙ୍କ ସହ ବ୍ୟବସାୟର ତଦାରଖ କରୁଛନ୍ତି।

ଷ୍ଟାର୍ଟଅପରେ ନିବେଶ

ଷ୍ଟିଲ୍ ବ୍ୟବସାୟ ବ୍ୟତୀତ ସୌରଭ ଗାଙ୍ଗୁଲି ଷ୍ଟାର୍ଟଅପ୍ କ୍ଷେତ୍ରରେ ମଧ୍ୟ ବିନିଯୋଗ କରିଛନ୍ତି। ୨୦୨୩ରେ ସେ ଇଣ୍ଟର-ସିଟି ଫୁଡ୍ ଡେଲିଭରି ଷ୍ଟାର୍ଟଅପ୍ JustMyRootsରେ ଅଳ୍ପ ସଂଖ୍ୟକ ଅଂଶୀଦାରି କିଣିଥିଲେ। ଏହାଛଡ଼ା ତାଙ୍କର ଅନ୍ୟାନ୍ୟ ସାର୍ବଜନୀନ ବିନିଯୋଗ ମଧ୍ୟରେ ଏଡ୍ଟେକ୍ ପ୍ଲାଟଫର୍ମ Classplus ଏବଂ ଡିଜିଟାଲ୍ ଏଣ୍ଟରଟେନମେଣ୍ଟ କମ୍ପାନୀ Flickstree ମଧ୍ୟ ସାମିଲ ରହିଛି।



Source link

Leave A Reply

Your email address will not be published.