Voice of Eastern India

ଟିଏମସିକୁ ବଡ଼ ଝଟକା: ସୁଷ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଓ ପ୍ରକାଶ ଚିକ୍ ବରାଇକ ବିଜେପିରେ ସାମିଲ


କୋଲକାତା: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ଧୀରେ ଧୀରେ ଭାଙ୍ଗି ଶେଷ ହୋଇଯିବାକୁ ବସିଛି। ପୂର୍ବରୁ ବହୁ ସଂଖ୍ୟାରେ ସାଂସଦ ଓ ବିଧାୟକ ବିଦ୍ରୋହ ଘୋଷଣା କରି ଦଳରୁ ଦୂରେଇ ଯାଇଥିବା ପରେ ଗୁରୁବାର ମମତାଙ୍କୁ ଆଉ ଏକ ଶକ୍ତ ଝଟକା ଲାଗିଛି।

ଟିଏମସିର ପୂର୍ବତନ ନେତ୍ରୀ ସୁଷ୍ମିତା ଦେବ, ପୂର୍ବତନ ସାଂସଦ ସୁଖେନ୍ଦୁ ଶେଖର ରାୟ ଏବଂ ନେତା ପ୍ରକାଶ ଚିକ୍ ବରାଇକ ବିଜେପିରେ ଯୋଗ ଦେଇଛନ୍ତି। ଏମାନେ ଗୁରୁବାର କୋଲକାତାର ସଲ୍ଟ ଲେକ୍ ସ୍ଥିତ ବିଜେପି ଅଫିସ୍ରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ପଶ୍ଚିମବଙ୍ଗ ବିଜେପି ସଭାପତି ସମୀକ ଭଟ୍ଟାଚାର୍ଯ୍ୟ ଓ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏହି ତିନି ନେତା ବିଜେପିରେ ସାମିଲ ହୋଇଥିଲେ। ଦଳ ଭିତରେ ବଢ଼ୁଥିବା ଅସନ୍ତୋଷ ମଧ୍ୟରେ ଏହି ନେତାମାନେ କିଛି ସପ୍ତାହ ପୂର୍ବରୁ ଟିଏମସିରୁ ଇସ୍ତଫା ଦେଇଥିଲେ।

ବିଜେପିରେ ମିଶିବା ପରେ ସମୀକ ଭଟ୍ଟାଚାର୍ଯ୍ୟ ସେମାନଙ୍କୁ ବିଜେପି ପତାକା ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ସେ କହିଥିଲେ, ଏହି ନେତାମାନଙ୍କର ଦୀର୍ଘ ରାଜନୈତିକ ଅଭିଜ୍ଞତା ପଶ୍ଚିମବଙ୍ଗରେ ବିଜେପିକୁ ଆହୁରି ଶକ୍ତ କରିବ। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ବିଧାନସଭା ନିର୍ବାଚନରେ ପରାଜୟ ପରେ ଦଳ ଭିତରେ ଅସନ୍ତୋଷ ବଢ଼ିବାରୁ ଏହି ଦଳବଦଳ ଘଟିଛି।

ଦଳରୁ ବହିଷ୍କୃତ ବିଧାୟକ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ଏକ ବଡ଼ ଗୋଷ୍ଠୀ ଟିଏମସିରୁ ଅଲଗା ହୋଇଯାଇଥିବା ବେଳେ, ଅନେକ ସାଂସଦ ମଧ୍ୟ ବିଦ୍ରୋହୀ ଶିବିରକୁ ସମର୍ଥନ କରିଥିବା କୁହାଯାଉଛି। ବିଦ୍ରୋହୀ ସାଂସଦମାନେ ସଂସଦରେ ଅଲଗା ଆସନ ବ୍ୟବସ୍ଥା ଦାବି କରିବା ସହ ବିଜେପିର ବରିଷ୍ଠ ନେତାଙ୍କ ସହ ବୈଠକ କରିଥିବାରୁ ଆଗାମୀ ଦିନରେ ଆହୁରି ନେତା ଦଳ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

ଏହି ଘଟଣାକୁ ନେଇ ଟିଏମସିର ବରିଷ୍ଠ ନେତା କୁଣାଲ ଘୋଷ ରିପୋର୍ଟକୁ ପ୍ରତିକ୍ରିୟା ଦେଇ କହିଛନ୍ତି “ଦେଖନ୍ତୁ ସମସ୍ତେ ଜାଣନ୍ତି ଭରିଷ୍ଠ ନେତା ସୁଖେନ୍ଦୁ ଶେଖର, ୨୦୧୧ ପୂର୍ବରୁ କେବେ ସାଂସଦ କିମ୍ବା ବିଧାୟକ ହୋଇନଥିଲେ। ତାଙ୍କୁ ସମ୍ମାନ ଜଣାଇ ମମତା ବାନାର୍ଜୀ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ। ଆଜି ସେ ବିଜେପିରେ ଯୋଗ ଦେଇଛନ୍ତି। ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେମାନେ ବିଜେପି ଛାଡି ନଥିଲେ, ଜନତା ସବୁକିଛି ଦେଖୁଛନ୍ତି।” ସୂଚନା ଥାଉକି ଏହି ତିନି ନେତା ଗତ ମାସରେ ଟିଏମସି ଏବଂ ରାଜ୍ୟସଭା ନେତା ପଦରୁ ଇସ୍ତଫା ଦେଇଥିଲେ।



Source link

Leave A Reply

Your email address will not be published.