Voice of Eastern India

ହଷ୍ଟେଲରେ ପଶିଲା ବିଷାକ୍ତ ସାପ, ଶୋଇଥିବା ୪ ଛାତ୍ରୀଙ୍କୁ କାମୁଡ଼ିଲା, ଜଣଙ୍କର ମୃତ୍ୟୁ


ରାଞ୍ଚି: ଝାଡ଼ଖଣ୍ଡର ଲୋହାରଦଗା ସହରର ଏକ ହଷ୍ଟେଲରେ ଏକ ଦୁଃଖଦା ଘଟଣା ଘଟିଛି । ହଷ୍ଟେଲରେ ବିଷାକ୍ତ ସାପ ପଶି ଶୋଇଥିବା ୪ ଜଣ ଛାତ୍ରୀଙ୍କୁ କାମୁଡ଼ି ଦେଇଛି । ଏହି ସର୍ପାଘାତରେ ଜଣେ ଛାତ୍ରୀ (୧୨)ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଘଟଣାଟି କୁଡୁ ଥାନା ଅନ୍ତର୍ଗତ ସାମସିରା ଉଚ୍ଚ ମାଧ୍ୟମିକ ଆବାସିକ ବିଦ୍ୟାଳୟର ହଷ୍ଟେଲରେ ଘଟିଛି । ରାତିରେ ସମସ୍ତ ଛାତ୍ରୀ ଗୋଟିଏ ରୁମରେ ଶୋଇଥିବା ସମୟରେ ସାପଟି ସେମାନଙ୍କୁ କାମୁଡ଼ିଥିବା ଜଣାପଡ଼ିଛି । ଘଟଣା ପରେ ହଷ୍ଟେଲର ଜଣେ ଶିକ୍ଷକ ତୁରନ୍ତ ସମସ୍ତଙ୍କୁ ସଦର ହସ୍ପିଟାଲକୁ ନେଇଥିଲେ, ଯେଉଁଠାରେ ଜଣେ ଛାତ୍ରୀଙ୍କୁ ମୃତ ଘୋଷଣା କରାଯାଇଥିଲା । ମୃତ ଛାତ୍ରୀ ଜଣକ ହେଲେ ୧୨ ବର୍ଷୀୟା ବର୍ଷା ଓରାଓଁ । ବର୍ଷା ସାଲଗି ଆଲାଉଦି ନଭା ଟୋଲିର ବାସିନ୍ଦା ଥିଲେ ।

ଏହି ସାପ କାମୁଡ଼ାରେ ଆହତ ଅନ୍ୟ ଜଣେ ୧୪ ବର୍ଷୀୟା ଛାତ୍ରୀ ମନୀଷା କୁମାରୀଙ୍କ ସଦର ହସ୍ପିଟାଲରେ ଚିକିତ୍ସା ଚାଲିଛି । ଅନ୍ୟପଟେ ୧୧ ବର୍ଷୀୟା ଫୁଲମଣିଆ ଓରାଓଁ ଏବଂ ୧୧ ବର୍ଷୀୟା ଅନୀଷା କୁମାରୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ରିମ୍ସ ହସ୍ପିଟାଲକୁ ପଠାଯାଇଛି ।

ସେପଟେ ଏହି ଖବର ପାଇବା ପରେ ହସ୍ପିଟାଲ ପରିସରରେ ପରିବାର ଲୋକ ଏବଂ ସ୍ଥାନୀୟ ଲୋକଙ୍କର ପ୍ରବଳ ଭିଡ଼ ଜମିଥିଲା । କୁଡୁ ଥାନା ପ୍ରଭାରୀ ଅଜିତ କୁମାର କହିଛନ୍ତି ଯେ ପୋଲିସକୁ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି ଏବଂ ପୋଲିସ ଏହି ମାମଲାରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।



Source link

Leave A Reply

Your email address will not be published.